ନୂଆଦିଲ୍ଲୀ: କୋରୋନା ଭାଇରସ କବଳିତ ଜାପାନ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଫସିଥିବା 119 ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଛି । ସେମାନଙ୍କ ମଧ୍ୟରେ ବ୍ରହ୍ମପୁରର ଶିବାଶିଷ ନାୟକ ମଧ୍ୟ ରହିଛନ୍ତି । ସେ ଏକ କମ୍ପାନୀ ପକ୍ଷରୁ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କର୍ମଚାରୀ ଭାବେ କାମ କରୁଥିଲେ । ତେବେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏହି ଭାରତୀୟଙ୍କ ସମେତ 5 ବିଦେଶୀ ନାଗରିକଙ୍କୁ ନେଇ ଗୁରୁବାର ସକାଳୁ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । 5 ବିଦେଶୀ ନାଗରିକଙ୍କ ମଧ୍ୟରେ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର ନାଗରିକ ରହିଛନ୍ତି । ତେବେ ଏନେଇ ଜାପାନକୁ ଧନ୍ୟବାଦ ଦେଇଛି ଭାରତ ।
ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି କହିଛନ୍ତି, 'ଏୟାର ଇଣ୍ଡିଆର ବିମାନ 119 ଭାରତୀୟ ଏବଂ 5 ବିଦେଶୀ ନାଗରିକଙ୍କୁ ନେଇ ଟୋକିଓରୁ ଦିଲ୍ଲୀ ପହଞ୍ଚିଛି । ଏହି ସମସ୍ତେ କୋରୋନା ଭାଇରସ ଯୋଗୁଁ ଡାଇମଣ୍ଡ ପ୍ରିନ୍ସେସରେ ଫସିଥିଲେ । ସେମାନଙ୍କୁ ଉଦ୍ଧାର କରିବାରେ ଜାପାନୀ ଅଧିକାରୀ ସାହାଯ୍ୟର ହାତ ବଢାଇଥିଲେ । ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ଏୟାର ଇଣ୍ଡିଆକୁ ମଧ୍ୟ ଏଥିପାଇଁ ଧନ୍ୟବାଦ । '