ଶ୍ରୀନଗର:କଂଗ୍ରେସର ଭାରତ ଯୋଡ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି କାଶ୍ମୀରରେ ଶେଷ ହେବ । ପ୍ରବଳ ତୁଷାରପାତ ଭିତରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଭାରତ ଯୋଡ ଯାତ୍ରାର ସମାପନ ଉତ୍ସବ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ରାହୁଲଙ୍କ ଉପସ୍ଥିତିରେ ଶ୍ରୀନଗର ସ୍ଥିତ ପାର୍ଟି ଅଫସିରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ବରଫ ବର୍ଷା ମଧ୍ୟରେ ରାହୁଲ ଧଳା ଟି-ସାର୍ଟ ଓ ସ୍ଲିଭଲେସ୍ ଜ୍ୟାକେଟ ପିନ୍ଧି ପାନ୍ଥଚୌକ କ୍ୟାମ୍ପସାଇଟରେ ଜାତୀୟ ସଙ୍ଗୀତ ଗାନ ସହ ପତାକା ଉତ୍ତୋଳନ କରି କଂଗ୍ରେସ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।
ଦୀର୍ଘ ୧୩୫ ଦିନ ପଦଯାତ୍ରାର ଆଜି ଅନ୍ତିମ ଦିବସରେ କଂଗ୍ରେସ କାଶ୍ମୀର ସ୍ଥିତ ଶେର-ଇ-କାଶ୍ମୀର କ୍ରିକେଟ ଷ୍ଟାଡିୟମରେ ଏକ ବିଶାଳ ରାଲି ଆୟୋଜନ କରିଛି । ଏହି ରାଲିରେ ବହୁ କଂଗ୍ରେସ କର୍ମୀଙ୍କ ସହ ଅନେକ ବିରୋଧି ଦଳ ନେତା ସାମିଲ ହେବେ । ଏଥିପାଇଁ କଂଗ୍ରେସ ପକ୍ଷରୁ ୨୧ଟି ଦଳକୁ ଆମନ୍ତ୍ରିତ କରାଯାଇଥିଲା । ମାତ୍ର ଏଥିରେ ୧୨ଟି ଦଳର ନେତା ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି ।