ପାଟନା: ବିହାରରେ ବନ୍ୟା ପରିସ୍ଥିତି ବେଶ ସଙ୍ଗୀନ ରହିଛି । ବନ୍ୟାରେ ରାଜ୍ୟର 10ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରିଛି । ପ୍ରମୁଖ ଭାବରେ ସୀତାହାରୀ, ଶିବହାର, ସୁପାଲ, କିଶାନଗଞ୍ଜ ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ ଓ ଖାଗରିଆ ଜିଲ୍ଲାର 77ଟି ବ୍ଲକ ପ୍ରଭାବିତ ହୋଇଛି। ସମୁଦାୟ 577ଟି ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ଏହି ବନ୍ୟାରେ 10 ଲକ୍ଷ 61 ହଜାର 1 ଶହ 52ଜଣ ଲୋକ ପ୍ରଭାବିତ ହୋଇଥିବା ବିଭାଗ ସୂଚନା ଦେଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ଦ୍ବାରା 15ଟି ରିଲିଫ କ୍ୟାମ୍ପ ପରିଚାଳିତ ହେଉଛି । ଏହି କ୍ୟାମ୍ପରେ 15 ହଜାର 956 ଲୋକ ଅସ୍ଥାୟୀ ବାସ କରୁଛନ୍ତି | ଏହା ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ ସରକାରଙ୍କ ସହଯୋଗରେ 10ଟି ଜିଲ୍ଲାରେ 422ଟି କମ୍ୟୁନିଟି କିଚେନ ପରିଚାଳନା କରିଛି । ଏଥିରେ ଦୈନିକ 1 ଲକ୍ଷ 53 ହଜାର 54 ଜଣ ଲୋକ ଉପକୃତ ହେଉଛନ୍ତି । ଅନ୍ୟପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ବିହାରରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରିଛି । ଦରଭଙ୍ଗା ଓ ପଶ୍ଚିମ ଚମ୍ପାରଣରେ 4 ଜଣଙ୍କର ମୃତ୍ୟୁ ହୋଇଛି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କତା ଜାରି କରିଛନ୍ତି । ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ତାହାକୁ ଦୃଷ୍ଟିରେ ରଖାଯାଇଛି । ରାଜ୍ୟରେ 22ଟି NDRF ଓ SDRF ଟିମ ନିୟୋଜିତ ହୋଇଛନ୍ତି।