ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇ-ନାସିକ ରାଜପଥରେ ପ୍ରାୟ 5 ଘଣ୍ଟା ଧରି ଅଟକି ରହିଛି ଏକ ଟ୍ରକ । 40 ଡିଗ୍ରୀ ଧୁଧୁ ଖରାରେ ଏହି ଟ୍ରକ ରାସ୍ତା ମଝିରେ ଅଟକି ରହିଛି । ଟ୍ରକରେ ପ୍ରାୟ 57 ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି । ଏମାନେ ମୁମ୍ବାଇରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଛନ୍ତି । ଲକଡାଉନ୍ ଦ୍ୱାରା କୌଣସି ପ୍ରକାରେ ଘରେ ପହଞ୍ଚିବାକୁ ଆଗ୍ରହୀ ଥିବା ଏହି ପ୍ରବାସୀ ଶ୍ରମିକ ଶେଷରେ ଏହି ଟ୍ରକର ସାହାରା ନେଇଛନ୍ତି ।
ଟ୍ରକ ଡ୍ରାଇଭର ପ୍ରତ୍ୟେକଙ୍କ ଠାରୁ ଭଡା ବାବଦକୁ 3000 ଟଙ୍କା ନେଇଛନ୍ତି। ଏହାପରେ ବି ଡ୍ରାଇଭର ଅଧିକ ଯାତ୍ରୀଙ୍କୁ ଅପେକ୍ଷା କରିଛି । 57 ଜଣଙ୍କ ପରେ ଗାଡିରେ କୌଣସି ଜାଗା ନାହିଁ । ସେମାନଙ୍କ ଭିତରୁ କିଛି ଲୋକ ଠିଆ ହୋଇଛନ୍ତି । ଜଣେ ବୃଦ୍ଧଙ୍କ କହିବା ଅନୁସାରେ, ଡ୍ରାଇଭର ଯ।ତ୍ରା କରିବାକୁ ଚାହାନ୍ତି , କିନ୍ତୁ ଟ୍ରକ ମାଲିକ ତାଙ୍କୁ ଅଧିକ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହୁଛନ୍ତି ।