କୋଲକାତା:ସଜେଇ ହୋଇଛି ବଙ୍ଗ ମୈଦାନ । ସରିଛି ପ୍ରସ୍ତୁତି । ରାତି ପାହିଲେ ହେବ ଜୋରଦାର ଲଢେଇ । ଦେଖିବାକୁ ମିଳିବ ହେଭିୱେଟଙ୍କ ହାଇଭୋଲଟେଜ୍ ଟକ୍କର । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହଟ୍ ସିଟ୍ ରହିଥିଲା ନନ୍ଦିଗ୍ରାମ । ହେଲେ ବୁଧବାର ଉପନିର୍ବାଚନ । ହାଉ ଏଥର ଭବାନୀପୁର ହେବ ବଙ୍ଗ ମୈଦାନର ହଟସିଟ୍ ।
ସାରା ଦେଶର ଫୋକସରେ ଏବେ ଭବାନୀପୁର । କାରଣ ନନ୍ଦିଗ୍ରାମରେ ମାତ ଖାଇବା ପରେ ଭବାନୀପୁରରେ ବାଜି ଲାଗିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଷ୍ଠା । କର ବା ମର ସ୍ଥିତିରେ ଅଛନ୍ତି ଦିଦି । ଜିତିରେ ପାଞ୍ଚ ବର୍ଷ କରିବେ ସମ୍ପୂର୍ଣ୍ଣ। ଆଉ ହାରିଲେ ହରାଇବେ ମୁଖ୍ୟମନ୍ତ୍ରୀ ପଦ ।
ବିଧାନସଭା ନିର୍ବାଚନରେ କାମ କରିନଥିଲା ତୃଣମୂଳ କଂଗ୍ରେସର ରଣକୌଶଳ । ରଣଭୂମିରେ ପରାସ୍ତ ହୋଇଥିଲେ ରାଜ୍ୟ ମୁଖିଆ । ଗଡ ଦଖଲ ସତ୍ତ୍ବେ ନଇଁଯାଇଥିଲା ମୁଣ୍ଡ । ଆଉ ମାଟିରେ ମିଶିଗଲା ବାଜିରେ ଲାଗିଥିବା ପ୍ରତିଷ୍ଠା । ସମସ୍ତ ପ୍ରୟାସ ସତ୍ତ୍ବେ ନନ୍ଦିଗ୍ରାମକୁ ନିଜ ଅକ୍ତିଆରକୁ ନେଇପାରିନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶେଷରେ ନିଜର ସବୁଠୁ ବେଶି ନିକଟତର ରହିଆସିଥିବା ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସ୍ବୀକାର କରିଥିଲେ ପରାଜୟ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭରୁ ରାଜ୍ୟର ହଟ୍ସିଟ୍ ନନ୍ଦିଗ୍ରାମରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଟକ୍କର । ମୈଦାନରେ ଥିଲେ ତୃଣମୂଳ କଂଗ୍ରେସରୁ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ । ଆଉ ତାଙ୍କୁ ଚ୍ୟାଲେଞ୍ଜ କରି ରଣଭୂମିକୁ ଓହ୍ଲାଇଥିଲେ ଖୋଦ ରାଜ୍ୟର ମୁଖିଆ ମମତା ବାନାର୍ଜୀ । ହେଲେ ଓଲଟା ପଡିଥିଲା ମମତାଙ୍କ ରଣକୌଶଳ । ହାତରୁ ଖସିଯାଇଥିଲା ନନ୍ଦିଗ୍ରାମ । ବିଜେପିର ଚକ୍ରବ୍ୟୁହ ଭେଦ କରିବାରେ ବିଫଳ ହୋଇଥିଲେ ଦିଦି ।
ରାଜ୍ୟରେ ତୃଣମୂଳ କଂଗ୍ରେସ ଜିତିଥିଲା 200ରୁ ଉର୍ଦ୍ଧ୍ବ ଆସନ । କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ବଙ୍ଗ ଦଖଲ କରିବା ସତ୍ତ୍ବେ ନନ୍ଦିଗ୍ରାମରେ ପରାଜୟ ଟିଏମସି ପାଇଁ ଏକ ବଡ ଝଟକା ଦେଇଥିଲା । କାରଣ ନିର୍ବାଚରେ ମୁଖ୍ୟମନ୍ତ୍ରୀଙ୍କ ପରାଜୟର ନଜିର ବହୁତ କମ ଦେଖିବାକୁ ମିଳେ । ବଙ୍ଗରେ ବାଜି ମାରିଥିବା ତୃଣମୂଳ କଂଗ୍ରେସର ମୁଖିଆଙ୍କୁ 1736 ଭୋଟରେ ହରାଇଦେଇଥିଲେ ନିକଟତର ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀ ।
ପଶ୍ଚିମବଙ୍ଗରେ ନିର୍ବାଚନୀ ପବନ ବହିବା ସହିତ ବଦଳିଥିଲା ରାଜନୈତିକ ପାଣିପାଗ । ମମତାଙ୍କ ହାତ ଛାଡି ବିଜେପି ଶିବିରରେ ସାମିଲ ହୋଇଥିଲେ ତୃଣମୂଳ କଂଗ୍ରେସର ଜଣେ ପରେ ଜଣେ ନେତା । ଆଉ ଗଡ ବଞ୍ଚାଇବାକୁ ତରବରିଆ ଭାବରେ ପୂର୍ବରୁ ନିଜର ବିଶ୍ବସ୍ତ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ଦିଦି । ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ମମତା ଭରିଥିଲେ ନାମାଙ୍କନ । ହେଲେ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଙ୍ଗିଯାଇଥିଲା ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମରେ ହରାଇବା ନେଇ ଦିଦିଙ୍କ ଦମ୍ଭୋକ୍ତି । ଆଉ ବିଜେପିର ଚକ୍ରବ୍ୟୁହକୁ ଭେଦ କରି ବଙ୍ଗ ମୈଦାନରେ ବାଜି ଲାଗିଥିବା ପ୍ରତିଷ୍ଠାକୁ ବଞ୍ଚାଇବାରେ ବିଫଳ ହୋଇଥିଲେ ମମତା ।
ଗତ ଦୁଇଟି ନିର୍ବାଚନରେ ମମତା ବାନାର୍ଜୀ ନିଜ ଘର ଭବନୀପୁରରୁ ଜିତିଥିଲେ। ହେଲେ ୨୦୨୧ରେ ମମତା ବାନାର୍ଜୀ ବିଜେପିକୁ ଚ୍ୟାଲେଞ୍ଜ କରିବାକୁଯାଇ ଭବାନୀପୁର ବଦଳରେ ନନ୍ଦିଗ୍ରାମରୁ ଭରିଥିଲେ ନାମାଙ୍କନ । ହେଲେ ଏଠାରୁ ପରାଜୟ ପରେ ପୁଣି ଭବାନୀପୁର ଫେରିଛନ୍ତି ମମତା । ଏଥର ତାଙ୍କ ବିରୋଧରେ ଅଛନ୍ତି ବିଜେପି ନେତ୍ରୀ ପ୍ରିୟଙ୍କା ଟିବ୍ରେଓ୍ବାଲ । ଏଥର ମଧ୍ୟ ସ୍ଥିତି କଣ ରହିବ ତାହା ଆକଳନ କରିବା କଷ୍ଟ । କାରଣ ୬ ବର୍ଷ ପୂର୍ବେ ଦିଦିଙ୍କ ଏହି ଗଡକୁ କିଛିକାଂଶରେ ଭାଙ୍ଗିବାକୁ ସକ୍ଷମ ହୋଇଥିଲା ବିଜେପି ।
2021 ମସିହାରେ ଟିଏମସିର ଶୋଭନଦେବ ଚାଟୋପାଧ୍ୟାୟ ଏହି ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ। ଶୋଭନଦେବଙ୍କୁ ମିଳିଥିଲା 73,505 ଭୋଟ । ମୋଟ ମତଦାତାଙ୍କର ଏହା 57.71 ପ୍ରତିଶତ ଥିଲା। ଅନ୍ୟପକ୍ଷରେ ବିଜେପିର ରୁଦ୍ରାଣୀ ଘୋଷ ହାତେଇଥିଲେ 44,786 ଭୋଟ, ଯାହାକି 35.16 ପ୍ରତିଶତ ଥିଲା। କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। କଂଗ୍ରେସ ପ୍ରାର୍ଥୀ ଶାଦାବ ଖାନଙ୍କୁ ମାତ୍ର 5,211 ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଥର ସର୍ବାଧିକ 1,570 ଭୋଟ ନୋଟାରେ ପଡିଥିଲା | ଏହି ନିର୍ବାଚନରେ ଟିଏମସି ଗତ ନିର୍ବାଚନ ତୁଳନାରେ 10.4 ପ୍ରତିଶତ ଅଧିକ ଭୋଟ୍ ପାଇବାରେ ସଫଳ ହୋଇଥିଲେସୁଦ୍ଧା ବିଜେପିର ଭୋଟ ପ୍ରତିଶତ 16.3 ପ୍ରତିଶତ ବୃଦ୍ଧି ହୋଇଥିଲା ।
2011 ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସ ବାମପନ୍ଥୀର 34 ବର୍ଷ ପୁରୁଣା ଦୁର୍ଗକୁ ଭାଙ୍ଗି ଦେଇଥିଲା। କଂଗ୍ରେସ ସହିତ ମିଳିତ ଭାବେ, ଟିଏମସି 226ଟି ଆସନ (ଟିଏମସି 184, କଂଗ୍ରେସ 42) ଜିତି ବାମପନ୍ଥୀ ଦୁର୍ଗକୁ କରିଥିଲା କବଜା ।
ଭବାନୀପୁର ଆସନରୁ ଟିଏମସିର ସୁବ୍ରତ ବକ୍ସି ବିଜୟ ହାଲ କରିଥିଲେ। ସୁବ୍ରତଙ୍କୁ 87903 (64.77 ପ୍ରତିଶତ ଭୋଟ୍) ମିଳିଥିଲା । 49936 ଭୋଟରେ ସୁବ୍ରତ ନିର୍ବାଚନରେ ଜିତିଥିଲେ | ଏହି ଆସନରୁ ଉପ-ନିର୍ବାଚନରେ ମମତା ପ୍ରତିଦ୍ବନ୍ଦିତା କରିଥିଲେ। ଉପନିର୍ବାଚନରେ ମମତା ବାନାର୍ଜୀ ସିପିଏମର ନନ୍ଦିନୀ ମୁଖାର୍ଜୀଙ୍କୁ ପ୍ରାୟ 95 ହଜାର ଭୋଟରେ ପରାସ୍ତ କରିଥିଲେ, କିନ୍ତୁ ଏହାର 5 ବର୍ଷ ପରେ, ଯଦି ଆମେ 2016 ବିଧାନସଭା ନିର୍ବାଚନକୁ ଦେଖିବା, ତେବେ ମମତାଙ୍କ ବିଜୟର ବ୍ୟବଧାନ ବହୁତ କମ୍ ହୋଇଯାଇଥିଲା । ମମତା 65,520 ଭୋଟ ପାଇଲେ । ତାହା ହେଉଛି, 2011ରେ ବିଜୟର ମାର୍ଜିନଠାରୁ 30 ହଜାର କମ ଭୋଟ । ଏହି ନିର୍ବାଚନରେ ବିଜେପିର ଚନ୍ଦ୍ର କୁମାର ବୋଷ 26291 ଭୋଟ୍ ମିଳିଥିଲା । ଏଭଳି ପରିସ୍ଥିତିରେ, ଯଦି ଟିଏମସି ବିରୋଧୀ ଭୋଟ୍ ଯୋଡାଯାଏ, ତେବେ ଏଥର ଲଢେଇରେ କଡା ଟକ୍କର ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