କେ.ଆର. ବେଣୁଗୋପାଲ, ଆଇଏଏସ୍ (ଅବସରପ୍ରାପ୍ତ),
ପୂର୍ବତନ ପ୍ରଧାନ ମନ୍ତ୍ରୀଙ୍କ ସଚିବ; ସ୍ବତନ୍ତ୍ର ଦୂତ, ଜାତୀୟ ମାନବାଧିକାର କମିସନ
ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ଆନୁଷ୍ଠାନିକ ଭାବେ କହିଛନ୍ତି ଯେ, ଦେଶରେ 5 କୋଟି 30 ଲକ୍ଷ ଟନ୍ ଖାଦ୍ୟଶସ୍ୟ ମହଜୁଦ ରହିଛି ଏବଂ ଏଥିରୁ ପ୍ରାୟ 3 କୋଟି ଟନ୍ ଚାଉଳ ଏବଂ ଅବଶିଷ୍ଟ ଗହମ । ଏଠାରେ ମୁଁ କହି ରଖିବାକୁ ଚାହିଁବି ଯେ, ଏହା ଜରୁରୀକାଳୀନ ସ୍ଥିତି ଲାଗି ସଞ୍ଚୟ ନିୟମାନୁସାରେ ମହଜୁଦ ରଖିବା ପରିମାଣ ତୁଳନାରେ ଢେର ଅଧିକ । ବ୍ୟବସ୍ଥା ଅନୁସାରେ 76 ଲକ୍ଷ ଟନ୍ ଚାଉଳ ଏବଂ 1 କୋଟି 38 ଲକ୍ଷ ଟନ୍ ଗହମ ଅର୍ଥାତ୍ ମୋଟ 2 କୋଟି 10 ଲକ୍ଷ ଟନ୍ରୁ ସାମାନ୍ୟ ଅଧିକ ଖାଦ୍ୟଶସ୍ୟ ମହଜୁଦ ରଖିବା କଥା । ହେଲେ, ଯାହା ଆମେ ଏବେ ହଠାତ୍ ସ୍ବୀକାର କରିବାକୁ ରାଜି ନୁହଁ, ତାହା ହେଲା, ସେହି ସମାନ ସମୟରେ ଭାରତରେ ଭୋକିଲା ରହୁଥିବା ଲୋକଙ୍କ ସଂଖ୍ୟା 200 ନିୟୁତ ବା 20 କୋଟି ଏବଂ ଏହି ବିଶାଳ ଖାଦ୍ୟଶସ୍ୟ ଭଣ୍ଡାର ସଂପର୍କିତ ତଥ୍ୟରେ ତାହା ପ୍ରତିଫଳିତ ହୁଏନାହିଁ ।
ଭାରତର ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସେଇ ଚିରାଚରିତ କଥାର ପୁନରାବୃତ୍ତି ଲାଗି ରହିଛି । ଯାହା ଗରିବ ଲୋକଙ୍କ ଘରେ ରହିବା କଥା ତାହା ବିଭିନ୍ନ ପଣ୍ୟାଗାରରେ ଗଚ୍ଛିତ ରହିଛି । ଏବଂ ଏବେ ଆଗକୁ ବହୁ ପରିମାଣର ରବି ଫସଲ ଅମଳ ସଂଗୃହୀତ ହୋଇ ମହଜୁଦ ହେବାକୁ ଯାଉଛି । ବିଭିନ୍ନ ଆକଳନ ଅନୁସାରେ 2019-20 ବର୍ଷରେ ଦେଶରେ ରେକର୍ଡ ପରିମାଣର, ମୋଟ 29 କୋଟି 20 ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହେବ, ଯାହାକି ଗତ ବର୍ଷର ଖାଦ୍ୟ ଶସ୍ୟ ଉତ୍ପାଦନ ତୁଳନାରେ 6.74 ନିୟୁତ ବା 67 ଲକ୍ଷ 40 ହଜାର ଟନ୍ ଅଧିକ । ଏବେ, ଗୋଟିଏ ସମୟରେ ଆମ ପାଖରେ ଏକାଠି ଅଛନ୍ତି ଭୋକିଲା ଲୋକ ଏବଂ କୋଭିଡ୍-19 । ଏକ ସାଂଘାତିକ ସମାହାର, ବିଶେଷତଃ ଅନ୍ୟ ରାଜ୍ୟରେ ରହୁଥିବା ଗରିବଙ୍କ ପାଇଁ । ତଥାପି, ଖାଲି ଯଦି ଆମେ ଆମ ଲୋକଙ୍କୁ ଏବଂ ସାଧାରଣ ସେବା ବ୍ୟବସ୍ଥାକୁ ସଠିକ୍ ଭାବରେ ସଂଗଠିତ କରିପାରିବା, ତାହେଲେ ଆମେ ଆମର ସବୁ ଲୋକଙ୍କୁ କୋଭିଡ୍-19 