ଓଡିଶା

odisha

ETV Bharat / bharat

କାନ୍ଦାହାର ହାଇଜ୍ୟାକକୁ 20 ବର୍ଷ: ବର୍ତ୍ତମାନ ବି ଭାରତ ଭୋଗୁଛି ପରିଣାମ - ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନ

188 ଜଣ ଯାତ୍ରୀଙ୍କ ସହ ମଝି ଆକାଶରୁ ହାଇଜ୍ୟାକ ହେଇଗଲା IC 814 ବିମାନ । ତିନିଜଣ ଆତଙ୍କବାଦୀ ଘଟାଇଥିଲେ ଏହି ଅମାନବୀୟ କାଣ୍ଡ, ଯାହାର ପରିଣାମ ସ୍ବରୂପ ଭାରତ ଭୋଗଛି ଗୋଟିଏ ପରେ ଗୋଟିଏ ଆତଙ୍କୀ ଆକ୍ରମଣ । ଏହି କାରଣରୁ ମୁଣ୍ଡ ଟେକି ଠିଆ ହେଲା ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନ । ଜାଣନ୍ତୁ କିଏ ସେ ଆତଙ୍କବାଦୀ ଓ କଣ ଥିଲା ସେମାନଙ୍କ ଉଦ୍ଦେଶ୍ୟ...

20 years on IC814 hijacking
କାନ୍ଦାହାର ହାଇଜ୍ୟାକକୁ 20 ବର୍ଷ: ବର୍ତ୍ତମାନ ବି ଭାରତ ଭୋଗୁଛି ପରିଣାମ

By

Published : Dec 24, 2019, 12:08 PM IST

ହାଇଦ୍ରାବାଦ: ଭାରତୀୟ ବିମାନ ଆଇସି ୮୧୪ ଅପହରଣକୁ ଆଜି ୨୦ ବର୍ଷ ପୂରୁଛି। ଏଇ କୋଡ଼ିଏ ବର୍ଷ ଭିତରେ କ’ଣ ସବୁ ବଦଳିଛି ? ସେତେବେଳେ ସେଇ ବିମାନର ୧୮୮ ଜଣ ଯାତ୍ରୀ ତଥା ପଣବନ୍ଦୀଙ୍କୁ ନିରାପଦରେ ଖଲାସ କରିବା ପାଇଁ ଭାରତ ସରକାରଙ୍କୁ ବନ୍ଦୀ ଥିବା ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଖଲାସ କରିବାକୁ ପଡ଼ିଥିଲା। ସେଇ ବିମାନ ନେପାଳରୁ ଭାରତ ଆସିବାର ଥିଲା, କିନ୍ତୁ ବାଟରେ ତାଲିବାନ୍‌ମାନେ ତାହାକୁ ଅପହରଣ କରି କାନ୍ଦାହାର ନେଇଯାଇଥିଲେ।

ଯେଉଁ ତିନିଜଣ ଆତଙ୍କବାଦୀଙ୍କୁ ଭାରତୀୟ ଜେଲ୍‌ରୁ ମୁକ୍ତି ଦିଆଯାଇଥିଲା, ସେମାନଙ୍କ ଭିତରୁ ଦୁଇଜଣ ଏବେ ପାକିସ୍ତାନ ମାଟିରେ ଆରାମରେ ବୁଲୁଛନ୍ତି ଆଉ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି। ସେମାନେ ହେଲେ ମୁସ୍ତାକ୍‌ ଅହମ୍ମଦ ଜାରଗର ଓରଫ ମୁସ୍ତାକ୍‌ ଲତ୍ରାମ୍‌, ଯିଏ କାଶ୍ମୀର ଭିତ୍ତିକ ଏକ ଆତଙ୍କବାଦୀ ସଂଗଠନ ‘ଅଲ୍‌ ଉମର ମୁଜାହିଦ୍ଦିନ୍‌’କୁ ଚଳାଉଛି। ଅନ୍ୟଜଣେ ହେଲେ ମୌଲାନା ମସୁଦ୍‌ ଅଝାର୍‌, ଯିଏ ପରବର୍ତ୍ତୀ ସମୟରେ ଆଉ ଏକ ଆତଙ୍କୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ ସ୍ଥାପନ କରିଛି । ଏହି ଆତଙ୍କବାଦୀ ଭାରତର ସୁରକ୍ଷା ପାଇଁ ବିପଦ ହୋଇ ରହି ଆସିଛନ୍ତି ଆଉ ବାରମ୍ବାର ଆତଙ୍କୀ ଆକ୍ରମଣ କରୁଥିବା ନେଇ ଭାରତର ଅଭିଯୋଗ ହେଉଛି ।

ଏହାଙ୍କୁ ଖୋଜିବା ଲାଗି ଭାରତ ପକ୍ଷରୁ ଅନେକ ସାମରିକ ଓ ଗୁଇନ୍ଦା ଅପରେସନ୍‌ ତଥା ଆନ୍ତର୍ଜାତୀୟ ଚାପ ଉଦ୍ୟମ ହୋଇଛି, କିନ୍ତୁ ସେସବୁ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିନାହିଁ। ତୃତୀୟ ଜଣକ ହେଲେ, ଶେଖ ଓମାର। ଆପଣଙ୍କ ମନେ ଥିବ ଏହି ବ୍ରିଟିଶ୍‌ ନାଗରିକ ପାକିସ୍ତାନ୍‌ରେ ଜଣେ ଆମେରିକୀୟ ସାମ୍ବାଦିକ ଡାନିଏଲ୍‌ ପର୍ଲଙ୍କୁ ହତ୍ୟା କରିଥିଲେ। ତାଙ୍କୁ ପାକିସ୍ତାନ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ବିମାନ ଅପହରଣ ପରେ ମୁସ୍ତାକ୍‌ ଆଉ ଅନ୍ୟମାନଙ୍କ ଭଳି ସର୍ବ ସମ୍ମୁଖରେ ନିଜର କାର୍ଯ୍ୟକଳାପ ଜାରି ରଖି ନାହିଁ। କିନ୍ତୁ ମସୁଦ୍‌ ଆଝାର୍‌ ଆତଙ୍କବାଦୀ କାର୍ଯ୍ୟକଳାପକୁ ଏକ ନୂଆ ଦିଗ ଦେଇଛି। ଭାରତ ବିପକ୍ଷରେ ସେ ତା’ର କାର୍ଯ୍ୟକଳାପ ଜାରି ରଖିଛି।

କାଶ୍ମୀର ଏବଂ ଦେଶର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ସେ ଆରମ୍ଭ କରିଛି। ଇଏ ହେଉଛି ସେଇ ଆତଙ୍କବାଦୀ ଯିଏ ଭାରତୀୟ ସଂସଦ ଏବଂ ଜମ୍ମୁ କଶ୍ମୀର ବିଧାନସଭା ଉପରେ ଆକ୍ରମଣ କରିଥିଲା। ଶ୍ରୀନଗରର ଜଣେ ବାଳକ ଅବ୍‌ତାଫ୍‌ ଅହମ୍ମଦ ଶାହକୁ ସେ ପ୍ରଥମେ ନିଜର ଆତ୍ମଘାତୀ ଆକ୍ରମଣରେ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। ଶ୍ରୀନଗରର ବାଦାମୀ ବାଗ୍‌ ସେନା ଶିବିର ଉପରେ ସେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା, ଅବଶ୍ୟ ତାହା ବିଫଳ ହୋଇଥିଲା। ଅପହରଣ ପୂର୍ବରୁ ଭାରତୀୟ ଜେଲ୍‌ରେ ବନ୍ଦୀ ଥିବା ଆଝାରକୁ ଖସାଇବା ଲାଗି ଜେଲ୍‌ ଭାଙ୍ଗିବା ଉଦ୍ୟମ ହୋଇଥିଲା। ଏସବୁର ମାଷ୍ଟର ମାଇଣ୍ଡ୍‌ ଥିଲା ଆଝାରର ଭାଇ ୟୁସୁଫ୍‌।

ଜଣେ ଭାରତୀୟ ନାଗରିକ ୟୁସୁଫ୍‌କୁ ତା’ର ଆତଙ୍କୀ କାର୍ଯ୍ୟକଳାପ ପାଇଁ ବିଶେଷ ସହାୟତା କରିଥିଲେ। ସେ ହେଲେ ଅବଦୁଲ୍‌ ଲତିଫ୍‌, ଯାହାଙ୍କ ସାହାଯ୍ୟ ଦ୍ଵାରା ୟୁସୁଫ୍‌ ପାସ୍‌ପୋର୍ଟ ଯୋଗାଡ଼ ସହ ମୁମ୍ବାଇରେ ରହିବା, ଏଠାରେ ଚଳପ୍ରଚଳ ପାଇଁ ସୁବିଧା ପାଇବା ତଥା ଅବାଶ୍ୟକ ଟଙ୍କା ବି ଯୋଗାଡ଼ କରିପାରିଥିଲା। ପାଖାପାଖି ଦେଢ଼ ବର୍ଷ ସମୟ ଧରି ସେ ମୁମ୍ବାଇରେ ରହି ବିମାନ ଅପହରଣର ସ୍କ୍ରିପ୍ଟ ରଚନା କରିଥିଲା। ତାପରେ ତା’ର ବିମାନ ଅପହରଣ ଯୋଜନା ଢାକାରେ ପୂର୍ଣ୍ଣାଙ୍ଗ ହୋଇଥିଲା । ବିମାନ ଅପହରଣ ବାବଦରେ ଭାରତୀୟ ଗୁଇନ୍ଦା ପାଖରେ ଯେ ସୂଚନା ନଥିଲା ତା’ ନୁହେଁ। ଯଦି ସେଦିନ କାଠମାଣ୍ଡୁଠାରେ ଥିବା ଭାରତୀୟ ଗୁଇନ୍ଦା ଦ୍ଵାରା ଦିଆଯାଇଥିବା ସତର୍କ ସୂଚନାକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରାଯାଇ ଠିକଣା ନିଷ୍ପତ୍ତି ତଥା ଆବଶ୍ୟକ ପ୍ରତିରୋଧମୂଳକ ପଦକ୍ଷେପ ନେଇଥାଆନ୍ତା, ତେବେ ହୁଏତ ଏହି ଅପହରଣକୁ ପଣ୍ଡ କରାଯାଇପାରି ଥାଆନ୍ତା।

ହେଲେ ସେତେବେଳେ କାଠମାଣ୍ଡୁର ସେହି ସୂଚନାକୁ କୌଣସି ବିପଦ ବୋଲି ଗ୍ରହଣ କରାଯାଇନଥିଲା। ଏହା ବିପଦ ନୁହେଁ ବୋଲି କହିଥିବା ର’ ଅଧିକାରୀ ଜଣକୁ ପରବର୍ତ୍ତୀ ସମୟରେ ସେହି ବିମାନର ଯାତ୍ରୀ ଭାବେ ଠାବ କରାଯାଇଥିଲା। ସେହି ଅଧିକାରୀଜଣକ ବେଶ୍‌ ପ୍ରଭାବଶାଳୀ ଥିଲେ। ତାଙ୍କ ପତ୍ନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟାଳୟରେ ଜଣେ ଗୁରୁତ୍ଵପୂର୍ଣ୍ଣ ଅଧିକାରୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଥିଲା। ବିମାନଟି ଅପହୃତ ହେବାର କିଛି ଘଣ୍ଟା ପରେ ପାଇଲଟ୍‌ ବିମାନରେ ଇନ୍ଧନ କମ୍‌ ଥିବା ଦର୍ଶାଇ ଅମୃତସର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲେ।

ସେତେବେଳେ ଭାରତୀୟ ସେନା ପାଇଁ କାର୍ଯ୍ୟାନୁଷ୍ଠାନର ସୁଯୋଗ ରହିଥିଲା। ଯଦି ସେହି ର’ ଅଧିକାରୀଜଣକ ବିମାନରେ ଯାତ୍ରା କରୁନଥାଆନ୍ତେ ହୁଏତ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ଵାରା ବିମାନକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରାଯାଇପାରିଥାଆନ୍ତା। କିନ୍ତୁ ର’ ଚାହିଁଲା ସେହି ଅଫିସର ଜଣକ ନିରାପଦ ରହନ୍ତୁ । ଏଣୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବାରଣ କରାଗଲା। ଯଦିଓ ଇନ୍ଧନ ଭର୍ତ୍ତି କରାଯାଇ ନଥିଲା କିନ୍ତୁ ସାମରିକ ନୀରବତା ହେତୁ ବିମାନଟିକୁ ପୁଣିଥରେ ଆକାଶରେ ଉଡ଼ାଇନେବାରେ ସକ୍ଷମ ହୋଇଥିଲେ ଆତଙ୍କବାଦୀ।

ପରବର୍ତ୍ତୀ ସମୟରେ ଇନ୍ଧନ ଜରୁରୀ ହେବାରୁ ତାହାକୁ ପାକିସ୍ତାନର ଲାହୋରଠାରେ ଅବତରଣ କରାଗଲା। ଅଇସି ୮୧୪ ଅପହରଣ ସମୟରେ ତଥା ଏହି ଘଟଣା ପରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିବା ସଂଗଠନଗୁଡ଼ିକ ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ଆଫଗାନ୍‌ ତାଲିବାନ୍‌ଙ୍କ ସହ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ କଶ୍ମୀରରେ କାର୍ଯ୍ୟ କରୁଥିବା ଆତଙ୍କୀ ସଂଗଠନଗୁଡ଼ିକର ସମ୍ପର୍କ ସ୍ପଷ୍ଟ ହେଲା। ଦ୍ଵିତୀୟରେ ଏହା ବି ସ୍ପଷ୍ଟ ହେଲା ଯେ, ମାସୁଦ୍‌ ଆଝାର କଶ୍ମୀର ଏବଂ ଅନ୍ୟ ଜାଗାଗୁଡ଼ିକରେ ଯେଉଁ ଆତଙ୍କୀ କାର୍ଯ୍ୟକଳାପ ହୋଇଛି ତାହାର ମୁଖ୍ୟ ଖଳନାୟକ ଥିଲା।

ତା’ର ଯେ, ଆନ୍ତର୍ଜାତୀୟ ଆତଙ୍କୀ ସଂଗଠନଗୁଡ଼ିକ ସହ ସମ୍ପର୍କ ଥିଲା ତାହା ବି ସାମ୍ନାକୁ ଆସିଲା। ଅପହରଣ ସଫଳ ହେବା ତଥା ୧୯୯୯ରେ ତାର ମୁକ୍ତି ପରେ, ତା ଦ୍ଵାରା ସ୍ଥାପନ କରାଯାଇଥିବା ‘ଜୈଶ-ଇ-ମହମ୍ମଦ’ ଆତଙ୍କୀ ଗୋଷ୍ଠୀ ଭାରତର ବିଭିନ୍ନ ସ୍ଥାନରେ ନାରକୀୟ ଆତଙ୍କୀ କାର୍ଯ୍ୟକଳାପ ଆରମ୍ଭ କଲା ଆଉ ଏହା ଜାରି ରହିଛି। ପାକିସ୍ତାନର ଉତ୍ତର ପଶ୍ଚିମ ପ୍ରଭିନ୍ସ (ଏନ୍‌ଡବ୍ଲୁପି) ଏବଂ ବାଲାକୋଟ୍‌କୁ ନିଜ ଆତଙ୍କୀ ଅନୁଷ୍ଠାନ ତଥା ଭବିଷ୍ୟତରେ ପ୍ରସ୍ତାବିତ ଯୋଜନାଗୁଡ଼ିକୁ ବାସ୍ତବ ରୂପ ଦେବା ଲାଗି ପେଣ୍ଠସ୍ଥଳ ଭାବେ ଗ୍ରହଣ କରିଲା ଆଝାର। ଏହାର ମୁଖ୍ୟ କାରଣ ଥିଲା ଭାରତର ଗୁଇନ୍ଦା ରାଡାରଠୁ ଦୂରରେ ରହିବା।

ସେତେବେଳେ ଏହି ରାଡାର ଇସ୍‌ଲାମବାଦ୍‌ ଏବଂ ମୁଜାଫରବାଦଠାରେ ନିଜକୁ କେନ୍ଦ୍ରୀଭୂତ କରୁଥିଲା କାରଣ ସେଠାରୁ ଅଧିକାଂଶ ଆତଙ୍କବାଦୀ ନିଜ କାର୍ଯ୍ୟକଳାପ ପରିଚାଳନା କରୁଥିଲେ। ଅନ୍ୟ ଆତଙ୍କବାଦୀ ସଂଗଠନ ଯେମିତି ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌, ଅଲ ଉମର, ଜାମିଏତ୍‌ ଉଲ୍‌ ମୁଜାହିଦ୍ଦିନ୍‌ ଠାରୁ ଆଝାରର ସଂଗଠନ ଚିନ୍ତାଧାରାରେ ଭିନ୍ନ। ଏହା ଆଇଏସ୍‌ଆଇ ଭଳି ସମ୍ପୂର୍ଣ୍ଣ ଇସ୍‌ଲାମ୍‌ ଚିନ୍ତାଧାରାରେ ନିଜକୁ ପରିଚାଳିତ କରିଥାଏ। ଏହାଙ୍କ ସମର୍ଥକମାନେ ୱାହାବି ଆଦର୍ଶ ଦ୍ଵାରା ଅନୁପ୍ରାଣୀତ, ଯେଉଁମାନେ କେବେ ହେଲେ ବି ରାଷ୍ଟ୍ରବାଦରେ ବିଶ୍ଵାସ କରନ୍ତି ନାହିଁ। ଆଉ ଯେଉଁ ଲୋକମାନେ ଦେଶ, ଜାତି କଥା କହନ୍ତି ସେମାନଙ୍କ ଉପରେ କୌଣସି ଦୟା ପ୍ରଦର୍ଶନ କରନ୍ତି ନାହିଁ।

‘ଜୈଶ-ଇ-ମହମ୍ମଦ’ର କ୍ୟାଡରମାନଙ୍କ ପାଇଁ ଆଝାର ଏବଂ ତା’ର ପରିବାର ଲୋକେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥାଆନ୍ତି। ବିଶେଷକରି ଯେଉଁମାନେ ଭୟଙ୍କର ଆକ୍ରମଣ କରନ୍ତି ସେମାନଙ୍କୁ ଆଝାର ତା’ର ନିଜ ସ୍କୁଲ୍‌ରୁ ଚୟନ କରିଥାଏ। ଯଦିଓ ଏବେ କୁହାଯାଉଛି ଯେ, ଆଝାର ଏମିତି କୌଣସି ଆତଙ୍କୀ କାର୍ଯ୍ୟକଳାପ ପାଇଁ ସ୍ଵାସ୍ଥ୍ୟଗତ ଭାବେ ଉପଯୁକ୍ତ ନୁହେଁ, କିନ୍ତୁ ଇସ୍‌ଲାମ ଜିହାଦ୍‌ ଚିନ୍ତାଧାରା ଆଧାରରେ ପ୍ରତିଷ୍ଠିତ ତା’ର ଅନୁଷ୍ଠାନ ଏପରି ଅତଙ୍କୀଙ୍କ ପାଇଁ ଭୟଙ୍କର ସୁଫଳ ସବୁ ଅର୍ଜନ କରୁଛନ୍ତି । ଯେଉଁମାନେ ୨୪ ଡିସେମ୍ବର ୧୯୯୯ରେ ହୋଇଥିବା ଭାରତୀୟ ବିମାନ ଆଇସି ୮୧୪ ଅପହରଣ ବିଷୟରେ ଜାଣିଥିବେ ସେମାନେ ବୁଝିଥିବେ ଯେ, ଏହିଭଳି ତତ୍ତ୍ଵକୁ ଭାରତରେ ବିକଶିତ କରିବାକୁ ନଦେବା କେତେ ଗୁରୁତ୍ଵପୂଣ୍ଣ ! ସେହି ବିମାନରେ ୭ ଦିନ ଧରି ବନ୍ଦୀ ରହିଥିବା ସେ ଯାତ୍ରୀମାନଙ୍କ ଦୁଃଖକୁ ପ୍ରଶମିତ କରିବା ଏବେ ବି ଭାରତ ପାଇଁ ଏକ ଆହ୍ବାନ ହୋଇ ରହିଛି। ଏହି ଦୁଃଖର ଅନ୍ତ ସେତେବେଳେ ହେବ ଯେତେବେଳେ ଆଝାର ଭଳି ଆତଙ୍କବାଦୀ ଆଇନର କାଠଗଡ଼ାରେ ଠିଆ ହେବ। ବିଚାର ପ୍ରକ୍ରିୟାରେ ସାମିଲ୍‌ ହେବ।


ଆଝାରକୁ ଅନ୍ତ କରିବା ପାଇଁ ଅନେକ ସାମରିକ ଏବଂ ଗୁଇନ୍ଦା କାର୍ଯ୍ୟକ୍ରମ ହୋଇଛି କିନ୍ତୁ ତାହା ସଫଳ ହୋଇପାରି ନାହିଁ। ଏହିଭଳି ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନାକୁ ଅନେକଥର ଶିକାର କରିଛି ଆଝାର। 2019 ମସିହାରେ ହୋଇଥିବା ବାଲାକୋଟ୍‌ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ମୁଖ୍ୟତଃ ଆଝାରକୁ ଅନ୍ତ କରିବା ତଥା ଏହାର ଶିବରକୁ ନଷ୍ଟ କରିବା ଲାଗି ଉଦ୍ଦିଷ୍ଟ ଥିଲା। ସେହିପରି ତାକୁ ଆନ୍ତର୍ଜାତୀୟ ଆତଙ୍କୀ ଭାବେ ଘୋଷଣା କରାଯିବାକୁ ଭାରତ ଯେଉଁ ନିରନ୍ତର ଅଭିଯାନ ଚଳାଇଛି ତାହାକୁ ଚୀନ ପକ୍ଷରୁ ବିରୋଧ କରାଯାଉଛି। ଯାହାଦ୍ଵାରା ଭାରତ ବିପକ୍ଷରେ ଆଝାର ପାକିସ୍ତାନର ଏକ ସମ୍ପତ୍ତି ହୋଇପାରିଛି।

ତାକୁ ବିଚାର ପ୍ରକ୍ରିୟାରେ ଦୋଷୀ ଭାବେ ପରିଗଣିତ କରିବାର ଉଦ୍ୟମ ଏଯାଏଁ ବାସ୍ତବତା ଅପେକ୍ଷାରେ ରହିଛି। ଏଭଳି ତତ୍ତ୍ଵକୁ ଦମନ କରିବା ଲାଗି ଜାତୀୟ ସୁରକ୍ଷା ସମ୍ବନ୍ଧରେ ସାଲିସ୍‌ବିହୀନ ନୀତି ଗ୍ରହଣ କରାଯିବା ଆବଶ୍ୟକ। କୌଣସି ବ୍ୟକ୍ତି, ଅନୁଷ୍ଠାନର ସୁରକ୍ଷା ବ୍ୟାହତ ହେବା ସମ୍ବନ୍ଧୀୟ କୌଣସି ବି ସୂଚନା ତାହା ଗୁଜବ ବା ଛଳନା ହୋଇଥିଲେ ବି ଗୁରୁତ୍ଵପୂର୍ଣ୍ଣ ମନେ କରାଯିବା ଜରୁରୀ। ଏହି ସୂଚନା ଗୁଜବ ବୋଲି ପ୍ରମାଣିତ ହେବା ଯାଏଁ ସେ ବିଷୟରେ ଅନୁଧ୍ୟାନ ଆବଶ୍ୟକ, ଯେତେବେଳେ ଏହା ଗୁଜବ ବୋଲି ପ୍ରମାଣିତ ହେଉଛି ତେବେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ଏବଂ କର୍ମକର୍ତ୍ତାଙ୍କୁ ଯଥେଷ୍ଟ ପ୍ରମାଣ ସହ ସେହି ସୂଚନା ଏକ ଗୁଜବ ବୋଲି ସୂଚାଇବା ଦରକାର।

କାନ୍ଦାହାର୍‌ ଅପହରଣ ପୂର୍ବରୁ ଏହି ଅଭାବ ଥିବାରୁ ପରବର୍ତ୍ତୀ ସମୟରେ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଥିଲା। ଯଦି ସେତେବେଳେ ଯେଉଁ ଗୁଇନ୍ଦା ସୂଚନା ନେପାଳରେ ଅବସ୍ଥିତ ର’ର କାର୍ଯ୍ୟାଳୟରେ ପହଞ୍ଚିଥିଲା, ତାହାକୁ ଗୁରୁତ୍ଵ ଦିଆଯାଇଥାଆନ୍ତା ତେବେ ହୁଏତ ଏହି ସମ୍ପୂର୍ଣ୍ଣ ଖେଳ ଭିନ୍ନ ରୂପ ନେଇଥାଆନ୍ତା। କେବଳ ଯେ, ସେହି ଅପହର୍ତ୍ତାମାନଙ୍କୁ ଗିରଫ କରାଯାଇ ଆଇନର ଗଣ୍ଡି ଭିତରେ ଛନ୍ଦି ବିଚାର ପ୍ରକ୍ରିୟାରେ ସାମିଲ୍‌ କରାଯାଇଥାଆନ୍ତି ତାହା ନୁହେଁ, ଆମେ ପରବର୍ତ୍ତୀ ସମୟରେ ଘଟିଥିବା ଆହୁରି ଅନେକ ଦୁର୍ଘଟଣାକୁ ରୋକିପାରିଥାଆନ୍ତେ। ସଂସଦ ଭବନ ଉପରେ ଆକ୍ରମଣ, ବାଲାକୋଟ ଆତଙ୍କୀ ଶିବର ଉପରେ ଆମର ପ୍ରତି ଆକ୍ରମଣ ଅଥବା ମସୁଦ୍‌ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ନିରନ୍ତର ପ୍ରକ୍ରିୟା ସବୁ ସେହି ୨୪ ଡିସେମ୍ବର ୧୯୯୯ର ଗୋଟିଏ ଗୋଟିଏ ପ୍ରସ୍ତାବନା। ଆସନ୍ତୁ ଏବେ ମିଳିମିଶି ସଂକଳ୍ପ ନେବୋ ଯେ ଏମିତି କୌଣସି ଛୋଟିଆ ଅବହେଳା, ଆବଶ୍ୟକ ଗୁଇନ୍ଦାର ଅଭାବ ହେତୁ ଆଉ ଯେମିତି କୌଣସି ଆଝାରଙ୍କ ଆବିର୍ଭାବ ନକରାଏ।

ହାଇଦ୍ରାବାଦରୁ ବିଲାଲ୍‌ ଭଟ, ଇଟିଭି ଭାରତ

ABOUT THE AUTHOR

...view details