ହାଇଦ୍ରାବାଦ: ବନ୍ୟାର କରାଳ ଗର୍ଜନ ସ୍ତବ୍ଧ ହୋଇଛି ସାରା ଦେଶ । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଆଦି ରାଜ୍ୟ ଗୁଡିକରେ ଜାରି ରହିଛି ବନ୍ୟା ବିତ୍ପାତ । ବିଭିନ୍ନ ରାଜ୍ୟରେ ଅନେକ ମୃତାହତ ହୋଇଥିବା ସୂଚନା ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ରାଜ୍ୟରେ ଏନଡିଆରଏଫ ଟିମ ମୁତୟନ ହୋଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି ।
କେରଳ...
ଅଗଷ୍ଟ 2018ର କେରଳରେ ହୋଇଥିବା ପ୍ରଳୟର ପଦଚିହ୍ନ ମନରୁ ଲିଭି ନଥିବା ବେଳେ ପୁଣିଥରେ ବନ୍ୟା ନିଜର କାୟା ବିସ୍ତାର କରିଛି କେରଳରେ । ଶୁକ୍ରବାର ସୁଦ୍ଧା ପ୍ରାୟ 43 ଲୋକଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂଚନା ରହିଛି । ତେବେ ନିଖୋଜ ଥିବା ବ୍ୟକ୍ତିଙ୍କ ସୂଚନା ମିଳି ପାରି ନାହିଁ । ୱାୟନାଡ ଓ ମଲାପ୍ପୁରମ ଜିଲ୍ଲାରେ ହୋଇଥିବା ଭୁସ୍ଖଳନରେ ଅନେକ ଲୋକ ଫସି ରହିଥିବା ଆଶଙ୍କା ମଧ୍ୟ କାରାଯାଉଛି ।
ୱାୟନାଡ ଭୁସ୍ଖଳନରେ ଉଦ୍ଧାରକାରୀ ଦଳ 8ଟି ମୃତଦେହ ଉଦ୍ଧାର କରିଥିବା ବେଳେ ମଲାପ୍ପୁରମ ପାହାଡିଆ ଅଞ୍ଚଳରେ ହୋଇଥିବା ପୃଥକ ପୃଥକ ସ୍ଥାନରେ ଭୁସ୍ଖଳନ ଯୋଗୁଁ 10 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି । କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ଯେ ଭୁସ୍ଖଳନରେ ମୃତ ଓ ନିଖୋଜ ହୋଇଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ସେପଟେ ରବିବାର ପର୍ଯ୍ୟନ୍ତ କେରଳର ରାଜଧାନୀ କୋଚିସ୍ଥିତ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି । ଏର୍ନାକୁଲମ, ଇଡୁକ୍କି, ପଲାକ୍କଡ, ମଲାପ୍ପୁରମ, କୋଝିକୋଡ, ୱାୟନାଡ ଓ କନ୍ନୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ଉଦ୍ଧାର କାର୍ଯ୍ୟ ପାଇଁ 13ଟି ଏନଡିଆରଏଫ ଟିମ ସହ 180 ଜଳ ସେନା ଅଧିକାରୀ କେରଳ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ 64,000 ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତରିତ କରାଯାଇଛି ।