ନୂଆଦିଲ୍ଲୀ: ସରକାରୀ ଡାକ୍ତରଖାନା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ପ୍ୟାକେଜ ଘୋଷଣା କରନ୍ତି ସରକାର । ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥାରେ କୌଣସି ଅବହେଳା ମଧ୍ୟ ହେଉନଥିବା ଡିମଡିମା ପିଟନ୍ତି । କିନ୍ତୁ ସରକାରୀ ଡାକ୍ତରଖାନା ପ୍ରତି ନେତାମନ୍ତ୍ରୀଙ୍କ ସ୍ବଭାବ ଆଉ କିଛି କାହାଣୀ କୁହେ । ରୋଗାଗ୍ରସ୍ତ ହେଲେ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ବଦଳରେ ଘରୋଇ ହସ୍ପରିଟାଲକୁ ବାଛନ୍ତି ନେତାମାନେ । ଗୋଟିଏ ପଟେ କୋରୋନା ରୋଗୀ କାକୁତି ମିନତି ହେବାପରେ ମଧ୍ୟ ତାଙ୍କ ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ଆଉ ସେପଟେ ନେତାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଘରୋଇ ହସ୍ପିଟାଲରେ 5 ତାରକା ହୋଟେଲ ସୁବିଧା ପ୍ରଦାନ କରାଯାଉଛି । ଯେଉଁଥିପାଇଁ ସେମାନେ ସରକାରୀ ବଦଳରେ ଘରୋଇ ହସ୍ପିଚାଲରକୁ ବାଛି ନେଉଛନ୍ତି।
ରବିବାର ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଲକ୍ଷଣ ଦେଖାଦେବା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା। ତେବେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ 55 ବର୍ଷିୟ ରାଜନେତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଥିଲା ।
ଏହାପରେ ରବିବାର ରାତିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା କୋରୋନା ଭାଇରସ ପାଇଁ ପଜିଟିଭ ପରୀକ୍ଷଣ କରିଥିବା ଘୋଷଣା କରିଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରବିବାର ଦିନ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନଥିବାରୁ ତାଙ୍କୁ ଘରେ ହିଁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ତାଙ୍କର ପରୀକ୍ଷା ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଏକ ଘରୋଇ ହସ୍ପିଟାଲରେ କରାଯାଇଥିଲା |
ତାମିଲନାଡୁ କ୍ୟାବିନେଟ ଅନେକ ମନ୍ତ୍ରୀ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଡାକ୍ତରଖାନାରେ ନୁହେଁ ବରଂ ଘରୋଇ ସ୍ବାସ୍ଥ୍ୟସେବାରେ ଚିକିତ୍ସିତ ହେଉଥିଲେ। ରବିବାର ଦିନ ଉତ୍ତରପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣଙ୍କର କୋରୋନାରେ ମୃତ୍ୟୁ ଘଟିଥିଲା । 62 ବର୍ଷିୟା କମଲ ରାଣୀ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିଲେ ।