ଭୋପାଳ:କଥାରେ ଅଛି ଆପଣଙ୍କ ମଧ୍ୟରେ କିଛି କରିବାର ସାମର୍ଥ୍ୟ ଥିଲେ ସମସ୍ୟା ଆପଣଙ୍କ ଆଗରେ ନତମସ୍ତକ ହୋଇଥାଏ। ଏମିତି ହିଁ କିଛି କରି ଦେଖାଇଛନ୍ତି ଝାଡ଼ଖଣ୍ଡ ବାସିନ୍ଦା ଧନଞ୍ଜୟ ମାଝୀ। ଧନଞ୍ଜନୟ ଏକ ସ୍କୁଟିରେ ଗର୍ଭବତୀ ପତ୍ନୀଙ୍କ ପରୀକ୍ଷା ପାଇଁ ଝାଡ଼ଖଣ୍ଡରୁ 1200 କିମି ଯାତ୍ରା କରି ମଧ୍ୟପ୍ରଦେଶର ଗ୍ବାଲିୟରରେ ପହଞ୍ଚି ଥିଲେ।
ଝାଡ଼ଖଣ୍ଡ ଟୋଲା ଗାଁରେ ରହୁଥିବା ଧନଞ୍ଜୟଙ୍କ ପତ୍ନୀ ଅନିତା ବି.ଏଡ ଦ୍ବିତୀୟ ବର୍ଷର ଛାତ୍ରୀ। ଧନଞ୍ଜନ ଗୁଜରାଟରେ ରୋଷେୟା ଭାବରେ କାମ କରୁଥିଲେ। କିନ୍ତୁ ଲକଡାଉନ ଯୋଗୁଁ ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଲା। ସେହି ଦିନଠାରୁ ସେ ରୋଜଗାର ହରାଇ ବସିଛନ୍ତି।
ପତ୍ନୀଙ୍କ ପରୀକ୍ଷା ତାରିଖ ପାଖେଇ ଆସିଥୁଲା, ସେତେବେଳେ ସେ ବସରେ ଗ୍ବାଲିୟର ଯିବା ପାଇଁ ଭାବିଥିଲେ। ଘରୋଇ ବସ ସହ ଯୋଗାଯୋଗ କରିବାରେ ବସ ମାଲିକ ଜଣେ ଗ୍ରାହକଙ୍କ ପାଇଁ 15 ହଜାର ଟଙ୍କା ବସ ଭଡ଼ା ନେବେ ବୋଲି କହିଥିଲେ। ତେବେ ଧନଞ୍ଜୟ ଏତେ ଟଙ୍କା ଦେବାକୁ ସମର୍ଥ ନଥିଲେ। ଏଥିପାଇଁ ସେ ଏକ ଟ୍ରେନ ଟିକଟ ବୁକ କରିଥିଲେ। କିନ୍ତୁ ଠିକଣା ସମୟରେ ହିଁ ଟ୍ରେନ ବି ବାତିଲ ହେଲା। ଗ୍ବାଲିୟରରେ ପରୀକ୍ଷା ଦେବା ପାଇଁ ସମସ୍ତ ରାସ୍ତା ଯେମିତି ବନ୍ଦ ହୋଇଗଲା। ଏହାପରେ ଧନଞ୍ଜୟ ନିଜ ଉପରେ ଭରଷା କରି, 6 ମାସର ଗର୍ଭବତୀ ପତ୍ନୀଙ୍କୁ ନେଇ ଗ୍ବାଲିୟର ଯିବାକୁ ବାହାରି ପଡ଼ିଥିଲେ।
ଏହି ସମୟରେ ରାସ୍ତାରେ ପେଟ୍ରୋଲ ଓ ଖାଦ୍ୟ ମିଳିବା ଏକ ଚ୍ୟାଲେଞ୍ଜ ଥିଲା। ପତ୍ନୀ ଅନିତା ନିଜ ଗହଣା ବନ୍ଧା ପକାଇ ଏହି ସମସ୍ୟାର ସମାଧାନ କରିଥିଲେ।
ଗ୍ବାଆଲିୟରରେ ପହଞ୍ଚିବା ପରେ ଆଉ ଏକ ସମସ୍ୟା ଆସି ପହଞ୍ଚି ଥିଲା। ରହିବେ କେଉଁଠି, ପରୀକ୍ଷା ଦେବା ପରେ ଘରକୁ କେମିତି ଫେରିବେ ? ଏହି ସମୟରେ ଇଟିଭି ପ୍ରତିନିଧିଙ୍କ ସହ ଧନଞ୍ଜୟଙ୍କ ଦେଖା ହୁଏ। ଆମ ପ୍ରତିନିଧିତ ଦୁହିଁଙ୍କ ସମସ୍ୟା ଶୁଣିବା ସହ ଖବର ପ୍ରକାଶିତ କରିଥିଲେ। ଖବର ପ୍ରକାଶିତ ହେବାକ୍ଷଣୀ ଜିଲ୍ଲା ପ୍ରଶାସନ ଏହି ଦମ୍ପତ୍ତିଙ୍କୁ 50 ହଜାର ଟଙ୍କାର ଚେକ୍ ଦେଇଥିବା ବେଳେ କିଛି ସମାଜ ସେବୀ ସେମାନଙ୍କ ରହିବା ବ୍ୟବସ୍ଥା କରି ଦେଇଥିଲେ।