ଓଡିଶା

odisha

By

Published : Feb 13, 2020, 9:00 PM IST

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଆମ ଆଦମୀଙ୍କ ବିଜୟ

ଦିଲ୍ଲୀ ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ । ଏହାଥିଲା ବିଜେପିର ମତ । ଆଉ ବାସ୍ତବରେ ତାହା ହିଁ ହେଲା । କେଜରିୱାଲଙ୍କ ନେତୃତ୍ବରେ ଆମ୍‌ ଆଦମୀ ପାର୍ଟି ନିର୍ବିଘ୍ନରେ ଆଗକୁ ମାଡ଼ି ଚାଲିଲା । ଅଧିକ ପଢନ୍ତୁ...

AAM ADMI PARTY WON DELHI ELECTION
ଫାଇଲ ଫଟୋ

ବିଜେପି କହିଥିଲା ଯେ, ଦିଲ୍ଲୀ ନିର୍ବାଚନ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ । ବାସ୍ତବରେ, ତାହା ହିଁ ହେଲା । କେଜ୍ରିୱାଲଙ୍କ ନେତୃତ୍ବରେ ଆମ୍‌ ଆଦମୀ ପାର୍ଟି ନିର୍ବିଘ୍ନରେ ଆଗକୁ ମାଡ଼ି ଚାଲିଲା । ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ସତ ବୋଲି ଆପ୍‌ ପ୍ରମାଣିତ କରିଥିବା ବେଳେ, ମୁଖ୍ୟ ବିରୋଧୀ ବିଜେପିକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା 8ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ 1996ରୁ 2013 ଭିତରେ ତିନି ତିନି ଥର ବିଜୟ ହାସଲ କରିଥିବା କଂଗ୍ରେସ ଦଳକୁ ଗୋଟିଏ ବି ଆସନ ମିଳିଲା ନାହିଁ ।

2015 ନିର୍ବାଚନରେ 54.5% ଭୋଟ୍‌ ଭାଗ ସହିତ ଆପ୍‌, 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ 67ଟି ଆସନ ଅକ୍ତିଆର କରି ଇତିହାସ ରଚିଲା । ଆଶ୍ଚର୍ଯ୍ୟର କଥା ଯେ, ଏଥର ନିର୍ବାଚନରେ ଭୋଟ୍‌ଗ୍ରହଣ ହାର ଗତ ନିର୍ବାଚନ ତୁଳନାରେ 5% କମ୍‌ ରହିଛି ଏବଂ କେଜ୍ରିଓ୍ବାଲଙ୍କ ଦଳ ଗତ ନିର୍ବାଚନ ତୁଳନାରେ 1% କମ୍‌ ଭୋଟ ପାଇଛି ।

ତଥାପି ଏହା 62ଟି ଆସନ ହାସଲ କରିଛି । 38.8% ଭୋଟ୍‌ ପାଇଥିବା ବିଜେପି 6½ % ଅଧିକ ଭୋଟ୍‌ ପାଇଥିଲେ ହେଁ ମାତ୍ର ପାଞ୍ଚଟି ଆସନ ଅଧିକା ହାସଲ କରିଛି । ଦିଲ୍ଲୀ ରାଜନୀତିରେ ସତ୍ତା ହରାଇବାକୁ ବସିଥିବା କଂଗ୍ରେସ ଦଳ 2008ରେ 40.3% ଭୋଟ୍‌, 2013ରେ 24.5% ଭୋଟ୍‌ ଏବଂ 2015ରେ 9.6% ଭୋଟ୍‌ ପାଇଥିଲା ବେଳେ ଏବେ 2020ରେ 63ଟି ଆସନରେ ଅମାନତ ହରାଇଛି ଏବଂ ଲଜ୍ଜାଜନକ ଭାବେ ମୁଣ୍ଡ ନୁଆଁଇଛି । 2015ରେ ଆପ୍‌ ପାଇଥିବା 67ଟି ଆସନ ମଧ୍ୟରୁ, 60ଟି ନିର୍ବାଚନମଣ୍ଡଳୀରେ ବିଜୟ ବ୍ୟବଧାନ 10,000ରୁ ଅଧିକ ଏବଂ 45ଟି ଆସନରେ ଏହା 20,000ରୁ ଅଧିକ ଥିଲା । କିନ୍ତୁ ସେତେବେଳେ, ବିଜେପି ଜିତିଥିବା 3ଟି ଆସନରେ ବିଜୟ ବ୍ୟବଧାନ ମାତ୍ର 6,000 ଭୋଟ୍‌ ରହିଥିଲା ।

