ନୂଆଦିଲ୍ଲୀ: ଜାତୀୟ ନାଟ୍ୟ ବିଦ୍ୟାଳୟରେ ଚଳିତ ମାସ ଆରମ୍ଭ ହୋଇଛି ଭାରତ ରଙ୍ଗ ମହୋତ୍ସବର 21ତମ ସଂସ୍କରଣ । ଯେଉଁଥିରେ ଭାଗ ନେବା ପାଇଁ ପହଞ୍ଚିଛନ୍ତି ଦେଶ ବିଦେଶରୁ ବଛା ବଛା 101ଟି ନାଟକ । 1 ଫେବୃଆରୀରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ 21 ତାରିଖ ଯାଏଁ ଚାଲିବ । ତେବେ ଭାରଙ୍ଗମ ଭାବେ ଖ୍ୟାତି ହାସଲ କରିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବାଦର ନାଟକ ଦେଖିବା ପାଇଁ ଜମୁଛି ଦର୍ଶକଙ୍କ ଭିଡ ।
ସମୟ ଥିଲା ମଞ୍ଚ ନାଟକକୁ ଲୋକେ ପସନ୍ଦ କରୁ ନଥିଲେ । ଅବହେଳିତ ହୋଇ ରହିଯାଇଥିଲା ଏହି ପ୍ରାଚୀନ କଳା । କିନ୍ତୁ ଭାରଙ୍ଗମ ନିଜର ଆପ୍ରାଣ ଉଦ୍ୟମରେ ମଞ୍ଚ ନାଟକକୁ ପୁଣି ଏହାର ଲୋକ ପ୍ରିୟତା ଫେରାଇବାରେ ସାହାଯ୍ୟ କରୁଛି କହିଲେ କିଛି ଭୁଲ ହେବ ନାହିଁ । ଚଳିତବର୍ଷର କାର୍ଯ୍ୟକ୍ରମରେ ହିନ୍ଦୀ, ଇଂରାଜୀ ସମେତ ଆହୁରି ଅନେକ ଆଞ୍ଚଳିକ ଭାଷାରେ ନାଟକ ପରିବେଶିତ ହେଉଛି । ଯେଉଁଥିରୁ ଭାରତରୁ 91ଟି ନାଟକ ଓ ବିଦେଶରୁ 10ଟି ନାଟକର ଚୟନ କରାଯାଇଛି । ତେବେ ପ୍ରାୟ 25ଶହରୁ ଅଧିକ ନାଟ୍ୟକର୍ମୀ ଏହି ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣା ପଡିଛି ।