ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେଲାଣି କୋରୋନା ମହାମାରୀ ପୁନଃସଂକ୍ରମଣ । ମୁମ୍ବାଇରେ 2ଜଣ ପୁନଃସଂକ୍ରମିତ ହୋଇଥିବା ବେଳେ ଅହମ୍ମଦାବାଦରେ ଜଣେ ପୁନଃ ଆକ୍ରାନ୍ତ ହୋଇଥିବାର ଇଣ୍ଡିଆନ କାଉନସିଲ ମିଡିଆ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି ।
କୋଭିଡ-19ରେ କୋରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀ ପ୍ରଥମେ ହଂକଂରେ ପୁନଃସଂକ୍ରମଣର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ଦେଶର ପ୍ରମୁଖ ସହର ମୁମ୍ବାଇ ଓ ଅହମ୍ମଦାବାଦରେ ଯଥାକ୍ରମେ 2 ଓ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭା କହିଛନ୍ତି ।
ସେ ଆହୁରି କହିଛନ୍ତି ଡବ୍ଲୁଏଚଓରୁ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ବିଶ୍ବରେ 2 ଡର୍ଜନ ପୁନଃସଂକ୍ରମଣ ହୋଇଛି । ତେବେ ପୁନଃସଂକ୍ରମଣ 90 ଦିନ, 100 ଦିନ କିମ୍ବା 110 ଦିନ ଭିତରେ ହେଉଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଡବ୍ଲୁଏଚଓ ଦ୍ବାରା ସ୍ପଷ୍ଟ କରାଯାଇନାହିଁ । କିନ୍ତୁ 100 ଦିନ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ଜୀବିତ ରହୁଛି ବୋଲି ସରକାରଙ୍କ ଦ୍ବାରା ଆକଳନ କରାଯାଇଛି । ଶରୀରରେ ପ୍ରକୃତରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡି ଜୀବିତ ରହୁଛି ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ କହିଛନ୍ତି ।