ଶ୍ରୀନଗର: ଏଣିକି ହସ୍ପିଟାଲ ଯିବାକୁ ଡଙ୍ଗା ନୁହେଁ ଆସିବ ଆମ୍ବୁଲାନ୍ସ ବୋଟ । ପ୍ରଥମ ଥର ଶ୍ରୀନଗରର ଡାଲ ହ୍ରଦରେ ଆରମ୍ଭ ହେବାକୁ ଯାଉଛି ଭାସମାନ ଆମ୍ବୁଲାନ୍ସ ସେବା । ଯାହାକୁ ନେଇ ଡାଲ ହ୍ରଦ ନିକଟରେ ବାସ କରୁଥିବା ହଜାର ହଜାର ଲୋକଙ୍କ ମନରେ ଭରି ଦେଇଛି ଅସୁମାରି ଆଶା । ଏପରି ଅଭିନବ ଚିନ୍ତାଧାର କରିଛନ୍ତି ଜଣେ ସମାଜସେବୀ ।
ଏହି ହ୍ରଦ ନିକଟରେ ବସବାସ କରୁଥିବା ଲୋକମାନେ ବିଭିନ୍ନ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ସମ୍ମୁଖୀନ ହୋଇଥାନ୍ତି । ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ପ୍ରଥମେ ଡଙ୍ଗାକୁ ଅପେକ୍ଷା କରିବାକୁ ପଡିଥାଏ, ପରେ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଏ । ତେବେ ରାତ୍ରୀ ସମୟରେ ବିଶେଷ ଅସୁବିଧା ଭୋଗିବାକୁ ପଡିଥାଏ ।
ଯାହାକୁ ନଜରରେ ରଖି ସମାଜସେବୀ ତାରିକ ଅହମ୍ମଦ ପାଟଲୋ ନାମକ ଏକ ବ୍ୟକ୍ତି ଆମ୍ବୁଲାନ୍ସ ବୋଟର ଚିନ୍ତା କରିଥିଲେ । ତାରିକ ଏହି ଡାଲ ହ୍ରଦ ନିକଟରେ ରୁହନ୍ତି । ସେ କୋଭିଡ ସଂକ୍ରମିତ ହେବା ପରେ ଏପରି ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା । କାରଣ ଡାକ୍ତରଖାନା ନେବାକୁ କୌଣସି ଡଙ୍ଗା ମାଲିକମାନେ ଭୟଭୀତ ହୋଇପଡିଥିଲେ । ଯାହାକୁ ନେଇ ପରିବାର ଲୋକେ ମଧ୍ୟ ଡରିଯାଇଥିଲେ ।