ନୂଆଦିଲ୍ଲୀ: 31 ଅଗଷ୍ଟ 2020 ଭାରତରୁ ବିଦାୟ ନେଇଛନ୍ତି ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମସ୍ତିସ୍କ ଅସ୍ତ୍ରୋପଚାର ପରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ପ୍ରଣବ । ପରେ ଫୁସଫୁସରେ ମଧ୍ୟ ସଂକ୍ରମଣ ହେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଓ 31 ଅଗଷ୍ଟରେ ତାଙ୍କର ପରଲୋକ ହୋଇଛି । ତେବେ ପ୍ରଣବ ମୁଖାର୍ଜୀ ଥିଲେ ଜଣେ ମହାନ ବ୍ୟକ୍ତିତ୍ବର ଅଧିକାରୀ । ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପାର୍ଟି, ଦଳ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ସମ୍ନାନ କରୁଥିଲେ । ସେହି ମହାନ ପ୍ରତିଭାର ଅଧିକାରୀ ଭାରତ ମା’ର ସୁଯୋଗ୍ୟ ପୁତ୍ର ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।
- 1935 ମସିହା ଡିସେମ୍ବର 11 ତାରିଖରେ ତତକାଳୀନ ବଙ୍ଗାଲ ପ୍ରେସିଡେନ୍ସି, ମିରତୀ (ବର୍ତ୍ତମାନ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା) ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ କାମଦା କିଙ୍କର ମୁଖର୍ଜୀ ଓ ମାତା ଥିଲେ ରାଜଲକ୍ଷ୍ମୀ ମୁଖାର୍ଜୀ । ଭାରତର ସ୍ବାଧୀନତା ସଂଗ୍ରାମରେ ତାଙ୍କ ପିତା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ 1952-1964 ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସରୁ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ ।
- ସୁରୀ ବିଦ୍ୟା ସାଗର କଲେଜରୁ ନିଜ ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ କରିଥିଲେ ପ୍ରଣବ । ଏହାପରେ ସେ ରାଜନୀତି ବିଜ୍ଞାନ, ଓ ଇତିହାସରେ କଲିକତା ବିଶ୍ବବିଦ୍ୟାଳୟରୁ ନିଜର ସ୍ନାତକତ୍ତୋର କରିଥିଲେ । ସେ ନିଜର ଆଇନ ଡିଗ୍ରୀ ମଧ୍ୟ ସେଠାରୁ ହାସଲ କରିଥିଲେ ।
- ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ପ୍ରଣବ ମୁଖାର୍ଜୀ କଲିକତା ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟରେ ଉଚ୍ଚ-ବିଭାଗ କିରାଣୀ (Upper Division Clerk) ଭାବ କାର୍ଯ୍ୟ କରୁଥିଲେ । ପରେ 1963 ମସିହାରେ ସେ କୋଲକାତା ବିଦ୍ୟାନଗର କଲେଜରେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଅଧ୍ୟାପନା କାର୍ଯ୍ୟ ମଧ୍ୟ କରିଥିଲେ । ‘ଦେଶେର୍ ଡାକ୍’ ଖବର କାଗଜରେ ସେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
- 1969 ମସିହାରେ ସେ ରାଜନୀତିରେ ପ୍ରବେଶ କଲେ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ଭି.କେ କ୍ରିଷ୍ଣା ମେନନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ଆପଣ ଜାଣନ୍ତି କି, ପ୍ରଣବ ମୁଖାର୍ଜୀ ହେଉଛନ୍ତି ଦେଶର ଏକମାତ୍ର ମନ୍ତ୍ରୀ ଯିଏ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିଲେ । ବାଣିଜ୍ୟ ମନ୍ତ୍ରୀ (1993-95), ବୈଦେଶିକ ମନ୍ତ୍ରୀ (1995-96 ଓ 2006-09), ପ୍ରତିରକ୍ଷା ମନ୍ତ୍ରୀ (2004-06) ଓ ଶେଷରେ ପୁଣି ଥରେ (2009-2012) ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।
- ପ୍ରଣବ ମୁଖାର୍ଜୀଙ୍କ ପ୍ରତିଭାକୁ ଚିହ୍ନିପାରି ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ କଂଗ୍ରେସରେ ଯୋଗ ଦେବା ପାଇଁ କହିଥିଲେ । 1969ରେ ଇନ୍ଦିରା ଗାନ୍ଧୀ ପ୍ରଣବଙ୍କୁ ରାଜ୍ୟ ସଭା ସଦସ୍ୟ ହେବାରେ ସାହାଯ୍ୟ କରିଥିଲେ । ପରେ ସେ 1975, 1981, 1993 ଓ 1999ରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଥିଲେ ।
- ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ହେଉଛନ୍ତି ଏକମାତ୍ର ଅର୍ଥମନ୍ତ୍ରୀ ଯିଏ କି 7 ଥର ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ତାଙ୍କର ବିଚକ୍ଷଣ କାର୍ଯ୍ୟ ପାଇଁ 1984ରେ ୟୁରୋମନି ମାଗାଜିନ ଦ୍ବାରା ବିଶ୍ବର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ନାମିତ କରାଯାଇଥିଲା ।
- ପ୍ରଣବ ମୁଖାର୍ଜୀଙ୍କୁ 2008ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ, 2019ରେ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।
- ସେ 9ରୁ ଅଧିକ ବହି ମଧ୍ୟ ଲେଖିଛନ୍ତି । ସେଥି ମଧ୍ୟରୁ କେତୋଟି ହେଉଛି, ମିଡଟର୍ମ ପୋଲ, ଅଫ୍ ଦ ଟ୍ରାକ (Midterm Poll, Off the Track (1987), ଦ ସାଗା ଅଫ୍ ଷ୍ଟ୍ରଗଲ ଆଣ୍ଟ ସାକ୍ରିଫାଇଜ (The saga of Struggle and Sacrifice (1992), କଂଗ୍ରେସ ଆଣ୍ଡ ଦ ମେକିଙ୍ଗ ଅଫ୍ ଦ ଇଣ୍ଡିଆନ ନେସନ (Congress and the Making of the Indian Nation (2011), ଦ ଡ୍ରାମାଟିକ ଡେକେଡ: The Dramatic Decade: ଦ ଇନ୍ଦିରା ଗାନ୍ଧୀ ଇୟର୍ସ (The Indira Gandhi Years (2014), ଦ ଟବ୍ୟୁଲାଣ୍ଟ ଇୟର୍ସ (The Turbulent Years), ଦ କୋଏଲିସନ ଇୟର୍ସ (The Coalition Years) ଇତ୍ୟାଦି ।
- କେବଳ ଭାରତରେ ନୁହେଁ ପ୍ରଣବ ମୁଖାର୍ଜୀ ବିଦେଶରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବାଙ୍ଗଲାଦେଶ ମୁକ୍ତିଯୁଦ୍ଧୋ ସମ୍ମାନୋନା- ବାଂଲାଦେଶ ମୁକ୍ତି ଯୁଦ୍ଧ ସମ୍ମାନ (ମାର୍ଚ୍ଚ 2013), କ୍ରସ ଅଫ୍ ନ୍ୟାସନାଲ ଅର୍ଡର ଅଫ୍ ଦ ଇଭୋରି କୋଷ୍ଟ- ଆଇଭୋରୀ କୋଷ୍ଟର ନାଇଟହୁଡର ସର୍ବୋଚ୍ଚ ରାଜ୍ୟ ସମ୍ମାନ (ଜୁନ 2016), ଓ ଗ୍ରାଣ୍ଡ କୋଲାର ଅଫ୍ ଦ ଅର୍ଡର ଅଫ୍ ମାକାରିଓସ-2- ସାଇପ୍ରସ୍ ଦ୍ବାରା ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତ ରତ୍ନ ପ୍ରଣବ ମୁଖର୍ଜୀ ।
- ତାଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ସମ୍ମାନ ହେଉଛି, ଏମର୍ଜିଙ୍ଗ ମାର୍କେଟସ୍, ବିଶ୍ବ ବ୍ୟାଙ୍କ ଏବଂ ଆଇଏମ୍ଏଫ୍ ପାଇଁ ଦୈନିକ ରେକର୍ଡର ଖବରକାଗଜ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର ଫର ଏସିଆ ସମ୍ମାନ (2010) । ବ୍ୟାଙ୍କର ଆଣ୍ଡ ଅନରାରୀ ସିଟିଜେନସିପ ଅଫ୍ ଏବିଡଜେନ ଦ୍ବାରା ଫାଇନାନ୍ସ ମିନିଷ୍ଟର ଅଫ ଦ ଇୟର (2010) । ଏହାସହ ଆହୁରି ଅନେକ ସମ୍ମାନ ପାଇଥିଲେ ପ୍ରଣବ ।