ନୂଆଦିଲ୍ଲୀ: 13 ଏପ୍ରିଲ 1919 । ଭାରତୀୟଙ୍କ ପାଇଁ ଅଭୁଲା ଦିନ । ଭାରତୀୟ ଇତିହାସର ଏକ କଳା ଦିନ । ସ୍ବାଧୀନତା ସଂଗ୍ରାମର ଅମାନବୀୟ ଓ ନିନ୍ଦନୀୟ ଅଧ୍ୟାୟ । ସାମନାକୁ ଆସିଥିଲା ତତ୍କାଳୀନ ବ୍ରିଟିଶ ଶାସକଙ୍କର ନିଷ୍ଠୁର ଓ କ୍ରୁର ସ୍ବଭାବର ଖୁଲମଖୁଲା ଚିତ୍ର । ଇଂରେଜୀ ସେନା ଗୁଳିରେ ଟଳିପଡିଥିଲେ ଶହ ଶହ ନିରୀହ ଜନତା ।
ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ । ଆଜି ଏହି ଗଣହତ୍ୟାକୁ ପୁରିଛି 100 ବର୍ଷ । ଆଉ ସମସ୍ତେ ମନେ ପକାଉଛନ୍ତି ସେହି ନରସଂହାରକୁ । କେମିତି ଥିଲା ସେହି ଅପରାହ୍ନର ଘଟଣା ? ଯେଉଁ ଦାଗକୁ ଦେଶର ଇତିହାସରୁ ଲିଭାଇବାକୁ ଇଚ୍ଛୁକ ପ୍ରତିଟି ଭାରତୀୟ ।
1919 ମାର୍ଚ୍ଚରେ ପାସ ହୋଇଥିଲା ରୋଲଟ୍ ଆକ୍ଟ । ଭାରତୀୟଙ୍କ ରାଷ୍ଟ୍ରୀୟ ପ୍ରେମକୁ ବନ୍ଦ କରିବାକୁ ଏହା ଥିଲା ବ୍ରିଟିଶ ସରକାରଙ୍କ କଡା ଆଭିମୁଖ୍ୟ । ଏହି ଆକ୍ଟ ଆଧାରରେ ଏପ୍ରିଲ 10- 1919ରେ ଡ. ସତ୍ୟପାଲ ଓ ଡ. କିଚ୍ଲୁଙ୍କୁ ଗିରଫ କରିଥିଲା ଇଂରେଜ ସେନା । ସ୍ବାଧୀନତା ସଂଗ୍ରାମୀଙ୍କୁ ଏହା କରିଥିଲା ଉତକ୍ଷିପ୍ତ । ଇଂରେଜ ସରକାର ବିରୋଧରେ ତାତି ଉଠିଥିଲେ ଲୋକେ ।
ବ୍ରିଟିଶ ସରକାରଙ୍କ ପକ୍ଷରୁ ଜେନେରାଲ ଡାୟାର ଜାରି କରିଥିଲେ ଏକ ଇସ୍ୟୁ । ଯାହା ଅମ୍ରିତସରରେ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ଓ ମିଟିଂ କରିବାକୁ ବ୍ୟାନ କରିଥିଲା । କିନ୍ତୁ ଏପ୍ରିଲ 13ରେ ପଞ୍ଜାବୀ ନବ ବର୍ଷ ବୈଶାଖୀ ଉପଲକ୍ଷେ ଜାଲିଆନାୱାଲା ବାଗରେ ଏକ ସଭା ହେବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ବ୍ରିଟିଶ ସରକାର ଏହାର ସୂଚନା ପାଇଥିଲା । କିନ୍ତୁ ଦେଖାଇଥିଲା ନିଜର ପ୍ରକୃତ ନିଷ୍ଠୁର ଚିତ୍ର ।