ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ପଦ ସମ୍ଭାଳିବା ପରେ ବେଶ ସକ୍ରିୟ ଥିବା ନଜର ଆସୁଛନ୍ତି ମନୋଜ ସିହ୍ନା । କ୍ରମାଗତ ଭାବରେ ଘାଟିରେ ସାଧାରଣ ନାଗରିକଙ୍କର ସମସ୍ୟା ଓ ସ୍ଥିତିର ସମୀକ୍ଷା କରୁଛନ୍ତି ଏଲଜି । ତେବେ ଚଳିତ ବର୍ଷ ଜୁଲାଇରେ ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ରାଜୌରୀର 3 ଜଣଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ହତ୍ୟା କାଣ୍ଡରେ ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସିହ୍ନା କହିଛନ୍ତି ଯେ ଏହି ଘଟଣା ପରେ ସେନା ଓ ପୋଲିସ ମିଳିତ ଭାବରେ ପୃଥକ ତଦନ୍ତ ଜାରି ରଖିଥିବା ବେଳେ ପରିବାର ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।
ମଜୁରୀ କାମ ପାଇଁ ଶୋପିଆନ ଯାଇଥିବା ଜଣେ ନାବାଳକ ସମେତ 2 ଯୁବକ ଜୁଲାଇ 17 ସଂଧ୍ୟରେ ନିଖୋଜ ହୋଇଯାଇଥିଲେ । ରାଜୋରି ଜିଲ୍ଲା କୋଟରଙ୍କା ବାସିନ୍ଦା ବାଗଗା ଖାନଙ୍କ ପୁଅ ଅହମ୍ମଦ ଖାନ, ତାଙ୍କ ଶଳା ଅବରର ଅହମ୍ମଦ, ଏବଂ ତାଙ୍କର ଜଣେ ସମ୍ପର୍କୀୟ ଇମତିଆଜ ଅହମ୍ମଦ ମଜୁରୀ କାମ ପାଇଁ ଶୋପିଆନ ଯାଇଥିଲେ । ଜୁଲାଇ 18 ପୂର୍ବାହ୍ନରେ ପୋଲିସ ଏବଂ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ଆମିସିପୋରା ଗାଁରେ ଏକ ଏନକାଉଣ୍ଟରରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଥିବା ଦାବି କରିଥିଲେ ।
ଶ୍ରୀନଗରର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ ଅଗଷ୍ଟରେ ଦେଇଥିବା ବିବୃତ୍ତିରେ କହିଥିଲେ ଯେ 18 ଜୁଲାଇ 2020ରେ ଶୋପିଆନରେ ହୋଇଥିବା ଅପରେସନ ନେଇ ଆମେ ସୋସିଆଲ ମିଡିଆ ଉପରେ ନଜର ରଖିଛୁ । ଅପରେସନ ସମୟରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ ଏବଂ ପ୍ରୋଟୋକଲ ଆଧାରରେ ମୃତଦେହକୁ ପୋତି ଦିଆଯାଇଛି । ସେନା ଘଟଣାର ତଦନ୍ତ କରୁଥିବା କର୍ଣ୍ଣେଲ ସୂଚନା ଦେଇଥିଲେ ।
ମୃତକଙ୍କ ପରିବାର ଅନୁଯାୟୀ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 3 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସେମାନେ କହିଛନ୍ତି ଯେ ଶୋପିଆନରେ ପହଞ୍ଚିବା ପରେ ସେମାନଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା । ତେବେ ତିନି ସପ୍ତାହ ପରେ ଅଗଷ୍ଟ 8ରେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ପରିବାରବର୍ଗ ଏହି ତିନି ଯୁବକ ସେମାନଙ୍କର ପୁଅ ବୋଲି ଚିହ୍ନଟ କରିଥିଲେ ।