ଷ୍ଟକହୋମ: ନୋବେଲ୍ ପୁରସ୍କାର ଗ୍ରହଣ କଲେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ । ତାଙ୍କ ସହ ପତ୍ନୀ ଇସ୍ତର ଡୁଫ୍ଲୋ ଏବଂ ମାଇକେଲ କ୍ରେମର ମଧ୍ୟ ନୋବେଲ୍ ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ଏହି ସମୟରେ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାରତୀୟ ବେଶଭୂଷାରେ ନଜର ଆସିଥିଲେ । ସେ ପାରମ୍ପରିକ ଧୋତି-କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଇସ୍ତର୍ ଡୁଫ୍ଲୋ ସବୁଜ ରଙ୍ଗର ଶାଢୀ ଓ ଲାଲ ବିନ୍ଦିରେ ନଜର ଆସିଥିଲେ । ସ୍ବିଡେନର ଷ୍ଟକ୍ହୋମ କନସର୍ଟ ହଲରେ ଏହି ପୁରସ୍କାର ସମାରୋହ ଆୟୋଜିତ ହୋଇଥିଲା ।
ପତ୍ନୀଙ୍କ ସହ ଭାରତୀୟ ବେଶଭୂଷାରେ ନୋବେଲ୍ ପୁରସ୍କାର ଗ୍ରହଣ କଲେ ଅଭିଜିତ ବାନାର୍ଜୀ - ନୋବେଲ୍ ଗ୍ରହଣ କଲେ ଅଭିଜିତ ବାନାର୍ଜୀ
ନୋବେଲ୍ ପୁରସ୍କାର ଗ୍ରହଣ କଲେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ । ଏହି ସମୟରେ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାରତୀୟ ବେଶଭୂଷାରେ ନଜର ଆସିଥିଲେ ।
ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ଚଳିତ ବର୍ଷ ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ, ଇସ୍ତର ଡୁଫ୍ଲୋ ଏବଂ ମାଇକେଲ କ୍ରେମର ମନୋନୀତ ହୋଇଥିଲେ । ଏହି 3 ଅର୍ଥଶାସ୍ତ୍ରୀଙ୍କୁ ବିଶ୍ବରୁ ଦାରିଦ୍ର୍ୟ ହ୍ରାସ କରିବା ଦିଗରେ ଗବେଷଣା ପାଇଁ ସର୍ବୋଚ୍ଚ ପୁରସ୍କାର ଲାଗି ମନୋନୀତ କରାଯାଇଥିଲା । ଏହି ଅବସରରେ ସମ୍ପୂର୍ଣ୍ଣ ବଙ୍ଗାଳୀ ବେଶଭୂଷାରେ ନଜର ଆସିଥିଲେ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ ।ଗୋଲ୍ଡେନ୍-ଧଳା ଧୋତି ସହ କୁର୍ତ୍ତାରେ ନଜର ଆସିଥିଲେ ନୋବେଲ ବିଜେତା । ଏପରିକି ଅଭିଜିତଙ୍କତ ପତ୍ନୀ ମଧ୍ୟ ସବୁଜ ରଙ୍ଗର ଶାଢୀ ସହ ନାଲି ବିନ୍ଦିରେ ନଜର ଆସିଥିଲେ ।
ଅଭିଜିତ 1921 ମସିହା ଫେବୃୟାରୀ 21ରେ କୋଲକାତାରେ ଜନ୍ମଲାଭ କରିଥିବାବେଳେ ବର୍ତ୍ତମାନ ସେ ଆମେରିକାର ବାସିନ୍ଦା । କୋଲକାତାରେ 1981 ମସିହାରେ ଅର୍ଥନୀତିରେ ସେ ବି.ଏସ ଡ଼ିଗ୍ରୀ ସମାପ୍ତ କରିଛନ୍ତି । ସେହିପରି ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟରେ ଅଭିଜିତ 1983 ମସିହାରେ ଏମଏ ସମାପ୍ତ କରିଛନ୍ତି । ସେ ବର୍ତ୍ତମାନ ଆମେରିକାର ମେସାଚୁଟ୍ସ ଇନଷ୍ଟିଚ୍ଯୁଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ତାଙ୍କ ଧର୍ମପତ୍ନୀ ଡୁଫ୍ଲୋ 'ଗୁଡ଼ ଇକୋନୋମିକସ ଫର ହାର୍ଡ ଟାଇମ୍ସ: ବେଟର ଆନସର୍ସ ଟୁ ଓଭର ବିଗ୍ସ ପ୍ରୋବ୍ଲମ୍ସ' ଶୀର୍ଷକ ପୁସ୍ତକ ଲେଖିଛନ୍ତି । 1972 ମସିହାରେ ଜନ୍ମ ଗ୍ରହଣ କରିଥିବା ଡୁଫ୍ଲୋ ଆର୍ଥିକ କ୍ଷେତ୍ରରେ ସବୁଠାରୁ କମ୍ ବୟସରେ ନୋବେଲ୍ ହାସଲ କରିଥିବା ଦ୍ବିତୀୟ ମହିଳା ହୋଇପାରିଛନ୍ତି । ସେହିପରି ମାଇକେଲ କ୍ରେମର ହାବାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଭାବେ କାର୍ଯରତ ଅଛନ୍ତି ।