ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ବିଟ କରି ଆଡୁଆରେ । ଆଗ୍ରାରେ କୋରୋନା ସଂକ୍ରମଣ ମୃତ୍ୟୁକୁ ନେଇ କରିଥିବା ଟ୍ବିଟକୁ ନେଇ ବିବାଦ । ଆଗ୍ରା ଜିଲ୍ଲାପାଳ ଏହି ଟ୍ବିଟକୁ ବିଭ୍ରାନ୍ତିକର ବୋଲି କହି ପ୍ରିୟଙ୍କାଙ୍କୁ ନୋଟିସ୍ ମଧ୍ୟ ପଠାଇଛନ୍ତି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଖବରକାଗଜ ରିପୋର୍ଟକୁ ଆଧାର କରି କହିଛନ୍ତି ଯେ ଆଗ୍ରାରେ ଗତ 48 ଘଣ୍ଟା ମଧ୍ୟରେ 28 ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଟ୍ବିଟରେ ରାଜ୍ୟ ସରକାରଙ୍କ ସ୍ତରରେ ସମ୍ବେଦନଶୀଳତା ପ୍ରକାଶ ପାଇଛି। ଏହାପରେ ଆଗ୍ରା ଜିଲ୍ଲାପାଳ ଲେଖିଛନ୍ତି ଯେ ମାର୍ଚ୍ଚ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆଗ୍ରାରେ କୋରୋନାରେ 79ଜଣଙ୍କ ମୃତ୍ୟୁ ଘଟିଛି। ଖବରକାଗଜରେ ପ୍ରକାଶିତ ଖବର ମିଥ୍ୟା ଅଟେ। କେବଳ ଏତିକି ନୁହେଁ ପ୍ରିୟଙ୍କାଙ୍କ ଟ୍ବିଟ ମଧ୍ୟ ଖବରକକାଗଜର ହେଡଲାଇନ୍ ହୋଇଯାଇଥିଲା । ଏହାପରେ ଆଗ୍ରା ଜିଲ୍ଲାପାଳ ଖବରକୁ ଖଣ୍ଡନ କରିବାକୁ ପ୍ରିୟଙ୍କାଙ୍କୁ ନୋଟିସ ପଠାଇଛନ୍ତି ।
ପ୍ରିୟଙ୍କାଙ୍କୁ ପଠାଯାଇଥିବା ନୋଟିସରେ ଲେଖା ଅଛି, ‘ ଏହି ଟ୍ବିଟରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସମଗ୍ର ଭାରତୀୟମାନେ କୋଭିଡ -19 ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସଂଗ୍ରାମ କରୁଛନ୍ତି । ଏହିପର ଟ୍ବିଟ କୋରୋନା ଯୋଦ୍ଧାଙ୍କ ଉପରେ ପ୍ରତିକୂଳ ମନୋଭାବ ସୃଷ୍ଟି କରୁଛି । ପ୍ରକୃତ କଥା ହେଉଛି ଯେ ଗତ 109 ଦିନ ମଧ୍ୟରେ ଆଗ୍ରାରେ ମୋଟ 1139 ଟି କୋଭିଡ-19 ମାମଲା ରିପୋର୍ଟ ହୋଇଛି ଓ 79 ଟି କୋଭିଡ-19 ପଜିଟିଭ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ 48 ଘଣ୍ଟା ମଧ୍ୟରେ 28 ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଅସତ୍ୟ ଏବଂ ଭିତ୍ତିହୀନ ’।
ପ୍ରକାଶଥାଉକି, କଂଗ୍ରେସ ମହାସଚିବ ଟ୍ବିଟ୍ରେ ଲେଖିଛନ୍ତି, ‘ଆଗ୍ରାରେ 48 ଘଣ୍ଟାରେ ଭର୍ତ୍ତି ହୋଇଥିବା 28 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ୟୁପି ସରକାର ପାଇଁ କେତେ ଲଜ୍ଜାଜନକ ଯେ ଏହି ମଡେଲର ମିଥ୍ୟା ପ୍ରଚାର ସତକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ସରକାରଙ୍କ ନୋ ଟେଷ୍ଟ ନୋ କୋରୋନା ନୀତି ଉପରେ ପ୍ରଶ୍ନ ଉଠିଥିଲା ମାତ୍ର ସରକାର କୌଣସି ଉତ୍ତର ଦେଇନାହାଁନ୍ତି ’ ।