ହେଲେ ଏବେ, ଭୋଟ୍‌ ବାକ୍ସରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଭାଗ୍ୟଫଳ ଦୋହଲିବାରେ ଲାଗିଥିଲା ଏବଂ ଶେଷରେ ସେ 3,000ରୁ କମ ଭୋଟ ବ୍ୟବଧାନରେ ବିଜୟ ଲାଭ କଲେ । କେଜ୍ରିିୱାଲ ସରକାରକୁ ଏହା ସତର୍କ ସଂକେତ ପ୍ରଦାନ କରିବା ଉଚିତ । ଅପେକ୍ଷାକୃତ ଭଲ ନାଗରିକ ସୁବିଧା ସୁଯୋଗ ପ୍ରତିବଦଳରେ ଭୋଟଦାତାମାନେ ଦେଇଥିବା ଏହି ଉପହାର, ଦେଶର ରାଜଧାନୀରେ ନାଗରିକମାନଙ୍କର ଜୀବନ ଧାରଣର ମାନବୃଦ୍ଧି ଦିଗରେ କେଜ୍ରିିୱାଲ ସରକାରଙ୍କ ଦାୟିତ୍ବ ବଢ଼ାଇ ଦିଏ ।

1996ରେ ଆୟୋଜିତ ମୁମ୍ବାଇ ମହା ଅଧିବେଶନରେ ବିଜେପିର ଅଧିନାୟକ ଭାବରେ ବାଜପେୟୀ କଳ୍ପନା କରିଥିଲେ “ଆମେ ଅଶ୍ବମେଧ ଯଜ୍ଞ ଆରମ୍ଭ କରିଛୁ । ଏହା ଦିଲ୍ଲୀ ଅଭିମୁଖେ ଆଗେଇ ଯାଉଛି ।” ସେ ସମୟରେ ବିଜେପି 42.8% ପ୍ରତିଶତ ଭୋଟ୍‌ ହାସଲ କରି ଦିଲ୍ଲୀ ବିଧାନସଭାରେ 49ଟି ଆସନ ଦଖଲ କରିଥିଲା । ଏମିତି କି ସାଧାରଣ ନିର୍ବାଚନରେ କ୍ଷମତା ହାସଲ କରି ଭାରତ ସରକାରର ମଙ୍ଗ ଧରିବେ ବୋଲି ସେମାନେ ଆଶା କରୁଥିଲେ । ଯଦିଓ ବିଜେପି ପ୍ରଥମ ଥର ପାଇଁ କେନ୍ଦ୍ରରେ ଏବଂ ଦିଲ୍ଲୀ ବିଧାନସଭାରେ ବି କ୍ଷମତା ହାସଲ କଲା, ସେହି ସ୍ଥିତି ବେଶୀ ଦିନ ରହିଲା ନାହିଁ ଏବଂ 1998ରେ କଂଗ୍ରେସ ଜାତୀୟ ରାଜଧାନୀରେ କ୍ଷମତା ଦଖଲ କଲା । ଯଦିଓ 2014 ଏବଂ 2019 ସାଧାରଣ ନିର୍ବାଚନରେ ଜିତି ବିଜେପି କେନ୍ଦ୍ରରେ କ୍ଷମତା ହାସଲରେ ସଫଳ ହେଲା, ତଥାପି ଦିଲ୍ଲୀ ଉପରେ କର୍ତ୍ତୃତ୍ବ ଜାହିର କରିବା ବିଜେପି ପାଇଁ ଖଟା ଅଙ୍ଗୁର ଭଳି ହୋଇରହିଛି । 2014 ଲୋକସଭା ନିର୍ବାଚନରେ ସମସ୍ତ 7ଟି ଲୋକସଭା ଆସନ ଏବଂ 60ରୁ ଅଧିକ ବିଧାନସଭା ଆସନରେ ମୋଦି ହାୱା ପ୍ରବାହିତ ହେଲା । କିନ୍ତୁ 2015 ବିଧାନସଭା ନିର୍ବାଚନରେ ବିଜେପିର ଜୁଆରରେ ଆପ୍‌ ଭଟ୍ଟା ପକାଇଦେଲା ।

