2019 ଅଗଷ୍ଟ 4 ତାରିଖ ଦିନ ଜାମ୍ମୁ ଓ କାଶ୍ମୀରରେ ଟେଲି ଯୋଗାଯୋଗ ଓ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଲେ । ହଠାତ୍, ପ୍ରାୟ ଏକ କୋଟି ଲୋକ, ଅନ୍ଲାଇନ୍ରେ ସେମାନଙ୍କର ଭାବ ପ୍ରକାଶନ ଏବଂ ସହଭାଗିତାର ମୌଳିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଲେ ।
ସଫ୍ଟୱେୟାର ସ୍ବାଧିନତା ଆଇନ ଅନୁସାରେ, କେନ୍ଦ୍ରର ଇଣ୍ଟରନେଟ୍ ଶଟ୍ଡାଉନ୍ ଟ୍ରାକର୍,ଗତ 7 ବର୍ଷ ଭିତରେ ଜାମ୍ମୁ ଓ କାଶ୍ମୀରରେ ଆଂଶିକ ଏବଂ ସଂପୂର୍ଣ୍ଣ ଭାବେ 180 ଥର ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା କଥା ରେକର୍ଡ କରିଛି ।ଏହି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସୂଚାଇ ଦିଏ ଯେ ରାଜ୍ୟରେ ଯୋଗାଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ଏକ ସାଧାରଣ କଥା । ହେଲେ ଏକ ଗଣତାନ୍ତ୍ରିକ ଦେଶରେ ସର୍ବାଧିକ କାଳ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ନିର୍ଦ୍ଦେଶ ବଳବତ୍ତର ଥିବା ଅବଧି ଭିତରକୁ ସେମାନେ ପ୍ରବେଶ କରୁଛନ୍ତି ବୋଲି ବୋଧହୁଏ କାଶ୍ମୀରର ଲୋକେ କେବେ ହେଲେ ଭାବି ପାରି ନଥିଲେ ।
ଏକଥା ଅଛପା ନୁହେଁ ଯେ, ଗଣତାନ୍ତ୍ରିକ ଯୋଗଦାନ କ୍ଷେତ୍ରରେ ଇଣ୍ଟରନେଟ୍ ଏକ ପ୍ରୟୋଜନୀୟ ସାଧନରେ ପରିଣତ ହୋଇଛି । ନେଟୱାର୍କ ଭିତ୍ତିଭୂମିର ଅଭାବ, ଉଭୟ ସାମାଜିକ ଓ ଅର୍ଥନୈତିକ ହାନିର କାରଣ ହୋଇଥାଏ: ଛାତ୍ରଛାତ୍ରୀ ଗୁରୁତ୍ବପୂର୍ଣ୍ଣ ଶିକ୍ଷାଗତ ସାଧନ ପାଇପାରନ୍ତି ନାହିଁ, ହସ୍ପିଟାଲ ଏବଂ ଜରୁରୀକାଳୀନ ସେବା ପ୍ରଶାସନିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ଏବଂ ସ୍ଥାନୀୟ ବ୍ୟବସାୟ ଭୁଶୁଡ଼ିବା ଅବସ୍ଥାକୁ ଆସିଯାଇପାରେ ।
