ନୂଆଦିଲ୍ଲୀ: ଆବର୍ଜନାରୁ ହେବ ବିଦ୍ୟୁତ ଉତ୍ପାଦନ। ଦିଲ୍ଲୀର ଗାଜିପୁରରେ 15ଶହ ୟୁନିଟରେ ଏଭଳି ଏକ ପ୍ଲାଣ୍ଟର ଶୁଭାରମ୍ଭ ହୋଇଛି। ଏହି ପ୍ରକ୍ରିୟା ଦ୍ବାରା ପରିବେଶକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ନିର୍ଗତ ହେବାକୁ ଥିବା ବର୍ଯ୍ୟବସ୍ତୁ କମ୍ପୋଷ୍ଟ ଭଳି ବ୍ୟବହାର କରି ପାରିବେ ଲୋକେ।
ଆବର୍ଜନା ପରିଚାଳନା ଦିଲ୍ଲୀ ପାଇଁ ଏକ ବଡ଼ ସମସ୍ୟା ରହି ଆସିଛି। ଦିଲ୍ଲୀ ପାଇଁ ସବୁବେଳେ ଏହା ଏକ ଚର୍ଚ୍ଚାର ବିଷୟ ରହି ଆସିଛି। ବିଭିନ୍ନ ନିର୍ବାଚନରେ ଏହାକୁ ନେଇ ରାଜନୀତି ମଧ୍ୟ ହୋଇ ଆସିଛି। ଦିଲ୍ଲୀରେ ଆବର୍ଜନା ପରିଚାଳନା କଥା ଉଠିଲେ ପୂର୍ବ ଦିଲ୍ଲୀର ଗାଜିପୁର ଅଞ୍ଚଳ କଥା ଚର୍ଚ୍ଚା ହୋଇଥାଏ। ତେବେ ଏହି ଅଞ୍ଚଳରେ ପାହାଡ଼ ଭଳି ଜମା ହେଉଥିବା ଆବର୍ଜନା ସାମ୍ନାରେ ଏକ ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହୋଇଛି। ଆବର୍ଜନାକୁ ବ୍ୟବହାର କରି ଏହି ପ୍ଲାଣ୍ଟ ବିଦ୍ୟୁତ ଉତ୍ପାଦନ କରିବ। ଗତ ଅକ୍ଟୋବର 27 ତାରିଖ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ଏହି ପ୍ଲାଣ୍ଟ ଜରିଆରେ ଦିନକରେ 15ଟନ ଆବର୍ଜନା ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରି ପାରିବ। ଏହାଦ୍ବାରା 15ଶହ ୟୁନିଟ ବିଦ୍ୟୁତ ଉତ୍ପାଦନ ହୋଇ ପାରିବ। ଏହି ବିଦ୍ୟୁତକୁ ଗ୍ରୀଡକୁ ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି। ଏହି ପ୍ଲାଣ୍ଟରେ ଭାଭା ଆଟୋମିକ ସେଣ୍ଟର ଟେକ୍ନୋଲୋଜିର ବ୍ୟବହାର ହୋଇଛି। ଏହାଦ୍ବାରା ପ୍ଲାଣ୍ଟରୁ କୌଣସି ପ୍ରକାର ପ୍ରଦୂଷଣ ନିର୍ଗତ ହେବନାହିଁ। ଏଥିରୁ ନିର୍ଗତ ହେଉଥିବା ଆବର୍ଜନାକୁ କମ୍ପୋଷ୍ଟ ଭାବରେ ବ୍ୟବହାର କରାଯାଇପାରିବ। ଏହାକୁ ସ୍ଥାନୟୀ ଚାଷୀଙ୍କୁ ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।