ଦିଲ୍ଲୀର ତିନିଟି ବୃହତ୍‌ ନଗରପାଳିକା ପାଇଁ 2017ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ଆପ୍‌କୁ 26 % ଭୋଟରେ ସୀମିତ ରଖିପାରିଥିଲା । କିନ୍ତୁ ଗତ ସାଧାରଣ ନିର୍ବାଚନରେ ବିଜେପି ସମସ୍ତ ସାତଟି ଲୋକସଭା ଆସନ ଦଖଲ କରିଥିଲା । ସେହି ନିର୍ବାଚନରେ ଆପ୍‌ର ଭୋଟ ହାର 18%କୁ ଖସି ଆସିଥିଲା ଏବଂ ପରିଣାମ ସ୍ବରୂପ ମୋଦି ମ୍ୟାଜିକ୍‌ ବଳରେ ବିଧାନସଭା ନିର୍ବାଚନରେ ବି ସବୁ ଆସନରେ ବିଜୟଲାଭ କରିପାରିବ ବୋଲି ବିଜେପି ଭ୍ରମରେ ରହିଲା । ନାଗରିକତା ସଂଶୋଧନ ଆଇନ, ହିନ୍ଦୁତ୍ବ ପ୍ରସଙ୍ଗ ସହିତ ରାଜଧାନୀରେ 200ରୁ ଅଧିକ ସାଂସଦ, 50 କେନ୍ଦ୍ର ମନ୍ତ୍ରୀଙ୍କୁ ଏକତ୍ର କରିବା ଏବଂ ଡଜନ ଡଜନ ସମାବେଶ ଓ ରୋଡ୍‌ ଶୋ’ରେ ଭୋଟରଙ୍କୁ ନିମଜ୍ଜିତ କରାଇବା ସତ୍ତ୍ବେ ଦିଲ୍ଲୀର ଭୋଟଦାତାମାନେ କାହିଁକି ଆପ୍‌ ଆଡ଼କୁ ମୁହାଁଇଲେ ସେ ସଂପର୍କରେ ବିଜେପି ଆତ୍ମନିରୀକ୍ଷଣ କରିବା ଉଚିତ ।

