ନୂଆଦିଲ୍ଲୀ: ଦଳୀୟ ସାଂସଦଙ୍କୁ ଅଧିବେଶନ ସମୟରେ ଗୃହରେ ସମାନୁବର୍ତ୍ତିତା ଓ ନିୟମିତ ଉପସ୍ଥିତ ରହିବା ପାଇଁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ଉପସ୍ଥିତ ନଥିବା କିଛି ସଦସ୍ୟଙ୍କୁ ଭର୍ତ୍ସନା କରିବା ସହ ପ୍ରଧାନମନ୍ତ୍ରୀ ଚେତବାନୀ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ଏପରି ଅନୁପସ୍ଥିତ ରହିବା ପରି ଅଭିଯୋଗ ସାମ୍ନାକୁ ଆସିଲେ ବଡ ଧରଣର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପରୋକ୍ଷରେ ଇଙ୍ଗିତ ହେଇଛନ୍ତି ।
ସୂଚନାନୁସାରେ, ଆଜି (ମଙ୍ଗଳବାର) ପୂର୍ବାହ୍ନରେ ବିଜେପିର ସଂସଦୀୟ ବୈଠକରେ ଦଳର ସାଂସଦମାନଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି । ସଂସଦର ଚାଲିଥିବା ଶୀତକାଳୀନ ଅଧିବେଶନ (Parliament winter session) ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି ।