ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନରେ ଜନ ସମର୍ଥନ ସାଉଁଟିବାକୁ କଂଗ୍ରେସ ଚଳାଇଥିବା ଭାରତ ଯୋଡ଼ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି(Bharat Jodo Yatra enters Karnataka) । ପ୍ରଥମେ ତାମିଲନାଡୁ ଓ କେରଳ ଅତିକ୍ରମ କରିବା ପରେ ଆଜି ରାହୁଲ ଗାନ୍ଧୀ ପ୍ରଥମ ବିଜେପି ଶାସିତ ରାଜ୍ୟରେ ପ୍ରବେଶ କରିଛନ୍ତି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ରାହୁଲଙ୍କ ସେଠାରେ ଭବ୍ୟ ସ୍ବାଗତ କରିଛନ୍ତି । ତେବେ ଏହାର ଦିନକୁ ପୂର୍ବରୁ ରାଜ୍ୟରେ ରାହୁଲଙ୍କ ସ୍ବାଗତ ପାଇଁ ଲାଗିଥିବା ପୋଷ୍ଟରଗୁଡିକୁ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କେରଳରେ ପ୍ରାୟ ୪୫୦ କିଲୋମିଟର ଯାତ୍ରା କରିବା ପରେ ରାହୁଲ(Rahul Gandhi) ଶୁକ୍ରବାର ଚାମରାଜନଗର ଜିଲ୍ଲା ଦେଇ କର୍ଣ୍ଣାଟକରେ ପ୍ରବେଶ କରିଛନ୍ତି । ତାଙ୍କର ସ୍ବାଗତ ପାଇଁ ଦିନକ ପୂର୍ବରୁ ଦଳୀୟ କର୍ମୀମାନେ ଚାମରାଜନଗର ଗୁଣ୍ଡଲପେଟ ସହରରେ ଅନେକ ପୋଷ୍ଟର ଲଗାଇଥିଲେ । ହେଲେ କଂଗ୍ରେସ ନେତା ରାଜ୍ୟରେ ପହଞ୍ଚିବା ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ଲାଗିଥିବା ୪୦ରୁ ଅଧିକ ପୋଷ୍ଟରଗୁଡିକୁ ଚିରି ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଏହି ଘଟଣା ପାଇଁ ଦଳ ଶାସକ ବିଜେପିକୁ ସିଧାସଳଖ ଦାୟୀ କରିଛି ।