ନୂଆଦିଲ୍ଲୀ: ଭାରତରେ ପୁଲୱାମା ଭଳି ଆଉ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ ଇ ମହମ୍ମଦ । ଏଥିପାଇଁ ବାଲାକୋଟରେ ପ୍ରଶିକ୍ଷଣ ନେଉଛନ୍ତି ଏହି ସଙ୍ଗଠନର 27 ଆତଙ୍କବାଦୀ । ଗତ ବର୍ଷ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ବାଲାକୋଟର ଟେରର୍ କ୍ୟାମ୍ପ । ଏନେଇ ଗୁଇନ୍ଦା ବିଭାଗ ଏବଂ କାଉଣ୍ଟର ଟେରର ଅପରେଟିଭ ପକ୍ଷରୁ ସୂଚନା ଦିଆଯାଇଛି ।
ଗତବର୍ଷ ଫେବୃଆରୀ 14 ତାରିଖରେ ଜମ୍ମୁ କଶ୍ମୀରର ପୁଲୱାମାରେ ଜୈସ ଆତଙ୍କୀ ସଙ୍ଗଠନ ଦ୍ବାରା ସିଆରପିଏଫ ଉପରେ ହୋଇଥିବା ଆକ୍ରମଣରେ 40ରୁ ଉର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହାର ଜବାବ ଦେବାକୁ ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଥିବା ଜୈସ ଇ ମହମ୍ମଦ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା ।