ବେଙ୍ଗାଲୁରୁ:ଲୋକପ୍ରିୟ ଟି-୨୦ ମ୍ୟାଚ୍ ଇଣ୍ଡିଆନ ପ୍ରିମିୟର ଲିଗ (IPL) ଦେଶରେ ଜାରି ରହିଛି । ଏହାସହ ବିଭିନ୍ନ ସ୍ଥାନରେ ଟିକେଟକୁ ନେଇ କଳାବଜାରୀ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦଲାଲ ଗୋଷ୍ଠୀଙ୍କ ସମେତ କିଛି ଠକ ନୂଆ ନୂଆ ଠକେଇର ପନ୍ଥା ଆପଣାଇ ଦର୍ଶକଙ୍କଠାରୁ ଅର୍ଥ ଲୁଟୁଛନ୍ତି । ଏଭଳି ଏକ ଘଟଣା କର୍ଣ୍ଣାଟକ ବେଙ୍ଗାଲୁରୁଠାରେ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ ମ୍ୟାଚ ପାଇଁ ନକଲି ଟିକେଟ ବିକ୍ରି କରିବା ଅଭିଯୋଗରେ ଜଣେ ଠକକୁ ଗିରଫ କରିଛି ପୋଲିସ ।
ବାର କୋଡର ବ୍ୟବହାର କରି ନକଲି ଟିକେଟ ବିକ୍ରି କରିବା ଅଭିଯୋଗରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜିତ ଗତ ୧୭ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ ମ୍ୟାଚ ଲାଗି ଏହି ଟିକେଟ ବିକ୍ରି ହୋଇଥିଲା । ଅଭିଯୁକ୍ତ ଦର୍ଶନ ଓ ସୁଲତାନ ନକଲି ଟିକେଟ ବିକ୍ରି କରୁଥିଲେ । ଏହି ୨ଜଣଙ୍କୁ ପାର୍ଟ ଟାଇମ ଷ୍ଟାଫ ଭାବେ ନକଲି ବାର କୋଡ ଓ ପରିଚୟ ପତ୍ର ଦିଆଯାଇଥିଲା । ଅଭିଯୁକ୍ତ ଦର୍ଶନ ନିଜ ପରିଚୟ ପତ୍ରରେ ଲାଗିଥିବା ବାର କୋଡକୁ ହଟାଇ ଏକ ନକଲି ବାରକୋଡ ଲଗାଇଥିଲା ।