ନୂଆଦିଲ୍ଲୀ : ଚଳିତ ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ ବିଜୟୀ ହେବେ ବୋଲି ବିଭିନ୍ ପ୍ରାକ୍ ନିର୍ବାଚନୀ ଜନମତ ସର୍ବେକ୍ଷଣ ଓ ଅନ୍ୟ ମଡେଲ୍ ପୂର୍ବାନୁମାନ କରିଛନ୍ତି । ୱାଂସିଟନ ଓ ବେଜିଂ ମଧରେ ବାଣିଜ୍ୟ ଯୁଦ୍ଧ ଏବଂ ଭାରତ ଓ ନୂଆ ଦୃଶ୍ୟପଟ୍ଟରେ ଆମେରିକା ସଂପର୍କ ନେଇ ଚର୍ଚ୍ଚା ମଧ୍ୟରେ ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନରେ ବିଡେନ୍ଙ୍କ ବିଜୟ ନେଇ ପୂର୍ବାନୁମାନ କରାଯାଉଛି । ତେବେ ପର୍ଯ୍ୟବେକ୍ଷକଙ୍କ ମତରେ ପୂର୍ବତନ ଉପରାଷ୍ଟ୍ରପତି ବିଡେନ୍ ହ୍ବାଇଟ୍ ହାଉସ ଅଧିକାର କଲେ ମଧ୍ୟ ସେ ଚୀନ ଓ ଭାରତ ପ୍ରତି ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଆପଣାଇଥିବା ନୀତିରେ ପରିବର୍ତ୍ତନ କରିବା ସମ୍ଭାବନା କମ ରହିଛି । ପାଖାପାଖି ଦୁଇ ଦଶନ୍ଧି ହେବ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କ ଆଗକୁ ବଢିଥିବା ବେଳେ ବିଶ୍ବର ଏକ ନମ୍ବର ଶକ୍ତିଶାଳୀ ଦେଶ ହେବା ପାଇଁ ଚୀନର ଉଦ୍ୟମ ବିରୋଧରେ କଡା ମନୋଭାବ ଆପଣାଇଛି ୱାସିଂଟନ୍ । ରାଷ୍ଟ୍ରପତି ଭାବେ ସି ଜିନ ପିଙ୍ଗ୍ ଦାୟିତ୍ବ ନେବାପରଠାରୁ ଆମେରିକା-ଚୀନ ସଂପର୍କରେ ଅବନ୍ନତି ଘଟିଛି ।
ତେବେ ବର୍ତ୍ତମାନ ଯଦି ନିର୍ବାଚନ ହୁଏ,ତାହା ହେଲେ ବିଡେନ୍ ବଡ ବିଜେତା ଭାବେ ଉଭା ହେବେ ବୋଲି ବିଭିନ୍ନ ଜନମତ ସର୍ବେକ୍ଷଣରେ ପୂର୍ବାନୁମାନ କରାଯାଇଛି । ରିୟଲ କ୍ଲିୟର ପଲିଟିକ୍ସର ଡାଟା ଆଧାରରେ ଫାଇନାନସିଆଲ୍ ଟାଇମ୍ସର ସଦ୍ୟତମ ପୋଲ୍ ଟ୍ରାକର୍ ଅନୁସାରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ୍ ୫୩୮ ଇଲେକ୍ଟୋରାଲ କଲେଜ ଭୋଟ୍ ମଧରୁ ୩୦୮ ଭୋଟ୍ ପାଇ ବିଜୟୀ ହେବେ । ଡୋନାଲ୍ଡ ଟ୍ରମ୍ପ ମାତ୍ର ୧୧୩ଟି ଭୋଟ୍ ପାଇବେ ବୋଲି ଅନୁମାନ କରାଯାଉଛି । ୫୩୮ ଇଲେକଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ୨୭୦ଟି ଭୋଟ୍ ପାଇଲେ ହିଁ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବ । ଆମେରିକାନ ୟୁନିଭର୍ସିଟିର ବିଶିଷ୍ଟ ଇତିହାସ ପ୍ରାଧ୍ୟାପକ ଆଲାନ ଲିଚମ୍ୟାନ ମଧ୍ୟ ଜୋ ବିଡେନଙ୍କ ବିଜୟ ନେଇ ସମ୍ଭାବନା ବ୍ୟକ୍ତ କରିଛନ୍ତି । ୧୩ଟି ଐତିହାସିକ କାରଣକୁ ନେଇ ସେ ବିକଶିତ କରିଥିବା ନିଜର ପ୍ରସିଦ୍ଧ ‘କିଜ୍’ ମଡେଲ୍ ଅନୁସାରେ ବିଡେନଙ୍କ ବିଜୟ ସମ୍ଭାବନା ବ୍ୟକ୍ତ କରିଛନ୍ତି ଲିଚମ୍ୟାନ୍ ।
ଗତ ଚାରି ଦଶକ ଧରି ରାଷ୍ଟ୍ରପତି ନିର୍ବାଚନର ଫଳାଫଳର ସଠିକ ପୂର୍ବାନୁମାନ ପାଇଁ ଲିଚମ୍ୟାନ ପ୍ରସିଦ୍ଧ । ଲିଚମ୍ୟାନଙ୍କ ମେଥଡୋଲୋଜି, ଓପିନିୟନ ପୋଲ୍ଠାରୁ ଅଲଗା । କୋରୋନା ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳତା ଓ ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ଘୁଂଚାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କଡା ସମାଲୋଚନା ହେଉଥିବା ପରିପ୍ରେକ୍ଷୀରେ ଏସବୁ ପୂର୍ବାନୁମାନ କରାଯାଇଛି । ନଭେମ୍ବର ୩ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପୋଷ୍ଟାଲ ଭୋଟିଂରେ ସଠିକ ଫଳାଫଳ ଆସିବ ନାହିଁ ବୋଲି କହି ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଘୁଂଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଆମେରିକା ଇତିହାସରେ ରାଷ୍ଟ୍ରପତି ନିର୍ବାଚନରେ କେବେ ବି ଘୁଂଚିନାହିଁ । ସେ ଯାହା ହେଉ ନା କାହିଁକି, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଜୋ ବିଡେନ୍ ରାଷ୍ଟ୍ରପତି ନିର୍ବାଚିତ ହେଲେ ବି ହ୍ବାଇଟ ହାଉସ ଭାରତ ଓ ଚୀନ ପ୍ରସଙ୍ଗରେ ଥିବା ତାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍ । ଦକ୍ଷିଣ ଚୀନ୍ ସାଗରରେ ଆଧିପତ୍ୟ ପାଇଁ ଚୀନର ଉଦ୍ୟମ ପ୍ରସଙ୍ଗ ହେଉ ବା ଟ୍ରେଡ୍ ୱାର୍ – ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନର ନୀତି ବଦଳିବା ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଭାରତ-ଆମେରିକା ସଂପର୍କ ବର୍ତ୍ତମାନ ଉଚ୍ଚସ୍ତରରେ ରହିଛି ବୋଲି ଇଟିଭି ଭାରତକୁ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପୂର୍ବତନ ସଚିବ ପିନାକ ଚକ୍ରବର୍ତି ।
ଭାରତ ଓ ଆମେରିକା ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପକୁ ଉଭୟ ଦେଶର ସମର୍ଥନ ରହିଛି । ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦ୍ବିପାକ୍ଷିକ , ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ବୃଦ୍ଧିପାଉଥିବା ସମନ୍ବୟ ହିଁ ଦୁଇଦେଶ ମଧ୍ୟରେ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପ୍ ପର୍ଯ୍ୟବେସିତ । ଭାରତକୁ ନିଜର ଏକ ପ୍ରମୁଖ ପ୍ରତିରକ୍ଷା ଭାଗିଦୀର ଭାବେ ବି ଗ୍ରହଣ କରିଛି ଆମେରିକା । ଏଥିଯୋଗୁଁ ନୂଆଦିଲ୍ଲୀ ବର୍ତମାନ ୱାଂସିଟନର ଘନିଷ୍ଠ ପ୍ରତିରକ୍ଷା ଓ କୂଟନୈତିକ ସହଯୋଗୀଙ୍କ ମଧ୍ୟରେ ବିବେଚି ହେଉଛି । ଭାରତ-ଆମେରିକା ରାଜନୈତିକ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରତିଷ୍ଠାତା ସଦସ୍ୟ ରବିନ୍ଦର ସଚଦେବଙ୍କ କହିବା କଥା ହେଲା ଯେ, ଯଦି ବିଡେନ୍ କ୍ଷମତାକୁ ଆସନ୍ତି ତାହା ହେଲେ ଦୁଇ ଦେଶର ସଂପର୍କ ଆଗ ଭଳି ସେହି ଏକାବାଟରେ ଯିବ । ଆମେରିକା-ଭାରତ ସଂପର୍କ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଂଚିଥିବାରୁ ସେହି ସଂପର୍କ ସର୍ବଦା ଆଗକୁ ବଢିବା ନେଇ ଆଶା କରାଯାଏ ବୋଲି ସଚଦେବ କହିଛନ୍ତି । ଦୁଇ ଦେଶର ସଂପର୍କର ଅପୱାର୍ଡ ଟ୍ରାଜେକ୍ଟରୀ କେତେ ବଦଳୁଛି, ତାହା ଦେଖିବାକୁ ପଡିବ । କାରଣ କିଛି ପ୍ରଶାସନ ଅମଳରେ ଏହା ଆଗକୁ ଯାଇପାରେ , ଆଉ କେତେବେଳେ ବିନା କିଛି ତୀବ୍ରତାରେ ଏହା ସେହି ଏକା ପଥରେ ହିଁ ଚାଲିଥାଏ ବୋଲି ସଚଦେବ କହିଛନ୍ତି ।
ସଚଦେବ ଆହୁରି ବି କହିଛନ୍ତି ଯେ, ଆମେରିକା କଂଗ୍ରେସର ଉଚ୍ଚ ଓ ନିମ୍ନ ସଦନ ପାଇଁ ବି ନିର୍ବାଚନ ହେବାକୁ ଯାଉଛି । ନିମ୍ନ ସଦନ ପ୍ରତିନିଧି ସଭା ବର୍ତମାନ ଡେମୋକ୍ରାଟଙ୍କ ନିୟନ୍ତ୍ରଣରେ ରହିଛି । ଉଚ୍ଚ ସଦନ ସିନେଟ୍ ରିପବ୍ଲିକାନଙ୍କ ସଂଖ୍ୟାଗରିଷ୍ଠତା ରହିଛି । ଯଦି ସିନେଟ ମଧ୍ୟ ଡେମୋକ୍ରାଟଙ୍କ ନିୟନ୍ତ୍ରଣକୁ ଆସିଯାଏ ଓ ବିଡେନ୍ ହ୍ବାଇଟ ହାଉସକୁ ଯାଆନ୍ତି, ତାହା ହେଲେ ଭାରତ-ଆମେରିକା ସଂପର୍କରେ ଶିଥିଳତା ଆସିପାରେ । କାରଣ କିଛି ପ୍ରସଙ୍ଗ ଏମିତି ରହିଛି, ଯାହାକୁ ନେଇ କିଛି ଡେମୋକ୍ରାଟ ଭାରତକୁ ବିରୋଧ କରନ୍ତି । ତେଣୁ ଉଭୟ ସିନେଟ ଓ ପ୍ରତିନିଧି ସଭାରେ ଡେମୋକ୍ରାଟଙ୍କ ନିୟନ୍ତ୍ରଣ ସେମାନଙ୍କୁ ଏକାଧିକ କ୍ଷମତା ଦେବ ବୋଲି ସଚଦେବ କହିଛନ୍ତି । ଅବଶ୍ୟ, ମନେ ରଖିବାକୁ ହେବ ଯେ, ଆମେରିକୀୟ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ହିଁ ସର୍ବେସର୍ବା । କିନ୍ତୁ ପ୍ରତିନିଧି ସଭା ଓ ସିନେଟ୍ ମିଶି ରାଷ୍ଟ୍ରପତିଙ୍କ ଉପରେ ଚାପ ପ୍ରୟୋଗ କରିପାରନ୍ତି । ଏହାଛଡା ସେମାନେ ଏକାଧିକ ସର୍ତ୍ତ ବି ରଖିପାରନ୍ତି । କିଛି ବିଲ୍ ଆଗତ କରିପାରନ୍ତି ଓ ପୂବର୍ରୁ ଗୃହୀତ ବିଲରେ ସଂଶୋଧନ ବି ଆଣିପାରନ୍ତି ବୋଲି ସଚଦେବ କହିଛନ୍ତି ।