ନୂଆଦିଲ୍ଲୀ: ୩ ମାସ ପାଇଁ ମାଗଣା ରାସନ୍ ପାଇବେ ହିତାଧିକାରୀ । କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ମାଗଣା ରାସନ୍ ଯୋଗାଇ ଦେବେ । କେନ୍ଦ୍ର ଅର୍ଥନୈତିକ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସପ୍ତମ ଥର ପାଇଁ PMGKAY ଯୋଜନାରେ ସମ୍ପ୍ରସାରଣ କରାଯାଉଛି । ଫଳରେ ଡିସେମ୍ବର ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ହିତାଧାକାରୀଙ୍କୁ ରାସନ ଯୋଗାଇ ଦିଆଯିବ ।
୨୦୨୦ରେ କୋଭିଡ-୧୯ ସଂକ୍ରମଣ ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନାରେ ହିତାଧୀକାରୀଙ୍କୁ ୫ କେଜି ମାଗଣା ରାସନ ଯୋଗାଇ ଦିଆଯାଉଛି । ଏହି ଯୋଜନା ସମ୍ପ୍ରସାରଣ ଫଳରେ କେନ୍ଦ୍ର ସରକାର ୪୪୭୬୨.୦୭ କୋଟି ଟଙ୍କା ଖର୍ଚ୍ଚ କରିବେ ।
ସେପ୍ଟେମ୍ବର ୩୦ ତାରିଖରେ ଏହି ଯୋଜନାର ଅବଧି ଶେଷ ହେବାକୁ ଥିଲା । କିନ୍ତୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ସେପଟେ ଏହାକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଚଳିତ ବର୍ଷ ଶେଷ ବେଳକୁ ଗୁଜରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଥିବାରୁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।