ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ନାଗରିକତା ବିଲ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଯାହା ମଧ୍ୟରେ ନାଗରିକତା ବିଲ ହେଉଛି ଏକ ମୁଖ୍ୟ ପ୍ରସଙ୍ଗ। ଏହାସହିତ ପର୍ସନାଲ ଡାଟା ପ୍ରୋଟେକାନ ବିଲ 2019, ଆଣ୍ଟି ମେରିଟାଇମ ପ୍ରାଇସି ବିଲ 2019 ଓ ଟ୍ରାନ୍ସଜେଣ୍ଡର ପର୍ସନ ବିଲ 2019 ସହ ଅନ୍ୟ 47ଟି ବିଲ ଉପରେ ହୋଇପାରେ ଆଲୋଚନା। ଅନ୍ୟପଟେ ଓଡିଶାରେ ବିଧାନ ପରିଷଦ ଗଠନ କରିବା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି।
ଆଜିଠୁ ଆରମ୍ଭ ସଂସଦର ଶୀତକାଳୀନ ଅଧିବେଶନ
ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ନାଗରିକତା ବିଲ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର।
ଶୀତକାଳୀନ ଅଧିବେଶନ ଡିସେମ୍ବର 13 ଯାଏଁ ଜାରି ରହିବ। ପ୍ରାୟ 26 ଦିନ ଚାଲିବାକୁ ଥିବା ଏହି ଅଧିବେଶନରେ 20ଟି କାର୍ଯ୍ୟ ଦିବସ ସହ 4ଟି ବେସରକାରୀ କାର୍ଯ୍ୟ ଦିବସ ରହିବ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ବିରୋଧ ପାଇଁ ଗୃହରେ ନାଗରିକତା ବିଲ ପାରିତ କରିପାରିନଥିଲେ। ହେଲେ ଚଳିତଥର ଏହି ବିଲ୍କୁ ପାରିତ କରିପାରନ୍ତି। 2014 ଡିସେମ୍ବର 31 ପୂର୍ବରୁ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ଅଣମୁସଲମାନଙ୍କ ପାଇଁ ଏହି ବିଲ ଉଦ୍ଦିଷ୍ଟ।
ରବିବାର ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ସଂସଦ କାର୍ଯ୍ୟକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ସରକାର ବିରୋଧି ଦଳର ସହଯୋଗ କାମନା କରୁଛି। ଏ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଥାୱରଚାନ୍ଦ ଗେହଲୋଟ, ଭି ମୁରଲିଧରନ ଓ ଅର୍ଜୁନ ରାମ ମେଘୱାଲଙ୍କ ସମେତ ଅନ୍ୟ ସାଂସଦ ଉପସ୍ଥିତ ଥିଲେ । ଏଥିସହିତ ପିଏମ ମୋଦି ମଧ୍ୟ ଏକ ଟ୍ବିଟ କରି ଅଧିବେଶନରେ ସମସ୍ତ ଦଳକୁ ଯୋଗ ଦେବାକୁ ଆହ୍ବାନ ଦେଇଥିଲେ।