ଅମରାବତୀ:ଅତି ଯତ୍ନ ଓ ଧୈର୍ଯ୍ୟର ସହ ଗୋଟିଏ ଗୋଟିଏ ଘାସ ସଂଗ୍ରହ କରୁଥିବା ବୃଦ୍ଧ ଜଣକ ହେଉଛନ୍ତି ମୋବା କୃଷ୍ଣମୂର୍ତ୍ତୀ। ବୟସ 70ରୁ ଅଧିକ ହେବ। ଯେତେବେଳେ ଆମେ ତାଙ୍କ ଅସାଧାରଣ କାରିଗରୀ ବିଷୟରେ ଜାଣିବାକୁ ଚେଷ୍ଟା କରି ତାଙ୍କ ନିକଟରେ ପହଞ୍ଚିଥିଲୁ, ନିଜ କାରିଗରୀ ପଛରେ ଥିବା ତାଙ୍କ ବିଚାରକୁ ଜାଣି ଆଶ୍ଚର୍ଯ୍ୟ ହେବା ସହ ଏକ ଖୁସି ମିଳିଥିଲା। ଗୋଟି ଗୋଟି ଘାସରୁ ସେ ଗୋଟିଏ ଶାଢ଼ୀ ବୁଣିବାକୁ ଯାଉଥିବା କଥା ଶୁଣିଲେ ଯେ କେହି ବି ଚକିତ ହେବା ସହ ତାଙ୍କ ପ୍ରଶଂସା ନକରି ରହି ପାରିବେ ନାହିଁ।
କୃଷ୍ଣମୂର୍ତ୍ତୀ ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲାର ପରଚୁରୁ ମଣ୍ଡଳ ବିରନ୍ନପାଳମରେ ରୁହନ୍ତି। ବାପାଙ୍କୁ ଚାଷକାର୍ଯ୍ୟରେ ସହଯୋଗ କରିବା ପାଇଁ ପଞ୍ଚମ ଶ୍ରେଣୀରୁ ହିଁ ସେ ପାଠପଢ଼ାରେ ଡୋରି ବାନ୍ଧି ଦେଇଥିଲେ। ସେବେଠୁ କୃଷ୍ଣମୂର୍ତ୍ତୀ ଚାଷ ଜମିରେ ଏକ ନୂଆ ଛାତ୍ର ଜୀବନ ଆରମ୍ଭ କଲେ। ଧିରେ ଧିରେ ଶୁଖିଲା ଘାସକୁ ନେଇ ସେ ବୁଣିବା ଆରମ୍ଭ କଲେ। ପ୍ରଥମେ ଗାଇ ବାନ୍ଧିବା ପାଇଁ ଦୌଡ଼ି ପରେ ହଣ୍ଟର ବେଲ୍ଟ ତିଆରି କରିବା କାରିଗରୀ ସେ ଶିକ୍ଷା ଲାଭ କଲେ । ଏହି କଳା ଓ କୌଶଳକୁ ନେଇ 70 ବର୍ଷ ବୟସରେ ସେ 6 ୟାର୍ଡର ଶାଢ଼ୀ ତିଆରି କରିଛନ୍ତି।
ପ୍ରଥମେ ପ୍ରଥମେ ସେ 36 /9 ଇଞ୍ଚ ଲମ୍ବା ଏକ ଚାଦର ତିଆରୀ କରିଥିଲେ। କିନ୍ତୁ ଏହା ଲୋକଙ୍କ ଉପରେ ଏତେଟା ପ୍ରଭାବ ପକାଇ ପାରିଲାନାହିଁ। ଏହାପରେ ପ୍ରକାଶମ ଜିଲ୍ଲାପାଳ ଏହି ଚାଦରଠାରୁ କିଛି ବଡ଼ ତିଆରି କରିବାକୁ ପରାମର୍ଶ ଦେଲେ। ଏହାପରେ ସେ 40 ଇଞ୍ଚ ଲମ୍ବା ଓ 20 ଇଞ୍ଚ ଚୌଡ଼ା ଏକ ସ୍କାର୍ଫ ବୁଣିଥିଲେ।
କୃଷ୍ଣମୂର୍ତ୍ତୀଙ୍କ କହିବା କଥା ହେଲା, ଭାରତୀୟ କଳା ଓ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଇବା ତାଙ୍କର ଲକ୍ଷ୍ୟ। ଶୁଖିଲା ଘାସ ବା ଧାନ ନଡ଼ାକୁ ନେଇ ସେ ପ୍ରଥମେ ଏକ ସ୍କାର୍ଫ ବୁଣିଥିଲେ। ସେ କେବଳ ସ୍କାର୍ଫରେ ସୀମିତ ରହିନଥିଲେ। ଏହାପରେ ସେ ଏକ ଶାଢ଼ୀ ବୁଣିଥିଲେ ଯାହା ଫଳରେ ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରି ପାରିଥିଲେ। ଏହି କାରିଗରୀ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସେ ପ୍ରଶଂସାର ପାତ୍ର ହୋଇଛନ୍ତି।