ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ବେଳେ ଦେଶରେ ଅନେକ ଗର୍ଭବତୀ ମଧ୍ୟ ଏହାର ଶିକାର ହୋଇଥିବା ଦେଖାଯାଇଛି । ଦିଲ୍ଲୀ ଏମ୍ସରେ ଶୁକ୍ରବାର ସନ୍ଧ୍ୟାରେ ଏପରି ଜଣେ ମହିଳା ସଫଳତାର ସହ ପ୍ରସବ କରିଛନ୍ତି । ଯାହାଙ୍କ ଗର୍ଭରୁ ଜନ୍ମ ନେଇଛି ଏକ ସୁସ୍ଥ ପୁତ୍ର ସନ୍ତାନ । ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି କି ଉଭୟ ମା’ ଓ ପୁତ୍ର ସୁସ୍ଥ ଅଛନ୍ତି ଏବଂ ନବଜନ୍ମିତ ଶିଶୁ ଦେହରେ ବର୍ତ୍ତମାନ ସୁଦ୍ଧା କୋରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ ।
ତେବେ ଶିଶୁଟିର କୋଭିଡ-19 ପରୀକ୍ଷା କରାଯିବ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ଏମ୍ସର ଅବଷ୍ଟେଷ୍ଟ୍ରିକ୍ସ ଓ ଗାଇନାକୋଲୋଜି ବିଭାବ ପ୍ରଫେସର ଡ଼ଃ ନୀରଜ ଭଟଲା କହିଛନ୍ତି କି ପ୍ରାରମ୍ଭିକ ସ୍ତରରେ ଶିଶୁଟିକୁ ଅବଜରଭେସନରେ ରଖାଯିବ । ଶିଶୁଟି ଦେହରେ କୋରୋନାର ଲକ୍ଷଣ ଅଛି କି ନାହିଁ, ତାହା ଅନୁଧ୍ୟାନ କରାଯିବ। ବର୍ତ୍ତମାନ ସୁଦ୍ଧା ଶିଶୁ ପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ରହିଛି ଏବଂ ନିର୍ଦ୍ଧାରିତ ସମୟର ସପ୍ତାହେ ପୂର୍ବରୁ ଜନ୍ମ ଗ୍ରହଣ କରିଛି ।
ସେପଟେ ଡାକ୍ତରଙ୍କ କହିବା ଅନୁଯାୟୀ ଜଣେ କୋରୋନା ପଜିଟିଭ ଗର୍ଭବତୀ ମହିଳାଙ୍କ ପ୍ରସବ ଘଟଣା ଦିଲ୍ଲୀରେ ପ୍ରଥମ । ମହିଳା ଜଣଙ୍କ ଦିଲ୍ଲୀ ଏମ୍ସର ଜଣେ ଫିସିଓଲୋଜିଷ୍ଟଙ୍କ ପତ୍ନୀ । ସମ୍ପୃକ୍ତ ଡାକ୍ତର ଜଣଙ୍କ କୋରୋନା ପଜିଟିଭି ଜଣା ପଡିବାର କିଛି ଦିନ ପରେ ତାଙ୍କ ପତ୍ନୀ ମଧ୍ୟ କୋରୋନା ପଜିଟିଭ ବୋଲି ଜଣା ପଡିଥିଲା । ସେତେବେଳକୁ ସେ 9 ମାସର ଗର୍ଭବତୀ ଥିଲେ ।