ଭୋପାଳ:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଢୁଥିବା ବିବାଦକୁ ନେଇ ସୋମବାର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଉଭୟ ଗେହଲଟ ଓ ପାଇଲଟ କଂଗ୍ରେସର ଆସେଟ୍ ଅର୍ଥାତ ସମ୍ପତ୍ତି । ସୋମବାର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରା ସମୟରେ ଏକ ସାମ୍ବିଦାକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ରାହୁଲ । କିଛି ଦିନ ଥମିବାପରେ ପୁଣି ଏହି ବିବାଦ ମୁଣ୍ଡ ଟେକିଛି ।
ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟ ସବୁକିଛି ଠିକ୍ ନଥିବା ବହୁ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ମାତ୍ର ଦଳୀୟ ନେତୃତ୍ବ ଏହାକୁ ଅସ୍ବୀକାର କରୁଥିଲେ । ମାତ୍ର ଦଳୀୟ ଅନ୍ତଃକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି ଓ କେଉଁ ମୂହୂର୍ତ୍ତରେ ଏକ ବିସ୍ଫୋରଣର ରୂପ ନେବ ଆକଳନ କରିବା କଷ୍ଟକର । ରାହୁଲ କିନ୍ତୁ ବହୁ ଚତୁରତାର ସହ ରାଜସ୍ଥାନ କଂଗ୍ରେସର ଦୁଇ ନେତାଙ୍କ ବିବାଦ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ରାହୁଲ ସ୍ପଷ୍ଟ କରିଥିଲେ ଯେ, "ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ମୁଁ ଏପରି କିଛି କହିବିନାହିଁ ଯାହା କୌଣସି ବିବାଦ ସୃଷ୍ଟି କରିବ । କେବଳ ଏତିକି କହିପାରିବି ଉଭୟ ସଚିନ ପାଇଲଟ ଓ ଅଶୋକ ଗେହଲଟ କଂଗ୍ରେସର ଆସେଟ୍ ।"
ସୂଚନାଯୋଗ୍ୟ ଯେ, ଭାରତ ଯୋଡ଼ ଯାତ୍ରା ଯାହା ଏବେ ମଧ୍ୟପ୍ରଦେଶରେ ରହିଛି, ସୂଚୀ ଅନୁଯାୟୀ ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ । ସେହିପରି ମଧ୍ୟପ୍ରଦେଶରେ ଯେଉଁ କଂଗ୍ରେସ ବିଧାୟକ ଦଳ ଛାଡି ବିଜେପିରେ ମିଶିବାପରେ ୨୦୨୦ରେ କମଲନାଥ ସରକାର ଭାଙ୍ଗିଯାଇଥିଲା, ସେମାନଙ୍କୁ ପୁନର୍ବାର ଦଳରେ ସ୍ଥାନ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।