ବେଙ୍ଗାଲୁରୁ: ସରକାରଙ୍କ ଦ୍ବାରା ସ୍ଥିରୀକୃତ ମୂଲ୍ୟରେ ବାଲି କିଣିବା ପାଇଁ କର୍ଣ୍ଣାଟକ ସରକାର ଖୁବଶୀଘ୍ର ଲଞ୍ଚ କରିବାକୁ ୟାଉଛନ୍ତି ନୂଆ ଆପ୍ । ଏନେଇ ସରକାରୀ ଭାବେ କର୍ଣ୍ଣାଟର ଖଣି ଓ ଭୂସମ୍ପଦ ବିଭାଗ ମଙ୍ଗଳବାର ଘୋଷଣା କରାଯାଇଛି । ତେବେ ଏହି ଆପ୍ ଦ୍ବାରା କର୍ଣ୍ଣାଟକର ଯେକୌଣସି ସ୍ଥାନରେ ଥାଇ ଲୋକେ ବାଲି ଅର୍ଡର କରିପାରିବେ । ସରକାର ଏହି ବାଲିର ମୂଲ୍ୟ ଓ ଏହାର ଟ୍ରାନ୍ସପୋର୍ଟେସନ ଖର୍ଚ୍ଚ ନିଜେ ନିର୍ଦ୍ଧାରିତ କରିବେ ।
ଏହି ଆପ୍ର ନାମ ‘ମାରାଲୁ ମିତ୍ରା’ ରହିବ । ଏହା ଆଗାମୀ ତିନି ମାସରେ ଲଞ୍ଚ ହେବା ନେଇ ସ୍ପଷ୍ଟ ହୋଇଛି । ଏହି ଆପ୍ ଜରିଆରେ ଲୋକେ କେଉଁ ବ୍ଲକରୁ ବାଲି କିଣୁଛନ୍ତି ତାହା ଜାଣିବା ସହ, ବାଲିର ମାତ୍ରା ଓ ଏହାର ଗୁଣବତ୍ତା ମଧ୍ୟ ଜାଣିପାରିବେ । ଏଥିପାଇଁ ଟ୍ରାନ୍ସପୋର୍ଟର ଓ ଗ୍ରାହକ ଉଭୟଙ୍କୁ ଆପ୍ରେ ନିଜକୁ ରେଜିଷ୍ଟର କରିବାକୁ ହେବ । ତେବେ ଏହି ଆପ୍ କେତେ ସଫଳ ହେବ ତାହାକୁ ନେଇ ଖଣି ବିଭାଗ ଛୋଟ ଆକାରରେ ପରୀକ୍ଷା ଆରମ୍ଭ କରିଛି । ଯାହାର ସଫଳତା ଆଧାରରେ ଏହାର ଆଗାମୀ ରୂପରେଖ ନିର୍ଦ୍ଧାରଣ ହେବ ।