ଜନସଂଖ୍ୟା ଦୃଷ୍ଟିରୁ ଦିଲ୍ଲୀ 140ଟି ଦେଶଠାରୁ ଆଗରେ ରହିଛି । ହେଲେ ମୌଳିକ ସୁବିଧା ସୁଯୋଗ ପ୍ରଦାନ କ୍ଷେତ୍ରରେ ଦୟନୀୟ ଅବସ୍ଥା ଲାଗି ରହିଥିଲା । ସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି ସଫା କରିବାର ସଙ୍କେତ ରୂପେ ନିର୍ବାଚନ ଚିହ୍ନ ଝାଡୁ ବ୍ୟବହାର କରୁଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟତଃ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଉପରେ ଧ୍ୟାନ ଦେଇଆସିଛି ଏବଂ ଗରିବ ଏବଂ ମହିଳାମାନଙ୍କ ସମର୍ଥନ ହାସଲ କରିଛି । 2013ରେ କ୍ଷମତାକୁ ଆସିଥିବା କେଜ୍ରିିୱାଲଙ୍କ ଦଳ ମାଗଣା ବିଦ୍ୟୁତ୍‌ ଓ ପିଇବା ପାଣି ଯୋଗାଣ ଯୋଜନା ଉପରେ ମନୋନିବେଶ କଲା ଏବଂ ମୋହଲ୍ଲା କ୍ଲିନିକ୍‌ (କ୍ଷେତ୍ରୀୟ ହାସପାତାଳ) ଗଠନ କରି ଲୋକଙ୍କ ନିକଟତର ହେଲା । ଏହା ମଧ୍ୟ ସ୍କୁଲ ଶିକ୍ଷାର ମାନବୃଦ୍ଧି କରିବା ଏବଂ ବାଳିକା ଏବଂ ମହିଳାମାନଙ୍କୁ ମାଗଣା ଯାତ୍ରା କରିବାର ସୁଯୋଗ ଦେଇ ଲୋକଙ୍କ ପ୍ରଶଂସାଭାଜନ ହେଲା । ବ୍ୟାପକ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଲଗାଇବା ସହ ଏହା ମହିଳାଙ୍କ ସୁରକ୍ଷାକୁ ଉଚ୍ଚ ପ୍ରାଥମକିତା ଦେଇଆସିଛି । ଦଳର ପ୍ରଦର୍ଶନ ଭିତ୍ତିରେ ଭୋଟ୍‌ ମାଗିବାକୁ ଘୋଷଣା କରିଥିବା ଆପ୍‌, ସେଥିରୁ ଓହରି ଯାଇ ନଥିଲା ଏବଂ ଅଯଥା ରାଜନୀତି ଏବଂ ବିବାଦରେ ନ ପଶି ସଠିକ୍‌ ରଣକୌଶଳ ଅବଲମ୍ବନ କରି କାର୍ଯ୍ୟ କରିଥିଲା ।

ମୋଟ ଭୋଟଦାତାଙ୍କ ମଧ୍ୟରୁ 14% ମୁସଲମାନ ଭୋଟଦାତା କେଜରିୱାଲଙ୍କୁ ସଂପୂର୍ଣ୍ଣ ସମର୍ଥନ ଦେଇଥିଲେ । 2017ର ପୌର ନିର୍ବାଚନ ଫଳାଫଳକୁ ଦେଖି ଆପ୍‌ ହୃଦୟଙ୍ଗମ କରିଥିଲା ଯେ ଦଳକୁ ଜାତୀୟସ୍ତର ପର୍ଯ୍ୟନ୍ତ ସଂପ୍ରସାରିତ କରିବାର ସୁଯୋଗ ନାହିଁ ଏବଂ ତେଣୁ ବ୍ୟାବହାରିକ ଓ ବାସ୍ତବବାଦୀ ହେବାକୁ ଦଳ ସ୍ଥିର କରିଥିଲା । ଏହି ଅନୁଭବ ଯୋଗୁଁ ହିଁ କେବଳ ଦିଲ୍ଲୀ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ କେଜରିୱାଲ ସ୍ଥିର କରିଥିଲେ ।

କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ପୃଥକ୍‌ ଭାବେ ଦର୍ଶାଇ ସୁପ୍ରିମକୋର୍ଟ ଦେଇଥିବା ସ୍ପଷ୍ଟ ରାୟ ଦୃଷ୍ଟିରୁ, 60,000 କୋଟି ଟଙ୍କାର ବଜେଟ୍‌ରେ ରାଜଧାନୀର ଅବସ୍ଥା ସୁଧାରିବା ଲାଗି କେଜରିୱାଲଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ବିଶ୍ବର 140ଟି ନଗର ତାଲିକାର 118ତମ ସ୍ଥାନରେ ଥିବା ଦିଲ୍ଲୀରେ ଜୀବନ ଧାରଣର ମାନବୃଦ୍ଧି ପାଇଁ କେଜରିୱାଲ ପ୍ରଶାସନ କିଭଳି କାମ କରିବ ତାହା ଦେଖିବାର କଥା, ଯାହାକି ସରକାର ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବ ।

ABOUT THE AUTHOR

...view details