ନିକଟରେ ଶିକ୍ଷାବିତ୍ ଜାଁ ରିଜାକ୍ଙ୍କ ଏକ ଅନୁଶୀଳନରେ ଦର୍ଶାଯାଇଛି ଯେ, ଇଣ୍ଟରନେଟ୍ ବନ୍ଦ କରି ଦେବା ଫଳରେ ହୁଏତ ସାଧାରଣ ଜୀବନରେ ଶୃଙ୍ଖଳା ଏବଂ ଶାନ୍ତି ସ୍ଥାପନ କରାଯାଇ ନପାରେ । ହେଲେ ସରକାର ସେଇ କଥା କହିଆସୁଛନ୍ତି । ରିଜାକ୍ ଯୁକ୍ତି କରନ୍ତି ଯେ, ଇଣ୍ଟରନେଟ୍ ସୁବିଧା ଦ୍ବାରା ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ ଲାଗି ବିଭିନ୍ନ ସଂସ୍ଥା ମଧ୍ୟରେ ଆବଶ୍ୟକ ବ୍ୟାପକ ସମନ୍ବୟ ବଜାୟ ରହେ । ଇଣ୍ଟରନେଟ୍ ବନ୍ଦ କରିବା ଦ୍ବାରା ହୁଏତ ହିଂସାତ୍ମକ ଆନ୍ଦୋଳନକୁ ରୋକାଯିବା ପରିବର୍ତ୍ତେ ଏହାକୁ ଅଧିକ ଖୋରାକ ମିଳିପାରେ ।
ଅନ୍ୟାନ୍ୟ ସରକାରୀ କାର୍ଯ୍ୟାନୁଷ୍ଠାନ ସହିତ ଯେତେବେଳେ ଇଣ୍ଟରନେଟ୍ ବନ୍ଦ କରିଦିଆଗଲା, କାଶ୍ମୀରି ଟାଇମ୍ସର ସମ୍ପାଦକ ଅନୁରାଧା ଭାସିନ୍ ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିବାର ବିଭିନ୍ନ ଆଇନଗତ ଦିଗ ଉପରେ ବିଚାର କରିବା ଲାଗି କୋର୍ଟରେ ଏକ ଅବସର ସୃଷ୍ଟି ହେଲା ।ଏହି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ନାଗରିକ ସମାଜର ଉଦ୍ବେଗକୁ ଗୁରୁତର ବୋଲି ମନେ କରାଗଲା, କାରଣ, ସରକାର ବିଫଳ ହୋଇଥିଲେ । ଆଇନରେ ଥିବା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଏଡ଼ାଇ ଯାଇ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପ୍ରକାଶ କରିବାରେ କିମ୍ବା ଅଦାଲତରେ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ ।
ଏ ବର୍ଷ ଜାନୁଆରୀ 10 ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ଚୂଡ଼ାନ୍ତ ନିର୍ଦ୍ଦେଶରେ, କୋର୍ଟ ମୌଳିକ ସାମ୍ବିଧାନିକ ନୀତିକୁ ସ୍ବୀକାର କରିବା ସହିତ ଭବିଷ୍ୟତରେ ଏଭଳି ମାମଲା ଲାଗି ଏକ ପ୍ରଗତିଶୀଳ ପରମ୍ପରା ସୃଷ୍ଟି କରିଥିଲେ । ପ୍ରଥମ ଏବଂ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, କୋର୍ଟ ଗ୍ରହଣ କରିନେଲେ ଯେ, “ଧାରା-19ଅନୁସାରେ ଇଣ୍ଟରନେଟ୍ ମାଧ୍ୟମରେ ବାକ୍ ଏବଂ ମତପ୍ରକାଶର ସ୍ବାଧୀନତା ଏବଂ ଯେକୌଣସି ପେସା କିମ୍ବା ଯେ କୌଣସି ଜୀବିକା ଗ୍ରହଣ କରିବାର ଅଧିକାରକୁ ସମ୍ବିଧାନ ସୁରକ୍ଷା ପ୍ରଦାନ କରେ ।”
