ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ମତଦାନ ହେବ । ଏହାସହ ୬୫୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ଜମ୍ମୁ କାଶ୍ମୀରରେ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଗ୍ରହଣ।
ଏହି ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ରାଜୀବ ପ୍ରତାପ ଋଡି, ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ପରି ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଚଳିତ ଲୋକସଭା ନିର୍ବାଚନରେ ଆମେଥିର ଲଢେଇ ବେଶ ରୋଚକ ହୋଇଉଠିଛି । ରାହୁଲଙ୍କୁ ପରାଜିତ କରିବା ପାଇଁ ବିଜେପି ଜୋରସୋରରେ ଲାଗିଛି । ଏଥିପାଇଁ ପ୍ରଚାରର ଶେଷଦିନ ସ୍ମୃତିଙ୍କ ପାଇଁ ଭୋଟ ମାଗିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆମେଥିରେ ରୋଡ ଶୋ କରିଥିଲେ ।
ସେହିପରି ଲକ୍ଷ୍ନୌ ଆସନରେ ମଧ୍ୟ ଲଢେଇ ବେଶ ରୋଚକ ହୋଇଉଠିଛି । ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ପାରମ୍ପରିକ ଭାବେ ନିର୍ବାଚନ ଲଢି ଆସୁଥିଲେ । ତାଙ୍କ ପରେ ରାଜନାଥ ସିଂ ଏହି ଆସନରେ ଲଢି ଆସୁଛନ୍ତି । କିନ୍ତୁ ଏଥର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ କଡା ଟକ୍କର ମିଳୁଛି । ମହାମେଣ୍ଟ ତରଫରୁ ପୁନମ ସିହ୍ନାଙ୍କୁ ମଇଦାନକୁ ଓହ୍ଲାଯାଇଛି । ସେହିପରି କଂଗ୍ରେସ ତରଫରୁ ପ୍ରମୋଦ କୃଷ୍ଣମଙ୍କୁ ମିଳିଛି ଟିକେଟ ।
ରାଜସ୍ଥାନର ଜୟପୁର ଗ୍ରାମୀଣ ସଂସଦୀୟ କ୍ଷେତ୍ରରେ ଦୁଇ ଅଲମ୍ପିଆନଙ୍କ ମଧ୍ୟରେ ଟକ୍କର ଚାଳିଛି । କାହାର ନିଶାନ ସଠିକ ଲାଗିବ ତାହା ମତଦାତା ସ୍ଥିର କରିବେ । ଏହି ଆସନରୁ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଅଲମ୍ପିଆନ ରାଜବର୍ଦ୍ଧନ ସିଂ ରାଠୌର ଓ କଂଗ୍ରେସ ତରଫରୁ ଅଲମ୍ପିଆନ କୃଷ୍ଣା ପୁନିଆଙ୍କ ମଧ୍ୟରେ ଚାଲିଛି କଡା ଟକ୍କର ।