ଭୋପାଳ: ଭାରତ ସରକାରଙ୍କ ମୁଣ୍ଡବ୍ୟଥା ବଢାଇଛି ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଧାର୍ମିକ ସମାବେଶ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ଏହି ସମାବେଶରେ ଦେଶର ଅଧିକାଂଶ ରାଜ୍ୟରୁ ବହୁ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ସମ୍ପୃକ୍ତ ରାଜ୍ୟ ପକ୍ଷରୁ ପୀଡିତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଖବର ଅନୁସାରେ ଦିଲ୍ଲୀରୁ ଏହି ସମାବେଶରେ ଯୋଗ ଦେଇ ମଧ୍ୟପ୍ରଦେଶକୁ 107 ମୁସଲିମ ଲୋକ ଫେରିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ପୋଲିସ 87 ଜଣଙ୍କୁ ଚିହ୍ନଟ କରିଛି । ଏମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖି ଚିକିତ୍ସା କରାଯାଉଛି । ବାକି ଲୋକଙ୍କୁ ଜୋରସୋରରେ ଖୋଜା ଚାଲିଛି । ତେବେ ଭାଗ ନେଇଥିବା ଲୋକେ ନିଜ ପକ୍ଷରୁ ସରକାରଙ୍କ ସହ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅନୁରୋଧ କରିଛନ୍ତି । ସରକାର ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତିତ ଏବଂ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶିବରାଜ କହିଛନ୍ତି ।