ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଆମେଠୀରେ ଜଣେ ବିଜେପି ନେତା ଜଣେ ଦଳିତ ସଫେଇ କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି (Beating of Dalit sweeper case in Amethi)। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ସଫେଇ କର୍ମୀ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ସଫେଇ କର୍ମଚାରୀ ସଂଘ ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ । ମାଡ ମାରିଥିବା ବିଜେପି ନେତା ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ବୋଲି ମଧ୍ୟ ଜଣାପଡିଛି ।
ପ୍ରବଳ ପ୍ରତିବାଦ ପରେ ପୋଲିସ ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ଏସିସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ ସଂଘ । ସୂଚନା ଅନୁସାରେ, ରବିବାର ସଂଧ୍ୟାରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଘନିଷ୍ଠ କୁହାଯାଉଥିବା ତଥା ଜିଲ୍ଲା ବିଜେପି କମିଟିରେ କାର୍ଯ୍ୟକର୍ତ୍ତା ଥିବା ସୁଧାଂଶୁ ଶୁକ୍ଳା ଜଣେ ସଫାଇ କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।