ଦ୍ବିତୀୟରେ, ଅଦାଲତ ଗ୍ରହଣ କରିନେଲେ ଯେ, ଇଣ୍ଟରନେଟ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ, ପ୍ରତି ସପ୍ତାହରେ କାର୍ଯ୍ୟପାଳିକା ଏହାର ସମୀକ୍ଷା କରିବା ଦରକାର ଏବଂ ଏଭଳି ନିର୍ଦ୍ଦେଶ ନ୍ୟାୟିକ ସମୀକ୍ଷାର ପରିସରଭୁକ୍ତ ହୋଇପାରେ । ହୁଏତ ଏହା ଦ୍ବାରା ଭବିଷ୍ୟତରେ ଇଣ୍ଟରନେଟ୍ ବନ୍ଦ କରିବା ନିର୍ଦ୍ଦେଶକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଅଦାଲତରେ ଚ୍ୟାଲେଞ୍ଜ କରିବା ଲାଗି ସୁପ୍ରିମ କୋର୍ଟ ବାଟ ବତାଇ ଦେଲେ । ହେଲେ, ଅନେକ ବୁଦ୍ଧିଜୀବୀଙ୍କ ମତରେ, ଏହି ମାମଲାରେ କେବଳ କେତେକ ଜରୁରୀକାଳୀନ ସେବା ଚାଲୁ କରିବା ଲାଗି ନିର୍ଦ୍ଦେଶ ଦେବା ବ୍ୟତୀତ, କାଶ୍ମୀରର ନାଗରିକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବାରେ ଅଦାଲତ ସଂପୂର୍ଣ୍ଣ ସଫଳ ହେଲେ ନାହିଁ ।
ସୁପ୍ରିମ କୋର୍ଟ ଏହି ରାୟ ଦେବା ପରେ ପରେ, 2ଜି ଇଣ୍ଟରନେଟ୍ ସେବା ଚାଲୁ କରିବା ଲାଗି ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଜମ୍ମୁ କଶ୍ମୀରର ସରକାର ନିର୍ଦ୍ଦେଶ ଦେଲେ, ହେଲେ କେବଳ 301ଟି ୱେବ୍ସାଇଟ୍ କାର୍ଯ୍ୟକ୍ଷମ କରିବା ଲାଗି ଅନୁମତି ଦେଲେ ।ଏହା ସତ ଯେ, ଏହି ତାଲିକାରେ ଥିବା ସେବାଗୁଡ଼ିକୁ ମନଇଚ୍ଛା ସାମିଲ କରାଯାଇଥିଲା କିମ୍ବା ବାଦ ଦିଆଯାଇଥିଲା । ଉଲ୍ଳେଖନୀୟ ଭାବେ ଅନେକ ବୃହତ୍ ଯୋଗାଯୋଗ ସେବା ଏଥିରେ ସ୍ଥାନ ପାଇନଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆପଣ ଯେତେବେଳେ ଇଣ୍ଟରନେଟ୍ କିମ୍ବା ଏହାର ପରିଚାଳନା କରୁଥିବା ନିୟମାବଳୀ ବିଚାରକୁ ନିଅନ୍ତି, ଏହି ‘ଇଣ୍ଟରନେଟ୍ ନିୟମାବଳୀ’ ଅର୍ଥହୀନ ଭଳି ମନେହୁଏ ।
ବୈଷୟିକ ଦୃଷ୍ଟିକୋଣରୁ, ଆଧୁନିକ ୱେବ୍ କାର୍ଯ୍ୟକାରିତାକୁ ଏହି ନିୟମାବଳୀ ସମ୍ପୂର୍ଣ୍ଣ ଭାବେ ଭୁଲ୍ ବୁଝିଥିବା ମନେହୁଏ । ଯେତେବେଳେ ଜଣେ ଗୋଟିଏ ୱେବ୍ସାଇଟ୍କୁ ସଂଯୋଗ କରନ୍ତି, ସେହି ୱେବ୍ସାଇଟ୍ ଅନ୍ୟ ସର୍ଭରରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ତାଙ୍କ କମ୍ପ୍ୟୁଟରରେ ଡାଉନ୍ଲୋଡ୍ କରିଥାଏ । ଯଦି ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା କେବଳ ନିର୍ଦ୍ଦିଷ୍ଟ କେତେକ ୱେବ୍ସାଇଟ୍ ଖୋଲିବାକୁ ଅନୁମତି ଦିଅନ୍ତି, ହ୍ବାଇଟ୍ଲିଷ୍ଟ୍ରେ ନଥିବା ଅନ୍ୟ ସୂତ୍ରରୁ କୌଣସି ତଥ୍ୟ ବା ବିଷୟବସ୍ତୁ ମିଳିପାରେ ନାହିଁ । ନିକଟରେ ରୋହିଣୀ ଲକ୍ଷାନେ ଏବଂ ପ୍ରତୀକ ୱାଘରେଙ୍କ ଏକ ପରୀକ୍ଷଣରୁ ଏହା ପ୍ରୟୋଗାତ୍ମକ ଭାବେ ସ୍ଥାପିତ ହୁଏ: ଅନୁମତି ମିଳିଥିବା 301 ୱେବ୍ସାଇଟ୍ରୁ ମାତ୍ର 126ଟି ୱେବ୍ସାଇଟ୍ କୌଣସି ପ୍ରକାରେ ବ୍ୟବହାରଯୋଗ୍ୟ ହୋଇପାରିଛି ।
ଏହି ନିର୍ଦ୍ଦେଶନାମା ବସ୍ତୁତଃ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରୁ ଉଦ୍ଧୃତ ବୋଲି ମନେ ହେଉଥିଲେ ହେଁ ଏହି ନିର୍ଦ୍ଦେଶର ପର୍ଯ୍ୟାପ୍ତ ବୈଧାନିକ ଭିତ୍ତି ନାହିଁ । ଏହି ନିର୍ଦ୍ଦେଶନାମା 2017 ମସିହାର ଔପନିବେଶିକ ଯୁଗରେ ପ୍ରଣୀତ ଭାରତୀୟ ଟେଲିଗ୍ରାଫ ଆଇନରେ ଥିବା ଟେଲିକମ୍ ସେବାର ଅସ୍ଥାୟୀ ନିଲମ୍ବନ (ସର୍ବସାଧାରଣ ଜରୁରୀକାଳୀନ ସ୍ଥିତି କିମ୍ବା ସର୍ବସାଧାରଣ ସୁରକ୍ଷା) ଆଇନର ଅବତାରଣା କରେ । ଏହି ନିୟମାବଳୀ ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖିବା ଲାଗି ସରକାରଙ୍କୁ ଅନୁମତି ପ୍ରଦାନ କରେ ସତ, ହେଲେ ବର୍ତ୍ତମାନ ନିର୍ଦ୍ଦେଶରେ ଥିବା ଭଳି ‘ହ୍ବାଇଟ୍ଲିଷ୍ଟ’କୁ ଅନୁମତି ପ୍ରଦାନ ବ୍ୟବସ୍ଥା ଏଥିରେ ନାହିଁ । ଇନ୍ଫର୍ମେସନ ଟେକ୍ନୋଲୋଜି (ଆଇଟି) ଆଇନର 69ଏ ବିଭାଗ ଜରିଆରେ କେନ୍ଦ୍ର ସରକାର ଏବଂ କୋର୍ଟ କେତେକ ୱେବ୍ସାଇଟ୍କୁ ଅବରୋଧ କରିବା ଲାଗି ଆଦେଶ ଦେଇପାରିବେ । ଏମିତି କି ସରକାରଙ୍କ ଦ୍ବାରା ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଜାରି କରାଯାଉଥିବା ଲାଇସେନ୍ସ ରାଜିନାମା ଅନୁସାରେ କେବଳ ଜାତୀୟ ସୁରକ୍ଷା ଭିତ୍ତିରେ ସରକାର କେତେକ ଅନ୍ଲାଇନ୍ ସାଧନ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇପାରିବେ । ସୁତରାଂ, ୱେବ୍ସାଇଟ୍ଗୁଡ଼ିକର ‘ହ୍ବାଇଟ୍ଲିଷ୍ଟ୍’ କରିବା ନିର୍ଦ୍ଦେଶର ଆଇନଗତ ଭିତ୍ତି ନାହିଁ କାରଣ ଏହା ୱେବ୍ସାଇଟ୍ ଅବରୋଧ ପଛରେ ଥିବା ତର୍କକୁ ଓଲଟାଇ ଦେଇପାରେ ।
ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱର୍କସ୍ (ଭିପିଏନ୍) ବ୍ୟବହାର କରି କେତେକ କାଶ୍ମୀର ବାସିନ୍ଦା ‘ହ୍ବାଇଟ୍ଲିଷ୍ଟ’କୁ ଏଡ଼ାଇ ଯିବାର ଉପାୟ ଖୋଜି ବାହାର କରିବା ପରେ ଏଭଳି ଆପ୍ଲିକେସନ୍କୁ ଅନ୍ଇନ୍ଷ୍ଟଲ୍ କରି ବାହାର କରିବା ଲାଗି ସୁରକ୍ଷା ବଳ ପକ୍ଷରୁ କାଶ୍ମୀର ବାସିନ୍ଦାଙ୍କୁ ବାଧ୍ୟ କରାଯାଉଥିଲା ବୋଲି କେତେକ ରିପୋର୍ଟରେ ପ୍ରକାଶ ପାଇଲା । ଅବଶ୍ୟ,ଏହା ସତ ଯେ, ଭିପିଏନ୍ ବ୍ୟବହାରକୁ ରୋକିବା ଲାଗି କିମ୍ବା ସାଧାରଣ ଅର୍ଥରେ ଇଣ୍ଟରନେଟ୍ ବ୍ୟବହାର କଟକଣାକୁ ଅତିକ୍ରମ କରିବାର ପ୍ରତିରୋଧ ଲାଗି କୌଣସି ଆଇନ ନ ଥିବା ବେଳେ ଏ ସବୁ କରାଯାଉଥିଲା ।
କାଶ୍ମୀରରେ ଇଣ୍ଟରନେଟ୍ ଏବଂ ଟେଲିକମ୍ ସେବା ବନ୍ଦ ହେବାର ପ୍ରାୟ ସାତ ମାସ ବିତିଗଲାଣି । କାଶ୍ମୀରବାସୀଙ୍କୁ ଦୀର୍ଘକାଳ ପାଇଁ ମୌଳିକ ଅଧିକାରରୁ ବଞ୍ଚିତ କରିବାର ଏହି ଭୁଲକୁ, ବୋଧହୁଏ ଭବିଷ୍ୟତ ବି ସୁଧାରି ପାରିବ ନାହିଁ । ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାର ମାସ ମାସ ପରେ ବି ସରକାର କେବଳ ସୀମିତ ଓ ଆଂଶିକ ଇଣ୍ଟରନେଟ୍ ସେବା ପ୍ରଦାନ ଅନୁମତିକୁ ସଂଶୋଧନ କରି ଆହୁରି ଉତ୍ତମ ବ୍ୟବସ୍ଥା କରିପାରିବେ । ଆମେ ପରବର୍ତ୍ତୀ ଦଶନ୍ଧି ଦିଗରେ ଅଗ୍ରସର ହେଉଥିବା ବେଳେ ଆମ ଉପରେ ସାରା ବିଶ୍ବର ନଜର ରହିଛି । ଯେଉଁମାନେ ପ୍ରଥା ପାଳନ ଢଙ୍ଗରେ‘ସର୍ବସାଧାରଣ ବ୍ୟବସ୍ଥା’ ଏବଂ ‘ଜାତୀୟ ସୁରକ୍ଷା’ର ମନ୍ତ୍ରପାଠ କରି ନାଗରିକ ସ୍ବାଧୀନତାର ଗତିରୋଧ କରୁଛନ୍ତି, ସେମାନଙ୍କ ପ୍ରତି ଇତିହାସ କଦାପି ସଦୟ ହେବ ନାହିଁ ।
ଗୁରଶବଦ ଗ୍ରୋଭର, ସେଣ୍ଟର ଫର୍ ଇଣ୍ଟରନେଟ୍ ଆଣ୍ଡ ସୋସାଇଟି ପରିଚାଳିତ ମତପ୍ରକାଶ ସ୍ବାଧୀନତା ଟିମ୍ର ଆଇନଗତ ଏବଂ ବୈଷୟିକ ଗବେଷଣା ପରିଚାଳନା କରନ୍ତି । ସମସ୍ତ ମତାମତ ବ୍ୟକ୍ତିଗତ ।