ୱାଶିଂଟନ: ଆସୋସିଏଟେଡ୍ ପ୍ରେସ ନ୍ୟୁଜ୍ ଏଜେନ୍ସି (ଏପି) ରେ ଫଟୋଗ୍ରାଫି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାମ୍ମୁ କାଶ୍ମୀରର ତିନି ଭାରତୀୟ ସାମ୍ବାଦିକଙ୍କୁ 2020 ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି । ଗତ ସୋମବାର ତିନି ପୁରସ୍କାର ବିଜେତା - ଡାର ୟାସିନ, ମୁଖାର୍ ଖାନ ଏବଂ ଚାନ୍ନି ଆନନ୍ଦଙ୍କ ନାମ ଘୋଷଣା କରାଯାଇଥିଲା। ୟାସିନ୍ ଏବଂ ଖାନ୍ ଶ୍ରୀନଗରରେ ସାମ୍ବାଦିକତା କରୁଥିବା ବେଳେ ଆନନ୍ଦ ଜାମ୍ମୁରେ କରୁଥିଲେ । ୟାସିନ ଟ୍ୱିଟର ମାଧ୍ୟମରେ ସହକର୍ମୀ ଓ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କାଶ୍ମୀର କଭରେଜ ପାଇଁ ସେମାନେ ଏହି ପୁରସ୍କାର ଜିତିଥିଲେ । ବିଶେଷକରି 2019 ଅଗଷ୍ଟ 5ରେ ରାଜ୍ୟରେ ଧାରା 370 ରଦ୍ଦ ହେବା ପରେ ଲାଗୁ ହୋଇଥିବା କର୍ଫ୍ୟୁ ସମୟରେ ଏହି ତିନି ଫଟୋଗ୍ରାଫର ଅପରିଚିତ ବ୍ୟକ୍ତିଙ୍କ ଘରେ ଲୁଚି ରହି ପନିପରିବା ବ୍ୟାଗରେ କ୍ୟାମେରା ଲୁଚାଇ ପୋଲିସ ଏବଂ ସାମରିକ କାର୍ଯ୍ୟ ତଥା ଦୈନନ୍ଦିନ ଜୀବନର ଚିତ୍ର କଏଦ କରିଥିଲେ । ସେତେବେଳେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ଥିଲା ।