ବେଙ୍ଗାଲୁରୁ: ବୟସ ମାତ୍ର 16 । ହେଲେ ସାହିତ୍ୟ ପ୍ରତି ଅହେତୁକ ଆଗ୍ରହ । କେବଳ ସାହିତ୍ୟ ଅଧ୍ୟୟନ ନୁହେଁ ବରଂ କମ ବୟସରେ ଉଚ୍ଚକୋଟୀର ସୃଜନଶୀଳତାରେ ମଧ୍ୟ ବଡ ଉପଲବ୍ଧି । 4 ଟି ପୁସ୍ତକ ରଚନା କରି ଏବେ ଚର୍ଚ୍ଚାରେ ବେଙ୍ଗାଲୁରୁର ଛାତ୍ରୀ ଅମନ୍ନା ଜେ.କୁମାର । କେବଳ ପୁସ୍ତକ ରଚନାରେ ସେ ସୀମିତ ନାହାନ୍ତି, ବରଂ ଏପର୍ଯ୍ୟନ୍ତ ସେ 500 ରୁ ଅଧିକ ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ମଧ୍ୟ ରଚନା କରିସାରିଛନ୍ତି । ଏହି କବିତା ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇଛି । ତାଙ୍କର ଏହି ସାହିତ୍ୟ ସୃଜନାଶୀଳତା ତାଙ୍କୁ ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ ମଧ୍ୟ କରିଛି । ଏହା ସ୍କୁଲର ଅନ୍ୟ ବିଦ୍ୟାର୍ଥୀଙ୍କୁ ମଧ୍ୟ ଅନୁପ୍ରାଣିତ କରିଛି ।
ଅମନ୍ନା ଏବେ ବେଙ୍ଗାଲୁରୁର ‘ବିଶପ କଟନ ଗାର୍ଲ୍ସ ହାଇସ୍କୁଲ’ରେ 10ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ସେ ନିଜ ନିୟମିତ ପାଠପଢା ସହ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ‘‘ମାଷ୍ଟରପିକ୍ସ ଅଫ ଓ୍ବାର୍ଲ୍ଡ ଲିଟେରଚର’’ରେ ପାଠ୍ୟକ୍ରମ ମଧ୍ୟ କରିଛନ୍ତି । ସେ ନିଜର ଏକାଡେମିକ୍ ଅଧ୍ୟୟନ ସହିତ ସେ ସାହିତ୍ୟ ଅଧ୍ୟୟନ ମଧ୍ୟ ସମାନ୍ତରଳ ଭାବେ ଜାରି ରଖିଛନ୍ତି । ଦେଶର ଅନ୍ୟତମ ସଫଳ କନିଷ୍ଠ କବି ଭାବେ ସେ ବହୁ ପୁରସ୍କାର ଓ ଅନୁଷ୍ଠାନ ଦ୍ବାରା ସମ୍ମାନିତ ମଧ୍ୟ ହୋଇସାରିଛନ୍ତି । 2021 ରେ ସେ ଏସିଆ ବୁକ ଅଫ ରେକର୍ଡରେ ସମ୍ମାନିତ ହୋଇଛନ୍ତି । ସେହିପରି ଗୋଆର ରାଜ୍ୟପାଳଙ୍କ ଦ୍ବାରା ସେ ‘କୌଟିଲ୍ୟ ଜୁନିଆର ପୋଏଟ ଆଓ୍ବାର୍ଡ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି । କନିଷ୍ଠ କବୟତ୍ରୀ ଶ୍ରେଣୀରେ ସେ 2022 ରେ ଗୋଲ୍ଡେନ ବୁକ ଓ୍ବାର୍ଲ୍ଡ ରେକର୍ଡ ଓ ‘ନୋବେଲ ବୁକ ଓ୍ବାର୍ଡ ରେକର୍ଡ’, ‘ୟଙ୍ଗେଷ୍ଟ ପୋଏଟ ଇଣ୍ଟରନ୍ୟାସନାଲ ଓ୍ବାର୍ଲ୍ଡ ରେକର୍ଡ’ରେ ମଧ୍ୟ ସ୍ଥାନ ପାଇଛନ୍ତି ।
ମାତ୍ର 10 ବର୍ଷ ବୟସରେ ଅମନ୍ନା ସାହିତ୍ଯ ସାଧାନା ଓ ଲେଖାଲେଖି ଆରମ୍ଭ କରିଥିଲେ । ପ୍ରଥମେ ସେ କାବ୍ୟ କବିତା ପାଠ କରିବା ସହ କବିତାର ଏକ ସଂଗୃହିତ ସଙ୍କଳନ ରଚନା କରିଥିଲେ । ଯାହା ପ୍ରଥମ ଥର ତାଙ୍କ ଦକ୍ଷତାକୁ ସାହିତ୍ୟପ୍ରେମୀଙ୍କ ଦୃଷ୍ଟିକୁ ଆଣିଥିଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ 4 ଟି ପୁସ୍ତକ ରଚନା କରିସାରିଛନ୍ତି । ତାଙ୍କର 4ର୍ଥ ପୁସ୍ତକକୁ ପୂର୍ବତନ ଲୋକାୟୁକ୍ତ ତଥା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏନ. ସନ୍ତୋଷ ହେଗଡେ ଉନ୍ମୋଚନ କରିଛନ୍ତି । ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସେ ଆଗମୀ ଭବିଷ୍ୟତାରେ ସାହିତ୍ୟରେ ଖ୍ୟାତି ଅର୍ଜନ କରିବା ପାଇଁ ଶୁଭେଚ୍ଛା ମଧ୍ୟ ଜାଇଛନ୍ତି ।