ଆଉ କିଛି ଘଣ୍ଟା ଭିତରେ ଦିଲ୍ଲୀ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଯିବ। ସବୁ ଆଶା ଓ ଆଶଙ୍କାର ଅନ୍ତ ହେବ। ଯଦି ଏହି ନିର୍ବାଚନ ଫଳାଫଳ ଏକ୍ଜିଟ ପୋଲ୍ ହିସାବରେ ଚାଲେ, ଅର୍ଥାତ୍ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ଵାଧୀନ ଆମ୍ ଆଦ୍ମୀ ପାର୍ଟି (ଆପ୍) ଆଡକୁ ଜନମତ ଢଳେ ଏବଂ ସେ ପୁଣି ଥରେ ସରକାର ଗଠନ କରିବାକୁ ପୂର୍ଣ୍ଣ ବହୁମତ ପାଆନ୍ତି ତେବେ ଏହା ବିଜେପି ପାଇଁ ଏକ ଶକ୍ତ ଧକ୍କା ହେବ ।
ଅପରପକ୍ଷେ ଦିଲ୍ଲୀ ନିର୍ବାଚନ ଫଳାଫଳରୁ ବିଜେପି ସାରା ଦେଶର ଜନମତକୁ ଚିହ୍ନିବା ଆବଶ୍ୟକ ରହିଛି । କାରଣ ଯେଉଁ ନୂଆ ନାଗରିକତ୍ଵ ଆଇନ ଏବଂ ଜାତୀୟ ନାଗରିକତ୍ଵ ପଞ୍ଜିକାକୁ ନେଇ ଏବେ ସାରା ଦେଶରେ ରାଜନୀତିକ ବାତାବରଣ ସରଗରମ ରହିଛି, ତାହାର ଏକ ନିର୍ବାଚନୀ ପରୀକ୍ଷାଗାର ଦିଲ୍ଲୀରେ ହିଁ ହୋଇଥିଲା । ଏଣୁ ଯଦି ଏହି ପରୀକ୍ଷାରେ ଅସଫଳତା ମିଳେ ତେବେ ବିଜେପି ସେହି ନୀତିକୁ ପୁଣିଥରେ ସମୀକ୍ଷା କରିବା ଉଚିତ୍ ହେବ । ଦେଶର ପ୍ରତି ପ୍ରାନ୍ତରେ ଏହି ଦୁଇ ନୂଆ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା, ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳୁଛି । ଏଣୁ କେନ୍ଦ୍ରର ବିଜେପି ସରକାର ଏ ଦିଗରେ ଆଉଥରେ ଧ୍ୟାନ ଦେବାକୁ ହେବ ।
ଦିଲ୍ଲୀ ନିର୍ବାଚନ ପୃଷ୍ଠଭୂମିରେ ବିଜେପିର ପ୍ରବେଶ ପୂର୍ବରୁ ଦିଲ୍ଲୀର ମତଦାତା ଆପ୍ ଆଡ଼କୁ ଢଳିଥିଲେ । ଏପରିକି ନିର୍ବାଚନ ସମୀକ୍ଷକଙ୍କଠୁ ଆରମ୍ଭ କରି ଗଣମାଧ୍ୟମରେ ମଧ୍ୟ ଆପ୍ର ବିଜୟ ନିଶ୍ଚିତ ବୋଲି ଚର୍ଚା ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଉଭୟ ନରେନ୍ଦ୍ର ମୋଦି ଏବଂ ବିଜେପି ସମର୍ଥକଙ୍କୁ ଏହା ପଚାରୁଥିଲେ ଯେ, ସେ କ’ଣ ଏକ ଭଲ ରାଜଧାନୀ ତାଙ୍କ ଶାସନ କାଳ ଭିତରେ ପ୍ରଦାନ କରି ନାହାନ୍ତି? ବିଗତ ପାଞ୍ଚ ବର୍ଷର ଶାସନକୁ ସମୀକ୍ଷା କଲେ ଏହା ଜଣାଯାଏ ଯେ, କେଜ୍ରିୱାଲ୍ ସବୁ ନହେଲେ ବି ଅନେକ ପ୍ରତିଶୃତିକୁ ବାସ୍ତବରେ ପରିଣତ କରିଛନ୍ତି । ତାଙ୍କର ଶାସନକୁ ଆସିବା ପରେ ଦିଲ୍ଲୀରେ ବିଜୁଳି ଓ ପାଣି ମାଗଣା ହୋଇପାରିଛି, ଦୁର୍ନୀତି ଅନେକାଂଶରେ କମିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋହଲ୍ଲା କ୍ଲିନିକ୍ ଖୋଲିବା ସହ ଗରିବ ଲୋକମାନଙ୍କ ଲାଗି ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ମାଗଣା କରାଇଛନ୍ତି । ଏମିତିକି ଦିଲ୍ଲୀର ହସ୍ପିଟାଲରେ ହାର୍ଟ ସର୍ଜରୀ ବି ମାଗଣା ହୋଇପାରିଛି ।
ଦିଲ୍ଲୀ ନିର୍ବାଚନ ଲାଗି ଯଥେଷ୍ଟ ଶିଥିଳ ଥିବା ବିଜେପି ନିର୍ବାଚନର ମାତ୍ର ପନ୍ଦର ଦିନ ପୂର୍ବରୁ ହଠାତ୍ କ୍ରୀୟାଶୀଳ ହୋଇଥିଲା । ଏଣୁ ଦଳ ନିଦରୁ ଉଠିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବାସ୍ତବରେ ଦେଖିବାକୁ କଲେ ନିର୍ବାଚନ ପ୍ରଚାରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରବେଶ ଫଳରେ ବିଜେପିର ଅସ୍ତିତ୍ଵ ଅନୁଭବ ହେଲା । କିନ୍ତୁ ଯେଉଁ ନିର୍ବାଚନ ଭାଷଣ ଏବଂ କାର୍ଯ୍ୟକ୍ରମରେ ସେ ଯୋଗ ଦଲେ ସେଠାର ପ୍ରଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବଦଳିଗଲା । ବୋଧହୁଏ ଏତେ ପରିମାଣର ବିଷ ତଥା ଘୃଣା ଦେଶର ଅନ୍ୟ କୌଣସି ପ୍ରାନ୍ତରେ ବ୍ୟବହାର ହୋଇ ନାହିଁ । ଶାହୀନବାଗରେ ଚାଲିଥିବା ଆନ୍ଦୋଳନରେ ପ୍ରତିକ୍ରିୟା ପ୍ରକାଶ କରି ଅମିତ ଶାହ ବିଜେପି କର୍ମୀଙ୍କୁ ଭୋଟରଙ୍କ ମତକୁ ନିଜ ଆଡ଼କୁ ଆକର୍ଷଣ କରିବାକୁ ଆହ୍ବାନ ଦେଇଥିଲେ । ଭୋଟର ଏହିପରି ପ୍ରଭାବିତ ହୋଇ ଭୋଟିଂ ମେସିନ୍ରେ ବିଜେପି ଚିହ୍ନକୁ ଭୋଟର ଟିପିବା ଦରକାର ଯାହାର କମ୍ପନ ଶାହୀନ ବାଗ୍ରେ ଗୁଞ୍ଜନ ହେବ । ସେଥିପ୍ରତି ସଚେତନ ରହିବାକୁ ସେ କହିଥିଲେ ।
ବିଜେପି ମୁଖିଆଙ୍କଠାରୁ ଏହିପରି ଉତ୍ତେଜକ ଭାଷଣ ଶୁଣିଲା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପ୍ରବେଶ ବର୍ମା ମଧ୍ୟ ସମାନ ଭାବେ ଲୋକଙ୍କୁ ହିଂସା ଆଡ଼କୁ ମୁହାଁଇବାକୁ ଚେଷ୍ଟା କରିଥିଲେ । ଶାହୀନ ବାଗ୍ରେ ବସିଥିବା ଆନ୍ଦୋଳନକାରୀମାନେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ । ସେମାନଙ୍କୁ ଷଡଯନ୍ତ୍ରକାରୀ ବୋଲି ଆଖ୍ୟା ଦେଇ ସେମାନଙ୍କୁ ଗୁଳି ମାରିଦେବା ଆବଶ୍ୟକ ବୋଲି ବି କହିଥିଲେ । ଏହାପରେ ସାଂସଦ ବର୍ମା ଏହି ଆନ୍ଦୋଳନକାରୀମାନେ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛନ୍ତି ସେଥିରୁ ଆଶଙ୍କା କରାଯାଉଛି ଯେ ସେମାନେ ସ୍ଥାନୀୟ ଅଞ୍ଚଳର ଘରେ ପ୍ରବେଶ କରି ଲୋକଙ୍କୁ ଦୁଷ୍କର୍ମବି କରି ଦେଇପାରନ୍ତି! ଯଦିଓ ସେ ଜାଣିଥିଲେ ଯେ, ଶାହୀନ ବାଗ୍ରେ ଥିବା ଆନ୍ଦୋଳନକାରୀମାନେ ସଭିଏଁ ହେଉଛନ୍ତି ମହିଳା, ଆଉ ଏପରି ଉକ୍ତିର କୌଣସି ପ୍ରାସଙ୍ଗିକତା ନାହିଁ, କିନ୍ତୁ ଏହିଭଳି ଉତ୍ତେଜକ ଭାଷଣ ବିଜେପି କର୍ମୀଙ୍କୁ ହିଂସା ଆଡ଼କୁ ମୁହାଁଇଥିଲା । ଶାହୀନ ବାଗ୍ ଏବଂ ଜାମିଆ ନଗରରେ ଗୁଳିଚାଳନା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଯୁବକ ବିଜେପି କର୍ମୀ ବୋଲି ଜଣାପଡ଼ିଥିଲା । ଯଦିଓ ଏହି ଗୁଳିକାଣ୍ଡରେ କେହି ଆହତ ହୋଇ ନାହାନ୍ତି କିନ୍ତୁ ତାହା ଲୋକଙ୍କୁ ଧମକାଇବାକୁ ଉଦ୍ଦିଷ୍ଟ ଥିଲା ।