ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ । କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ ଆର୍ଥିକ ନୀତି ବ୍ୟାଙ୍କିଂ କ୍ଷେତ୍ର ଓ ଏହାର କର୍ମଚାରୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ଏହି ବନ୍ଦ ପାଳନ କରାଯିବା ନେଇ ଡାକରା ଦେଇଛନ୍ତି ଏକାଧିକ ସଂଗଠନ । ମଙ୍ଗଳବାର ଓ ବୁଧବାର (୨୮ ଓ ୨୯ ତାରିଖ) ଦୁଇ ଦିନ ପାଇଁ ଆହୁତ ହୋଇଥିବା ଏହି ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ସଂଘ (All India Bank Employees Association) ।
ସଂଘ ବନ୍ଦରେ ସାମିଲ ହେବା ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ପରେ ଦୁଇ ଦିନ ଦେଶରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । 22 ମାର୍ଚ୍ଚରେ ବସିଥିବା ବିଭିନ୍ନ ବାଣିଜ୍ୟିକ ସଂଗଠନର ମିଳିତ ଫୋରମର ଏକ ବୈଠକ ପରେ ଏହି ଦେଶବ୍ୟାପୀ ବନ୍ଦ ପାଳନ ନେଇ ନିଷ୍ପତ୍ତି ହୋଇଥିଲା । ପରେ ତାରିଖ ଚୂଡାନ୍ତ କରାଯାଇ ୟୁନାଇଟେଡ୍ ଫୋରମ୍ ଦ୍ୱାରା ସାରା ଦେଶରେ ଦୁଇ ଦିନିଆ ସର୍ବଦଳୀୟ ଧର୍ମଘଟ ଡକାଯାଇଥିଲା । ବର୍ତ୍ତମାନ ସରକାର କର୍ମଚାରୀ ବିରୋଧୀ, କୃଷକ ବିରୋଧୀ ନିଷତ୍ତି ନେଉଥିବାରୁ ପ୍ରତିବାଦ ସ୍ବରୂପ ଏପରି ବନ୍ଦ ପାଳନ କରାଯାଉଥିବା ସଂଗଠନମାନେ ପ୍ରକାଶ କରିଛନ୍ତି ।