ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ''କୁ ନେଇ ବିବାଦ ବଢିବାରେ ଲାଗିଛି । ଭାରତରେ ଏହି ଡକ୍ୟୁମେଣ୍ଟାରୀ ବ୍ୟାନ ସତ୍ତ୍ବେ ଦେଶର ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଏହାର ସ୍କ୍ରିନିଂ କରାଯାଉଛି । ଜାମିଆ ବିଶ୍ବବିଦ୍ୟାଳୟ ଓ ଜେଏନୟୁ ପରେ ଏବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଓ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ମଧ୍ୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବା ପାଇଁ ଯୋଜନା ହୋଇଛି । ଏନେଇ ଛାତ୍ର ସଂଗଠନ ପକ୍ଷରୁ ସୋସିଆଲ ମିଡିଆରେ ପାମ୍ପଲେଟ୍ ଜାରି କରାଯାଇଛି ।
ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଆଜି ସନ୍ଧ୍ୟା ୫ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ଇଣ୍ଡିଆ: ଦି ମୋଦି କୋଶ୍ଚିନ ପ୍ରଦର୍ଶିତ କରାଯିବାର ଥିଲା । କ୍ୟାମ୍ପସରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ନକରିବାକୁ ବିଶ୍ବବିଦ୍ୟାଳୟ ପ୍ରଶାସନ ବାରଣ ସତ୍ତ୍ବେ ମୁସଲିମ ଛାତ୍ର, ଏନଏସୟୁଆଇ ଓ ଭୀମ ସେନା ଦ୍ବାରା ଏହାର ସ୍କ୍ରିନିଂ ପାଇଁ ଘୋଷଣା କରାଯାଇଥିଲା । ଏହାକୁ ରୋକିବାକୁ ବିଶ୍ବବିଦ୍ୟାଳୟ ପରିସରରେ ବହୁସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସେପଟେ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଡକ୍ୟୁମେଣ୍ଟାରୀ ଦେଖୁଥିବା ବେଳେ ସେଠାରେ ବିଦ୍ୟୁତ କାଟ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ କ୍ୟାମ୍ପସରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ।