ଡେରାଡୁନ: ପ୍ଲାଷ୍ଟିକ ମୁକ୍ତ ସହର ଗଠନ ପାଇଁ 13 ବର୍ଷିୟ ଝିଅର ନିଆରା ପ୍ରଚେଷ୍ଠା । ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର କମ କରିବାକୁ ଶିଖାଉଛି ଆସ୍ଥା ଠାକୁର । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ପ୍ରେରିତ ହୋଇ ଏଭଳି ନିଆରା ପ୍ରୟାସ ଜାରି ରଖିଛନ୍ତି ଉତ୍ତରାଖଣ୍ଡର ଝିଅ ଆସ୍ଥା ।
ପରିବେଶକୁ ସ୍ବଚ୍ଛ କରିବା, ସୁନ୍ଦର ଦେଶ ଗଠନ କରିବା । ସ୍ବଚ୍ଛ ଭାରତ ଗଠନ କରି ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଜାରି ରହିଛି ପ୍ରୟାସ। ଆଉ ପ୍ଲାଷ୍ଟିକ ମୁକ୍ତ ଦେଶ ଗଠନ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆହ୍ବାନରେ ପ୍ରେରିତ ହୋଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଆଗେଇ ଆସିଛନ୍ତି 13 ବର୍ଷିୟା ଆସ୍ଥା ଠାକୁର । ଯିଏକି ଟୋଉଲି ଗାଁର ନିବାସୀ। ଏହି ଗାଁଟି ଡେରାଡୁନ ଠାରୁ 80 କିଲୋମିଟର ଦୂରରେ ଅବସ୍ଥିତ । ନବମ ଶ୍ରେଣୀର ଛାତ୍ରୀ ଆସ୍ଥା, 5ରୁ14 ବର୍ଷର ଛାତ୍ରୀଙ୍କୁ ନେଇ ବାଲ ପଞ୍ଚାୟତ ଗଠନ କରିଛନ୍ତି । ଏଥିରେ 28ଜଣ ଛାତ୍ରୀ ସାମିଲ ହୋଇଛନ୍ତି ।
ଆସ୍ଥାଙ୍କ ପ୍ରୟାସ ପ୍ଲାଷ୍ଟିକ ମୁକ୍ତ ଭାରତ ବାଲ ପଞ୍ଚାୟତର ସଦସ୍ୟ ମାନେ ପ୍ଲାଷ୍ଟିକ ବିରୋଧରେ କରୁଛନ୍ତି ଲଢେଇ । ଏମାନେ ସଭିଁଙ୍କୁ ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ କରୁଛନ୍ତି ସଚେତନ । ଆସ୍ଥା କେବଳ ପ୍ଲାଷ୍ଟିକ ବିରୋଧରେ ଲୋକଙ୍କୁ ସଚେତନ କରୁଛନ୍ତି ତାହା ନୁହେଁ ନିଜ ସାଥିଙ୍କୁ ନେଇ ପେପର ବ୍ୟାଗ ପ୍ରସ୍ତୁତ କରୁଛନ୍ତି । ଆଉ ଏହି ବ୍ୟାଗ ଗୁଡିକ ସ୍ଥାନୀୟ ଅଞ୍ଚଳରେ ବାଣ୍ଟୁଛନ୍ତି । ପ୍ଲାଷ୍ଟିକ ବ୍ୟବହାର ଠୁ ଦୂରେଇ ରହିବା ଓ ଲୋକଙ୍କ ମଧ୍ୟରେ ପେପର ବ୍ୟାଗ ପ୍ରତି ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ଏପରି କରୁଛନ୍ତି ଆସ୍ଥା । ବର୍ଷେ ହେବ ଆସ୍ଥାଙ୍କ ଏହି ପ୍ଲାଷ୍ଟିକ ବିରୋଧୀ ଲଢେଇ ଆରମ୍ଭ ହୋଇଛି ।
ଏପଟେ ଆସ୍ଥା ଓ ତାଙ୍କ ଟିମ୍ର ପ୍ରଚେଷ୍ଟା ଦେଖି ସହଯୋଗର ହାତ ବଢାଇଛନ୍ତି ବିଭିନ୍ନ ଏନଜିଓ ସଂସ୍ଥା । ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ହେଲେ ବଡ ଆନ୍ଦୋଳନର ଆବଶ୍ୟକତା ରହିଛି । ଏପରିସ୍ଥଳରେ ଆସ୍ଥା ଓ ତାଙ୍କ ଟିମ୍ ଛୋଟ ହୋଇଥିଲେ ବି ତାଙ୍କର ଏହି ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