ଆଖି ଓ ଦୃଷ୍ଟିଶକ୍ତି ହେଉଛି ମଣିଷକୁ ଭଗବାନଙ୍କ ଅମୂଲ୍ୟ ଦାନ । ଶରୀରରେ ଅବିଚ୍ଛେଦ୍ୟ ଅଂଗ ହେଉଛି ଚକ୍ଷୁ ବା ଆଖି । ଆଖି ଥିବା ଯୋଗୁଁ ହିଁ ଆମର ସୁନ୍ଦର ପୃଥିବୀକୁ ଆମେ ଦେଖିପାରୁ । ସବୁ କାମ ନିର୍ବିଘ୍ନରେ କରୁ । କିନ୍ତୁ ଦୁନିଆରେ ଅନେକ ଲୋକ ଏ ସୌଭାଗ୍ୟରୁ ବଞ୍ଚିତ । ଜନ୍ମଗତ ତ୍ରୁଟି ବା ଜୀବନରେ କୌଣସି ଦୁର୍ଘଟଣା ଯୋଗୁଁ ସେମାନେ ନିଜର ଦୃଷ୍ଟିଶକ୍ତି ହରାଇଥାନ୍ତି । ଚକ୍ଷୁ ଦାନ ଫଳରେ ଏମାନଙ୍କ ଜୀବନରେ ପୁଣି ଆଲୋକ ଫେରିଆସିବ । ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପଟେମ୍ବର ୮ ତାରିଖ ଯାଏଁ ପାଳନ ହୁଏ ଜାତୀୟ ଚକ୍ଷୁ ଦାନ ପକ୍ଷ । ଚକ୍ଷୁଦାନର ଗୁରୁତ୍ୱ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ଲାଗି ଏହି ପକ୍ଷ ଆୟୋଜନ କରାଯାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କର୍ନିଆ ରୋଗ ହିଁ ଦୃଷ୍ଟି ଶକ୍ତି ହ୍ରାସ କରିବା ସହ ଅନ୍ଧତ୍ୱର ପ୍ରମୁଖ କାରଣ ହୋଇଥାଏ । ମୋତିଆବିନ୍ଦୁ ଓ ଗ୍ଲାଉକୋମା ବି ଦୃଷ୍ଟିହୀନତାର କାରଣ । ନ୍ୟାସନାଲ ହେଲଥ ପୋର୍ଟାଲ୍ ଅଫ ଇଣ୍ଡିଆ –ଏନଏଚପି ଅନୁସାରେ ଚକ୍ଷୁଦାନ ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନ ହେବାର ବିଭିନ୍ନ କାରଣ ରହିଛି । ସଚେତନତାର ଅଭାବ ହେଉଛି ଏହାର ଏକ ମୁଖ୍ୟ କାରଣ । ଅନ୍ୟ ସବୁ କାରଣ ହେଲା –
- ଚକ୍ଷୁ ପ୍ରତିଷ୍ଠାନ ଓ ହସପିଟାଲଗୁଡିକରେ ଆବଶ୍ୟକ ସୁବିଧାସୁଯୋଗର ଅଭାବ ।
- ପ୍ରଶିକ୍ଷିତ କର୍ମଚାରୀଙ୍କ ମଧ୍ୟରେ ବି ଉତ୍ସାହର ଅଭାବ ।
- ଚକ୍ଷୁଦାନକୁ ନେଇ ଥିବା ସାମାଜିକ ଓ ଧାର୍ମିକ ଭ୍ରାନ୍ତ ଧାରଣା । ଚକ୍ଷୁଦାନ ବାବଦରେ କେତେକ ସାଧାରଣ ଭ୍ରାନ୍ତ ଧାରଣା ରହିଛି । ସେ ସବୁ ଧାରଣା ଦୂର ହେବା ଉଚିତ ।
୧. ମୋର ଦୁର୍ବଳ ଦୃଷ୍ଟିଶକ୍ତି ରହିଛି, ତେଣୁ ଚକ୍ଷୁ ଦାନ କରିପାରିବି ନାହିଁ ।
ସୌଭାଗ୍ୟବଶତଃ ଦୁର୍ବଳ ଦୃଷ୍ଟିଶକ୍ତି ଚକ୍ଷୁଦାନ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜି ନ ଥାଏ । ଯେଉଁମାନେ ଚଷମା ଓ ଲେନ୍ସ ପିନ୍ଧନ୍ତି ବା ଯେଉଁମାନେ ଆଖି ଅସ୍ତ୍ରୋପଚାର କରିଛନ୍ତି, ସେମାନେ ଚକ୍ଷୁଦାନ କରିପାରିବେ । ଯେକୌଣସି ବୟସ ବର୍ଗ ଓ ବ୍ଲଡ ଗ୍ରୁପ୍ ଲୋକ ଚକ୍ଷୁ ଦାନ କରିପାରିବେ ।
୨. ପରଜନ୍ମରେ ମୁଁ ଅନ୍ଧ ହୋଇ ଜନ୍ମ ନେବି ।
ଏହା ସଂପୂର୍ଣ୍ଣ ଅନ୍ଧବିଶ୍ୱାସ । ଆଖି ବା ଅନ୍ୟ କୌଣସି ଅଂଗ ଦାନ କରିବା ମହାପୁଣ୍ୟ ହୋଇଥାଏ । ଏହା ସବ ଶ୍ରେଷ୍ଠ ଦାନ ହୋଇଥାଏ ।
୩. ଚକ୍ଷୁଦାନ କଲେ ମୋ ଚେହେରା ଖରାପ ହୋଇଯିବ ।
ନା, ଏମିତି ହେବ ନାହିଁ । କେବଳ ନେତ୍ରପଟଳ ହିଁ କଢାଯିବ । ସଂପୂର୍ଣ୍ଣ ଆଖି ନୁହେଁ । କିଛି ନିର୍ଦ୍ଦିଷ୍ଟ ମାମଲାରେ ଏକ ପ୍ରସଥେଟିକ୍ ରଖାଯାଇପାରେ ।
୪. ମୁଁ ପ୍ରତିଶ୍ରୁତି ନଦେଲେ ଚକ୍ଷୁଦାନ କରିପାରିବି ନାହିଁ ।