ସଂକ୍ରମଣରୁ ସଂପୂର୍ଣ୍ଣ ସୁରକ୍ଷିତ ରଖିବା ସହିତ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇପାରିବା । ଏଥିରେ ପ୍ରମୁଖ ଭୂମିକା ତୁଲାଇବେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS- ଅଙ୍ଗନବାଡ଼ି) କାର୍ଯ୍ୟକ୍ରମ ଲାଗି ଗତ 40 ବର୍ଷ ଧରି ଆମେ ଗଠନ କରିଆସିଥିବା ଭିତ୍ତିଭୂମି ଏବଂ ଏହି ସେବା ପ୍ରଦାନ ଲାଗି ଆମେ ନିଯୁକ୍ତି ଏବଂ ପ୍ରଶିକ୍ଷଣ ଦେଇଥିବା କର୍ମଚାରୀମାନେ । ଦେଶର ସବୁ ଗାଁରେ ICDS ବା ଅଙ୍ଗନବାଡ଼ି କର୍ମୀ ଅଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ସଂଖ୍ୟା ପ୍ରାୟ 17 ଲକ୍ଷ ଏବଂ ବୋଧହୁଏ ଏହା ଆମର ସମସ୍ତ ସଶସ୍ତ୍ର ସେନାର ମିଳିତ ସଂଖ୍ୟାଠାରୁ ଅଧିକ । ବାସ୍ତବରେ କହିବାକୁ ଗଲେ ସେମାନେ ହିଁ ସାମାଜିକ ଯୋଦ୍ଧା ।
କୋଭିଡ୍-19 ଆକ୍ରମଣ ଜନିତ ସଂକଟକୁ ଆଖିରେ ରଖି ସାରା ଦେଶରେ ଲକ୍ଡାଉନ୍ ବା ତାଲାବନ୍ଦ ଜାରି ରହିଥିବା ସମୟରେ ନିଜ ରାଜ୍ୟ ଛାଡି଼ ଅନ୍ୟ ରାଜ୍ୟରେ ରହୁଥିବା ଏବଂ ମୁଖ୍ୟତଃ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଉପରେ ଏହାର ପ୍ରଭାବ ଏବେ ଏକ ଅସ୍ତିତ୍ବ ସଂକଟର ରୂପ ନେଇଛି । କୋଭିଡ୍-19 ମୁକାବିଲା କ୍ଷେତ୍ରରେ ତର୍କସମ୍ମତ ପ୍ରଥମ ପଦକ୍ଷେପ ହେଉଛି ଯାତାୟାତ ଉପରେ କଟକଣା ଜାରି ଲାଗି ନିଷ୍ପତ୍ତି । ହେଲେ, ଆଭ୍ୟନ୍ତରୀଣ ପ୍ରବାସନ ଅର୍ଥାତ୍ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିମ୍ବା ରାଜ୍ୟ ଭିତରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଉପରେ ଭାରତୀୟ ଅଣସଂଗଠିତ କ୍ଷେତ୍ରର ଅସ୍ତିତ୍ବ କିମ୍ବା ଏହାର ତିଷ୍ଠି ରହିବାରେ ନିହିତ ସାରକଥା ନିର୍ଭର କରେ ଏବଂ ଏଥିପାଇଁ ଯାତାୟାତ ନିହାତି ଆବଶ୍ୟକ । ଅଣସଂଗଠିତ କ୍ଷେତ୍ରରେ ଗୋଟିଏ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ କାମ କରିବା ପଛରେ ଯେଉଁ ତର୍କ ରହିଛି, ତାହା ହେଲା କ୍ଷୁଧା । ଏହି ପ୍ରହେଳିକା ସହଜରେ ସମାହିତ ହେଲା ଭଳି ସମସ୍ୟା ନୁହେଁ । ତେଣୁ ଆମକୁ ଏହି ଦୁଇଟି ଅଯୌକ୍ତିକ ତର୍କ ମଧ୍ୟରେ ସଂହତି ସ୍ଥାପନ କରିବା ସକାଶେ ସମାଧାନର ପନ୍ଥା ଖୋଜିବାକୁ ହେବ । ଏଭଳି ପରିସ୍ଥିତିରେ କ୍ଷୁଧା ହିଁ ଚରମ ନିର୍ଣ୍ଣାୟକ । ଏବଂ ନିକଟ ଭବିଷ୍ୟତରେ କୋଭିଡ୍-19ର ପ୍ରତିଷେଧକ ଟିକା ଆବିଷ୍କୃତ ହେବାର ଆଶା ନ ଥିବା ସମୟରେ ତାହା ହିଁ ସତ ମନେହୁଏ ।
ଏଭଳି ସଂକଟ ସମୟରେ କେମିତି ଆମେ ନିଜକୁ ନିଜେ ସାହାଯ୍ୟ କରିପାରିବା ? ସ୍ବାଭାବିକ ଭାବେ, ଦେଶର ନେତା ହିସାବରେ ପ୍ରଧାନ ମନ୍ତ୍ରୀ ଏହି ସଂକଟର ପୁରୋଭାଗରେ ରହିଛନ୍ତି । ଏହି ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ଭାବରେ ଡାକ୍ତରୀ ଚିକିତ୍ସା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ମାନବ ସମ୍ବଳ ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ସମନ୍ବିତ ଶିଶୁ ବିକାଶ ସେବାରେ କାର୍ଯ୍ୟରତ କର୍ମଚାରୀ ଏବଂ ଏହାର ଭିତ୍ତିଭୂମିକୁ ତ୍ବରାନ୍ବିତ କରିବା ଦିଗରେ ସେ ବିଚାର କରିବା ବିଧେୟ । ଏହି ରଣନୀତିର ମୌଳିକ ଦିଗ ହେଉଛି, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାସ୍ତବ ସଂଘୀୟ ବ୍ୟବସ୍ଥାର ଭାବଧାରା ବଜାୟ ରଖିବା ସହିତ ସାଧନ ଯୋଗାଣ ଲାଗି କର୍ମଚାରୀ ଓ ସଡ଼କ ପରିବହନର ନିୟନ୍ତ୍ରିତ ଗମନାଗମନର ପ୍ରବର୍ତ୍ତନ । ଏଥିରେ ସଂପୃକ୍ତ ସଂସ୍ଥା ମଧ୍ୟରେ ରହିଛି, କେନ୍ଦ୍ରୀୟ ସଂଗ୍ରହରୁ ଖାଦ୍ୟଶସ୍ୟ ଯୋଗାଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଭାରତୀୟ ଖାଦ୍ୟ ନିଗମ ଏବଂ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ; ଏବଂ ପରିବହନ ଏବଂ ଗ୍ରାମ୍ୟ ସ୍ତରରେ ବିତରଣ ଲାଗି ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ।
ଭାରତୀୟ ଭେଷଜ ଗବେଷଣା ସଂସ୍ଥା, ଭୂତାଣୁବିଜ୍ଞାନୀ ଏବଂ ଅନ୍ୟ ସ୍ବାସ୍ଥ୍ୟସେବା ବିଶେଷଜ୍ଞଙ୍କ ପରାମର୍ଶ ଭିତ୍ତିରେ, ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ଥିବା ବ୍ୟକ୍ତିମାନଙ୍କ ଗମନାଗମନକୁ ଅନୁମତି ଦେବା ଦିଗରେ ମିଳିତ ଭାବେ ଆମର କେନ୍ଦ୍ରୀୟ ଏବଂ ସଂଘୀୟ ନେତାମାନେ କେଉଁଭଳି ତର୍କସମ୍ମତ ଭାବରେ ଏବଂ ପରିପକ୍ବତାର ସହ ନିଷ୍ପତ୍ତି ନେଉଛନ୍ତି ତାହାରି ଉପରେ ହିଁ ଏହି କାର୍ଯ୍ୟପନ୍ଥା ନିର୍ଭର କରିବ । ଏହା ଏକ ଅତି ସମ୍ବେଦନଶୀଳ ସନ୍ତୁଳନ । ମରୁଡ଼ି/ଦୁର୍ଭିକ୍ଷ ସ୍ଥିତିରେ ‘ପରୀକ୍ଷାମୂଳକ ଭାବେ ସାର୍ବଜନୀନ କାର୍ଯ୍ୟକ୍ରମ’ ଭଳି ଅତୀତରେ ଯାହା ଆମେ କରିଛୁ ତାହା ଏବେ ବି କରିବା ଉଚିତ ଏବଂ ସହରାଞ୍ଚଳରେ ଗରିବମାନଙ୍କର ବିଭିନ୍ନ ବସ୍ତିରେ ଏବଂଗ୍ରାମାଞ୍ଚଳରେ ଗରିବମାନଙ୍କ ଥଇଥାନ ଶିବିର ଭଳି ସମସ୍ତ ନିଜସ୍ବ ମନୋନୀତ ଅଞ୍ଚଳରେ ଆମେ ମାଗଣା ରନ୍ଧାଘର ସ୍ଥାପନ କରି ଖାଦ୍ୟ ଯୋଗାଇ ଦେବା ଉଚିତ । ତାହା ସହିତ ଅନ୍ୟ କେଉଁ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବା ଭୋକିଲା ଲୋକେ ରହିଛନ୍ତି, ସେ ସଂପର୍କରେ ଏକ ତ୍ବରିତ ସଂକ୍ଷିପ୍ତ ସର୍ଭେ କରାଯିବା ଦରକାର । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହା ହିଁ ଆମକୁ ଦେଶରେ ଅସହ୍ୟ ଭୋକର ଭୁଗୋଳ ନିରୂପଣ କରିବାର ରାସ୍ତା ଦେଖାଇବ । ଏହା ହିଁ ଗରିବମାନଙ୍କୁ ଖାଦ୍ୟର ଆଶା ସହିତ ଐକ୍ୟବଦ୍ଧତାର ରଜ୍ଜୁରେ ବାନ୍ଧି ରଖିବା ଦିଗରେ ଆମକୁ ଏକ କ୍ରିୟାଶୀଳ ଉପାୟ ଦର୍ଶାଇବ ।
ବର୍ତ୍ତମାନ ସ୍ଥିତିରେ ସବୁଆଡ଼େ ଭୋକିଲା ଲୋକେ ଅଛନ୍ତି ଏବଂ ତେଣୁ ଏହି ଖାଦ୍ୟ ଯୋଗାଣ ସବୁଆଡ଼େ କାର୍ଯ୍ୟକାରୀ ହେବା ଉଚିତ । ସହରାଞ୍ଚଳର ସବୁ ବସ୍ତିରୁ ଆରମ୍ଭ କରିବା ସହିତ ଶୁଷ୍କଭୂମି କୃଷି କ୍ଷେତ୍ର, ପାହାଡ଼ିଆ ଅଞ୍ଚଳ, ଆଦିବାସୀ ଅଞ୍ଚଳ, ମରୁଡ଼ି ପ୍ରବଣ ଏବଂ ମରୁଭୂମି ଅଞ୍ଚଳ ପ୍ରଭୃତି ସମସ୍ତ ଗ୍ରାମାଞ୍ଚଳର ଏହାକୁ ଆରମ୍ଭ କରାଯିବା କଥା । ଏହି ଉପାୟରେ ଆମେ ପ୍ରାୟ ସବୁ ଭୋକିଲା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରିବା, ଯେଉଁମାନଙ୍କ ସଂଖ୍ୟା ଏବେ ପାଖାପାଖି 20 କୋଟି । ଏହି ବିଶାଳ ଆକାରର କ୍ଷୁଧାବିରୋଧୀ ଅଭିଯାନ ଆରମ୍ଭ କରିବା ଦିଗରେ ଅଙ୍ଗନବାଡ଼ି କେନ୍ଦ୍ର ଓ ଅଙ୍ଗନବାଡ଼ି କର୍ମୀମାନଙ୍କର କାର୍ଯ୍ୟ ସମୟ ବଢ଼ାଇବା ଏକ ଆଦର୍ଶ ପଦକ୍ଷେପ ହେବ । ସେତେ ବେଶୀ ସୁବିଧା ସୁଯୋଗ ନଥିଲେ ବି ସେମାନଙ୍କର ନିଜର ବୋଲି କହିବାକୁ ସ୍ଥାନଟିଏ ଅଛି ଏବଂ ଏହାକୁ ଦେଶର ପ୍ରତ୍ୟେକ ଗ୍ରାମବାସୀ ଏବଂ ବସ୍ତିବାସିନ୍ଦା ଜାଣିଛନ୍ତି । ଯେତେଦୂର ସମ୍ଭବ ଆମକୁ ସେମାନଙ୍କ ପାଇଁ ଆବଶ୍ୟକ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିବାକୁ ହେବ ।