କୋଲକାତା: ପଶ୍ଚିମବଙ୍ଗରେ ସିଏଏ ଓ ଏନଆରସି ବିରୋଧି ପ୍ରଦର୍ଶନ ବେଳେ ଜଣେ ମହିଳା ମୃତ । 56ବର୍ଷୀୟ ସମିଦା ଖାତୁନ ନାମକ ଜଣେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ପାର୍କ ସର୍କସ ମୈଦାନରେ ମହିଳା ଓ ଶିଶୁମାନଙ୍କ ସହ ସେ ବିରୋଧ ପ୍ରଦର୍ଶନ କରିଆସୁଥିଲେ । ସେପଟେ, ସମିଦାଙ୍କ ମୃତ୍ୟୁକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପିର ଜଣେ ନେତା ।
ସିଏଏ ବିରୋଧ ପ୍ରଦର୍ଶନବେଳେ ମହିଳା ମୃତ: ବିଜେପି କହିଲା ଭାରତୀୟ ନା ବାଲାଂଦେଶୀ - ସିଏଏ ବିରୋଧ ପ୍ରଦର୍ଶନ
ସିଏଏ ଓ ଏନଆରସିକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଥିବାବେଳେ, କୋଲକାତାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ, ମହିଳାଙ୍କ ମୃତ୍ୟୁକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତା ।
ବିଜେପିର ସାଧାରଣ ସମ୍ପାଦକ ସୟତନ ବାସୁ ମହିଳାଙ୍କ ପରିଚୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ପ୍ରଥମେ ଜାଣିବା ଦରକାର ମହିଳା ଜଣକ ଭାରତୀୟ ନା ବାଲାଂଦେଶୀ । ସେପଟେ ବିଜେପି ନେତାଙ୍କ ଏଭଳି ବୟାନକୁ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିପ୍ରିୟୋ ମୁଲ୍ଲିକ ନିନ୍ଦା କରିବା ସହ ତାଙ୍କ ଉପରେ ବର୍ଷି ଥିଲେ । ବାସୁ ଜଣେ ପାଗଳ ବ୍ୟକ୍ତି, ଆଉ ସର୍ବସାଧାରଣରେ ତାଙ୍କର ଏପରି କହିବା ଉଚିତ ନୁହେଁ ବୋଲି କହିଥିଲେ ଟିଏମସି ନେତା ।
ଅନ୍ୟପଟେ, ଖାତୁନଙ୍କ ମୃତ୍ୟୁ ପରେ ଗତ ରବିବାର ଶାନ୍ତି ଶୃଙ୍ଖଳା ସହ ପ୍ରଦର୍ଶନ କରିବା ସହ ଖାତୁନଙ୍କ ସଦଗତି ପାଇଁ ଶାନ୍ତି ପ୍ରାର୍ଥନା କରିଥିଲେ । ଗତ 15 ଦିନ ପୂର୍ବରୁ ସମିଦା ପ୍ରଦର୍ଶନକୁ ନେଇ ବେଶ ସକ୍ରିୟ ଥିଲେ । ଏପରିକି ସେ ଅପରାହ୍ନ 3ଟା ସମୟରେ ଆସି ରାତି 1ଟାରେ ଘରକୁ ଯାଇଥାନ୍ତି ବୋଲି ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି । ହେଲେ ହଠାତ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ କହିବାନୁଯାୟୀ, ଖାତୁନ ଜଣେ ହୃଦ ରୋଗୀ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।