ବେଙ୍ଗାଲୁରୁ:ନାଗରିକତା ସଂଶୋଧନ ଆଇନ ବିରୋଧରେ ବାଙ୍ଗାଲୋରରେ ଆୟୋଜିତ ଏକ ରାଲିରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଅମୁଲ୍ୟା ଲିଓନାଙ୍କୁ ଗୁରୁବାର ବେଙ୍ଗାଲୁରୁର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତେବେ ଏହା ପୂର୍ବରୁ ବୁଧବାର ସେସନ ବିଚାରପତି ବିଦ୍ୟାଧର ଶ୍ରୀରାହତି ଅମୁଲ୍ୟାଙ୍କ ଜାମିନ ନାମଞ୍ଜୁର କରିଥିଲେ । ଯଦି ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯାଏ ତାହେଲେ ସେ ଫେରାର ହୋଇପାରନ୍ତି ବୋଲି ବିଚାରପତି କହିଥିଲେ ।
ସୂଚନା ମୁତାବକ, 19 ବର୍ଷିୟା ଅମୁଲ୍ୟା ହିନ୍ଦୁ-ମୁସଲିମ-ଶିଖ-ଇସାଇ ଫେଡେରେସନ ଦ୍ବାରା ଆୟୋଜିତ ସିସିଏ ବିରୋଧୀ ରାଲିରେ ଯୋଗ ଦେଇ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଳୋଗାନ ଦେଇଥିଲେ । ଏହାପରେ ତାଙ୍କୁ ଫେବୃଆରୀ 20 ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ଏହି ସଭାରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର (AIMIM ) ସଭାପତି ଅସଦୁଦ୍ଦିନ ଓୱେସୀ ମଧ୍ୟ ଯୋଗ ଦେଇଥିଲେ । ତେବେ ଓୱେସୀ ସଭାରେ ଯୋଗ ଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ଅମୁଲ୍ୟା ତୁରନ୍ତ ମାଇକ ଧରି ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ । ଏହା ଶୁଣି ଓୱେସୀ ତୁରନ୍ତ ଅମୁଲ୍ୟାଙ୍କଠାରୁ ମାଇକ ଛଡେଇ ଆଣିଥିଲେ ଏବଂ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ।