ନୂଆଦିଲ୍ଲୀ: ଭାରତ ଓ ଆମେରିକା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଭାରତ ଓ ଆମେରିକା ମଧ୍ୟରେ 2 + 2 ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନା ପାଇଁ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ, ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ଦିଲ୍ଲୀରେ ଅଛନ୍ତି। ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ ସ୍ବାଗତ କରିଛନ୍ତି । ଏହି ଅବସରରେ ଐତିହାସିକ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (BECA) ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜିଭେଶ ନନ୍ଦନ ଭାରତ ପକ୍ଷରୁ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
ଏହି ବୁଝାମଣାର ମୁଖ୍ୟ ଆକର୍ଷଣ ଥିଲା BECA ଚୁକ୍ତିନାମା । ଏହା ବ୍ୟତିତ ପୃଥିବୀ ବିଜ୍ଞାନରେ ବୈଷୟିକ ସହଯୋଗ ପାଇଁ ଏମଓୟୁ, ଆଣବିକ ସହଯୋଗ ଉପରେ ବ୍ୟବସ୍ଥା ବିସ୍ତାର କରିବାର ବ୍ୟବସ୍ଥା, ଡାକ ସେବା ଉପରେ ଚୁକ୍ତିନାମା, ଆୟୁର୍ବେଦ ଏବଂ କର୍କଟ ଅନୁସନ୍ଧାନରେ ସହଯୋଗ ଉପରେ ଚୁକ୍ତିନାମା ଆଦି ସ୍ବାକ୍ଷର ହୋଇଛି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକାର ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ବିବୃତ୍ତିରେ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା କ୍ରମାଗତ ଭାବେ ମଜବୁତ ହୋଇଛି । ଏପରିକି 2 + 2 ବୈଠକରେ ମଧ୍ୟ ଦୁଇ ଦେଶ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିରେ କୋରୋନା ସଙ୍କଟ ପରର ପରିସ୍ଥିତି, ବିଶ୍ବର ବର୍ତ୍ତମାନର ସ୍ଥିତି, ସୁରକ୍ଷା ପ୍ରସଙ୍ଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କହିବାନୁସାରେ, ଉଭୟ ଦେଶ ପରମାଣୁ ସହଯୋଗ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଭାରତୀୟ ଉପମହାଦେଶରେ ସୁରକ୍ଷା ପରିସ୍ଥିତି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।