ଅଯୋଧ୍ୟା:ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ଦେଶଠୁ ନେଇ ବିଦେଶ ପର୍ଯ୍ୟନ୍ତ ସବୁଠାରେ ଲୋକ ଏହି ପ୍ରତିଷ୍ଠା ଦିନକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହାରି ଭିତରେ ପ୍ରଭୁ ରାମଙ୍କ ମନ୍ଦିର ପାଇଁ 400 କିଗ୍ରାର ଏକ ତାଲା ନିର୍ମାଣ କରୁଥିଲେ ଦମ୍ପତ୍ତି । ସେମାନଙ୍କର ଇଚ୍ଛା ଥିଲା ଯେ, ରାମ ମନ୍ଦିର ନିର୍ମାଣ ପରେ ସେମାନେ ଏହାକୁ ଅଯୋଧ୍ୟାକୁ ନେବେ । ଏହା ମଧ୍ୟରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ସେପଟେ ସ୍ବାମୀଙ୍କ ଇଚ୍ଛାକୁ ପୁରଣ କରିବା ପାଇଁ ପତ୍ନୀ ଏହି ତାଲାକୁ ନିରଞ୍ଜନ ଆଖଡାର ମହାମଣ୍ଡଳେଶ୍ବରଙ୍କୁ ଦେଇଛନ୍ତି । ଏହାସହ ତାଲାର ଅବଶିଷ୍ଟ କାର୍ଯ୍ୟ ସମାପ୍ତ କରି ଏହାକୁ ଅଯୋଧ୍ୟାକୁ ପଠାଇବା ପାଇଁ ଆବେଦନ କରିଛନ୍ତି ।
ଉତ୍ତର ପ୍ରଦେଶ ଅଲିଗଡ଼ ଜିଲ୍ଲାର ସୁରେନ୍ଦ୍ର ନଗର ବାସିନ୍ଦା ସତ୍ୟ ପ୍ରକାଶ ଶର୍ମା ନିଜକୁ ଉତ୍ସର୍ଗୀକୃତ କରି ପ୍ରଭୁ ରାମଙ୍କ ମନ୍ଦିର ପାଇଁ ଏକ 400 କିଗ୍ରାର ତାଲା ପ୍ରସ୍ତୁତ କରୁଥିଲେ । ତାଙ୍କୁ ଏହି କାର୍ଯ୍ୟରେ ପତ୍ନୀ ରୁକ୍ମିଣୀ ଦେବୀ ସହଯୋଗ କରୁଥିଲେ । ସତ୍ୟ ପ୍ରକାଶ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଏହାସହ ତାଙ୍କର ଏହି ବିଶେଷ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ଏବଂ ଯୋଗୀ ପ୍ରଶଂସା କରିଥିଲେ । ସେ ଏହି ବିଶାଳ ତାଲାକୁ ଜାନୁଆରୀ 22 ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ । ତାଲା ନିର୍ମାଣରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଭୁ ରାମଙ୍କ ଚିତ୍ର ମଧ୍ୟ ଏହି ତାଲା ଉପରେ ଖୋଦିତ କରାଯାଇଥିଲା । ଏହି ତାଲାକୁ ନେଇ ରାମ ଭକ୍ତମାନେ ମଧ୍ୟ ବହୁତ ଉତ୍ସାହିତ ଥିଲେ । କିନ୍ତୁ ଏହାରି ମଧ୍ୟରେ ସତ୍ୟ ପ୍ରକାଶ ଶର୍ମା ଗତ 11 ଡିସେମ୍ବର 2023 ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ଏହି କାରଣରୁ ତାଙ୍କର ଇଚ୍ଛା ପୂରଣ ହୋଇନଥିଲା ।