ବେଙ୍ଗାଲୁରୁ:ବାଣ ଗୋଦାମ ବିସ୍ଫୋରଣ ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ୧୨ ମୃତକଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । ଏହି ୨ ମୃତଦେହ ଅଠିବାଲେ ସ୍ଥିତ ଅକ୍ସଫୋର୍ଡ ମେଡିକାଲ କଲେଜରେ ରଖାଯାଇଛି । ସେପଟେ ଖବର ପାଇବା ପରେ ପରିବାରଲୋକେ ହସ୍ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିବାବେଳେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର ।
ଶନିବାର ଅପରାହ୍ନ ସାଢେ ୩ଟା ବେଳେ ଗୋଦାମରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହୋଇଥିଲା । ସେପଟେ ବିସ୍ଫୋରଣ ପରେ ଅନେକଙ୍କ ପତ୍ତା ମିଳିନଥିବାବେଳେ ଚିନ୍ତାରେ ରହିଥିଲେ ପରିବାର ଲୋକେ । ସୂଚନା ଅନୁସାରେ, ଅଧିକାଂଶ ଆହତ ତାମିଲନାଡୁର ହୋଇଥିବା ଜଣାପଡିଛି । ଏପରିକି ମୃତକଙ୍କ ମଧ୍ୟରେ ଗୋଟିଏ ଗାଁର ୮ ଜଣ ପିଲା ରହିଥିବା ଜଣାପଡିଛି । ସେମାନେ ଏହି ବାଣ କାରଖାନାରେ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ । ଧର୍ମପୁରୀ ଜିଲ୍ଲାରେ ଥିବା ଅମ୍ମାପଟୀ ଗାଁର ୧୦ ଜଣ ଶ୍ରମିକ ଅଟ୍ଟିବେଲେ ୱେୟାର ହାଉସରେ କାମ କରୁଥିବାବେଳେ ବିସ୍ଫୋରଣରେ ୮ ଜଣଙ୍କ ଜୀବନ ଯାଇଛି ।