ଜୟପୁର(ରାଜସ୍ଥାନ):୫ ବର୍ଷ ପରେରାଜସ୍ଥାନରେ ସରକାର ଗଠନ କରିଛି ବିଜେପି । ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଭଜନ ରାଜ୍ । ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା । ଜୟପୁର ସହର ସ୍ଥିତ ରାମନିବାସ ବାଗରେ ଥିବା ଆଲବର୍ଟ ହଲ ବାହାରେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଯାଇଛି । ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଦୀୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି ।
ଶପଥ ସମାରୋହର ଅତିଥି ବୃନ୍ଦ:ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃବନ୍ଦ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନରାମ ମେଘୱାଲ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ମନସୁଖ ମାଣ୍ଡଭ୍ୟ, ରାମଦାସ ଅଠାବଲେ, କୈଳାସ ଚୌଧୁରୀ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ସିଏମ ହିମନ୍ତ ବିଶ୍ବଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମହାରାଷ୍ଟ୍ରର ଏକନାଥ ସିନ୍ଦେ, ମଧ୍ୟପ୍ରଦେଶ ଓ ଛତିଶଗଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପ୍ରମୁଖ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ସମାରୋହରେ ଉପସ୍ଥିତ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଋଣ କରି ପୁଅକୁ ପାଠ ପଢାଉଛନ୍ତି ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