ଓଡିଶା

odisha

ETV Bharat / bharat

2019 ପଲିଟିକ୍ସ: ମିଶିଲାନି ମନ, ତୁଟିଲା ସମ୍ପର୍କ

ଆଉ ଦିନ କେଇଟା ପରେ ବିଦାୟ ନେବ ବର୍ଷ 2019 । 2020କୁ ସ୍ବାଗତ ପାଇଁ ପ୍ରସ୍ତୁତି ସବୁଠି ଯୋରଦାର । ତେବେ ବର୍ଷ 2019ରେ ଦେଶରେ ଘଟିଥିବା ଘଟଣା, ଦୁର୍ଘଟଣା, ନିର୍ବାଚନ, କଳା,ସଂସ୍କୃତି, ଅର୍ଥନୀତି, ସୁରକ୍ଷା, ଆଭ୍ୟନ୍ତରୀଣ ପ୍ରସଙ୍ଗ ସହ ଦେଶ, ବିଦେଶର ସମସ୍ତ ଫର୍ଦ୍ଦକୁ ଆମେ ଉପସ୍ଥାପନା କରୁଛୁ ଆପଣଙ୍କ ସମ୍ମୁଖରେ । ଆଜିର ପ୍ରସଙ୍ଗ 2019ରେ ଦେଶରେ ହୋଇଥିବା ନିର୍ବାଚନକୁ ନେଇ । ପଢନ୍ତୁ ଅଧିକ....

By

Published : Dec 25, 2019, 11:48 PM IST

Updated : Dec 26, 2019, 9:39 PM IST

PHOTO
year of country

ଭୁବନେଶ୍ବର: ବିଦାୟ ନେବାକୁ ପ୍ରସ୍ତୁତ ହେଲାଣି 2019 । 2020କୁ ସ୍ବାଗତ ପାଇଁ ସଜବାଜ ହେଉଛି ଦେଶ । ଏସବୁ ମଧ୍ୟରେ 2019 ସାଉଣ୍ଟିଛି ଅନେକ ସ୍ମୃତି ଆଉ ଅନୁଭୂତି । ରାଜନୀତି, ଅର୍ଥନୀତି, କଳା, ସଂସ୍କୃତି, ସାହିତ୍ୟ, ସୁରକ୍ଷା, ଆନ୍ତର୍ଜାତୀୟ କ୍ଷେତ୍ରରେ 19 ଫର୍ଦ୍ଦରେ ଯୋଡି ହୋଇଛି ଅନେକ ଉପଲବ୍ଧି । ତେବେ ନିର୍ବାଚନର ବର୍ଷ ଥିଲା 2019 । ଶତ୍ରୁ ମିତ୍ର ପାଲଟିଲେ ତ କେଉଁଠି ତୁଟିଲା ସମ୍ପର୍କ । କେଉଁଠି ରାଜନେତା ଜିଦରେ ରହିଲେ ତ କେଉଁଠି ସେମାନଙ୍କୁ ହଟାଇବା ପାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଲା । କହିବାକୁ ଗଲେ ଏବର୍ଷ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ କମ ହୋଇଛି । କିନ୍ତୁ ମେଣ୍ଟ ଭାଙ୍ଗିବା ଦୃଶ୍ୟ ଅଧିକ ଦେଖିବାକୁ ମିଳିଲା । ଚଳିତବର୍ଷର ରଙ୍ଗମଞ୍ଚରେ ରାଜନୈତିକ ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଲା । ନଜର ପକାନ୍ତୁ ସେଭଳି କିଛି ଚର୍ଚ୍ଚିତ ଘଟଣାବଳୀ ଉପରେ:-

ସାଧାରଣ ନିର୍ବାଚନ

ସାଧାରଣ ନିର୍ବାଚନ ପର୍ବ ପାଇଁ ବର୍ଷ ଆରମ୍ଭରୁ ଗରମ ରହିଥିଲା ଦେଶର ପାଣିପାଗ । ସପ୍ତଦଶ ଲୋକସଭା ନିର୍ବାଚନରେ ପୁଣିଥରେ ବାଜି ମାରିଥିଲା ବିଜେପି । ବହୁମତ ପାଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 543 ଆସନ ରୁ ଦଳ ଏକାକି 303 ଆସନ ଅକ୍ତିଆର କରିବା ସହ ଦ୍ବିତୀୟ ଥର ପାଇଁ ମୋଦି ପ୍ରଧାନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ପିତାମହ ଭୀଷ୍ମଙ୍କୁ ମିଳିନଥିଲା ଟିକେଟ । ଆଉ ସେହି ଆସନରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଲଢି ସକ୍ରିୟ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଥିଲେ । ପ୍ରଥମଥର ସେ ଲୋକସଭାକୁ ନିର୍ବାଚିତ ହୋଇ ଗୁରୁତ୍ବପୂର୍ଣ୍ଣ ଗୃହ ବିଭାଗ ସମ୍ଭାଳିଛନ୍ତି ।

ସେହିପରି ବର୍ଷ 2019 ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ପାଇଁ ଆଦୌ ଶୁଭଙ୍କର ନଥିଲା । ଦଳ ଦ୍ବିତୀୟ ଥର ପାଇଁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି । ଖୋଦ ସେତେବେଳର ଦଳ ସଭାପତି ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଆସନ ଆମେଠୀକୁ ବଞ୍ଚାଇବାରେ ବିଫଳ ହୋଇଥିଲେ । ରାହୁଲ ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଯଦିଓ ରାହୁଲ ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ନିଜ ଦ୍ବିତୀୟ ଆସନ କେରଳର ୱାଇନାଡ ରୁ ବିଜୟୀ ହୋଇ ଲୋକସଭା ପହଞ୍ଚିଛନ୍ତି । ଏହି ନିର୍ବାଚନରେ ଦଳର ଅନେକ ରଥୀ ମହାରଥୀ ପରାଜୟ ଭୋଗିଛନ୍ତି । ସେହିପରି 2019ରେ କଂଗ୍ରେସ ରାଜନୀତିକୁ ପ୍ରବେଶ କରିଥିଲେ ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସିଧା ସଳଖ ନିର୍ବାଚନ ଲଢିନଥିଲେ ମଧ୍ୟ ନିର୍ବାଚନ ପରିଚାଳନା ଓ ପ୍ରଚାର ଦାୟିତ୍ବ ସମ୍ଭାଳିଥିଲେ । କିନ୍ତୁ ଦଳକୁ କ୍ଷମତା ଫେରାଇ ପାରିନଥିଲେ ।

7 ରାଜ୍ୟରେ ବିଧାନସଭା ନିର୍ବାଚନ
ବର୍ଷ 2019ରେ ଦେଶର 7 ଟି ରାଜ୍ୟ ଓଡିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ,ମହାରାଷ୍ଟ୍ର, ହରିୟାଣା ଓ ଝାଡଖଣ୍ଡରେ ହୋଇଥିଲା ବିଧାନସଭା ନିର୍ବାଚନ ।


ଓଡିଶା

ବର୍ଷ 2019ରେ ରାଜ୍ୟରେ ହୋଇଥିଲା ଷୋଡଶ ବିଧାନସଭା ନିର୍ବାଚନ। ଶାସକ ବିଜେଡି-ବିଜେପି ମଧ୍ୟରେ ହୋଇଥିବା କଡା ଲଢେଇରେ 147 ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେଡି 112 ଆସନ ଦଖଲ କରି ପୁଣିଥରେ ବହୁମତ ପାଇବା ସହ ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାସହ ରାଜ୍ୟ ରାଜନୀତିରେ ପ୍ରମାଣିତ ହୋଇଥିଲା ନବୀନ ହିଁ ଏକମାତ୍ର ଅପରାଜୟ ନେତା ।

ଆନ୍ଧ୍ର ପ୍ରଦେଶ

ବର୍ଷ 2019ରେ ହୋଇଥିଲା ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ । ଆନ୍ଧ୍ର ପ୍ରଦେଶ ବିଭାଜନ ପରେ ଏହା ଥିଲା ଦ୍ବିତୀୟ ବିଧାନସଭା ନିର୍ବାଚନ । ରାଜନୈତିକ, ଭୌଗୋଳିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଏହି ବିଧାନସଭା ରାଜ୍ୟ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଥିଲା । ଶାସନରେ ଥିବା ତେଲଗୁ ଦେଶମ ପାର୍ଟି ପୁଣିଥରେ କ୍ଷମତାକୁ ଫେରିବା ଦୃଢ ନିଶ୍ଚିତ ଥିଲା । ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଦଳର ବିଜୟ ନେଇ ଦୃଢ ନିଶ୍ଚିତ ଥିଲେ । କାରଣ ସେ ପ୍ରଥମଥର ଏନଡିଏରୁ ଅଲଗା ହୋଇ ଏକାକି ନିର୍ବାଚନକୁ ଓହ୍ଲାଇ ଥିଲେ । 175 ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଏକାକି 151 ସିଟ ଅକ୍ତିଆର କରି ପ୍ରଥମ ଥର ପାଇଁ କ୍ଷମତା ଦଖଲ କଲା ୱାଇଏସଆର କଂଗ୍ରେସ । ଦଳ ମୁଖ୍ୟ ଜଗମୋହନ ରେଡ୍ଡୀ ହେଲେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ । ଯାହା ବର୍ଷ 2019 ପାଇଁ ଥିଲା ଏକ ଚର୍ଚ୍ଚିଚ ରାଜନୈତିକ ଘଟଣା ।

ମହାରାଷ୍ଟ୍ର

ଦେଶରେ ସାଧାରଣ ନିର୍ବାଚନ ପରେ ପରେ ଦୁଇଟି ବିଜେପି ଶାସିତ ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନନ । ଗୋଟିଏ ଥିଲା ମହାରାଷ୍ଟ୍ର ଅନ୍ୟଟି ହରିୟାଣା । ମହାରାଷ୍ଟ୍ରରେ ବିଜେପି-ଶିବସେନା ମିଳିତ ଭାବେ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । 288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ଶିବସେନା ମେଣ୍ଟକୁ ମିଳିଥିଲା 160ରୁ ଉର୍ଦ୍ଧ୍ବ ସିଟ । ହେଲେ ନିର୍ବାଚନ ଫଳାଫଳ ପରେ ଶିବସେନା କ୍ଷମତା ପାଇଁ ଆରମ୍ଭ କଲା ନିଜ ଖେଳ । ବିଜେପି ଆଗରେ ରଖିଲା 50-50 ଫର୍ମୁଲା । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଅଡିବସିଲା । ଯାହା ବିଜେପି ପାଇଁ ଗ୍ରହଣୀୟ ନଥିଲା । ଫଳରେ ଦୀର୍ଘ ଏକମାସ ଧରି ଟଣା ଓଟରା ପରେ ବିଜେପି-ଶିବସେନାର 30 ବର୍ଷ ମେଣ୍ଟରେ ପଡିଲା ଯବନିକା । ଶିବସେନା ନିଜର ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ବିରୋଧୀ କଂଗ୍ରେସ-ଏନସିପି-ଶିବସେନା ଗଠନ କଲେ ସରକାର । ଯାହା ଅପ୍ରତ୍ୟାଶିତ ଥିଲା ।

ହରିୟାଣ ବିଧାନସଭା ନିର୍ବାଚନ

ବର୍ଷ 2019ରେ ହରିୟାଣ ବାସୀ ମଧ୍ୟ ବାଛିଥିଲେ ତାଙ୍କ ସରକାର । ଏଠି ମଧ୍ୟ କ୍ଷମତାରେ ଥିବା ବିଜେପି ପୁଣିଥର ନିଜ ବଳରେ ବଳିଆନ ହେବାକୁ ଅସମର୍ଥ ହୋଇଥିଲା । 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ମ୍ୟାଜିକ ନମ୍ବର 45 ଛୁଇଁବାରେ ବିଜେପି ଅସମର୍ଥ ହୋଇଥିଲା । ଫଳରେ ଦଳ ନିଜ ବିରୋଧୀ ଜନ ନାୟକ ଜନତା ପାର୍ଟି( ଜେଜେପି)ର 10 ବିଧାୟକଙ୍କ ସହାୟତାରେ ସରକାର ଗଠନ କରିଛି ।


ଅରୁଣାଚଳ ପ୍ରଦେଶ

60 ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶର ମଧ୍ୟ 2019ରେ ହୋଇଥିଲା ବିଧାନସଭା ନିର୍ବାଚନ । ବିଜେପି ରାଜ୍ୟରେ 37ଟି ଆସନରେ ପଦ୍ମ ଫୁଟାଇବା ସହ ସରକାର ଗଠନ କରିଛି ।

ସିକିମ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମରେ ମଧ୍ୟ 2019ରେ ବିଧାନସଭା ନିର୍ବାଚନ ହୋଇଥିଲା । 32 ଆସନ ବିଶିଷ୍ଟ ସିକିମ ବିଧାନସଭା ନିର୍ବାଚନରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା 17ଟି ସିଟ ପାଇ ଶାସନ କରୁଛି ।

ଝାଡଖଣ୍ଡ

ବର୍ଷ ଶେଷ ବେଳକୁ ହୋଇଥିଲା ଝାଡଖଣ୍ଡ ବିଧାନସଭା ନିର୍ବାଚନ । ଏହି ରାଜ୍ୟରେ କିନ୍ତୁ ଜବରଦସ୍ତ ଝଟକା ଖାଇଥିଲା ଶାସକ ବିଜେପି । ମହାରାଷ୍ଟ୍ରରୁ କ୍ଷମତା ଯିବା ପୀଡା କମିନଥିବା ବେଳେ ଦଳ ହାତରୁ ଖସିଗଲା ଝାଡଖଣ୍ଡ । 81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଦଳ ଶୋଚନୀୟ ପରାଜୟ ଭୋଗିଛି ।

Last Updated : Dec 26, 2019, 9:39 PM IST

ABOUT THE AUTHOR

...view details