ହାଇଦ୍ରାବାଦ:ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଦେଶରେ ଉଷ୍ମତା ବଢିବାରେ ଲାଗିଛି । ଏହାକୁ ଦେଶରେ ପ୍ରସାରିତ କରାଯିବା ଉପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରତିବନ୍ଧକ ଲଗାଇଥିଲା ବେଳେ ଆଜି ଏହାକୁ କେରଳର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଇଛି । କେରଳରେ SFI, DYFI ପରି ବାମପନ୍ଥୀ ବିଚାରଧାରାର ଏକାଧିକ ରାଜନୈତିକ ସଂଗଠନ ଏହାକୁ ପ୍ରଦର୍ଶିତ କରିଛନ୍ତି । ତେବେ ବିଭିନ୍ନ ସ୍ଥାନରେ ଏହାକୁ ସାମୁହିକ ଭାବେ ପ୍ରଦର୍ଶିତ କାରାଯିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମଧ୍ୟ ଏହି ଡକ୍ୟୁମେଣ୍ଟାରୀକୁ ଦେଖିଥିଲା । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜୋରଦାର ପ୍ରତିବାଦ ମଧ୍ୟ କରିଛି ।
ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଦସ୍ୟଙ୍କ ଦ୍ବାରା କେରଳର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି । ପାଲକ୍କଡର ଭିକ୍ଟୋରିଆ କଲେଜ ଏବଂ ରାଜଧାନୀ ଥିରୁଅନ୍ତପୁରମ ଓ ଏର୍ଣ୍ଣାକୁଲମର ସରକାରୀ ଆଇନ କଲେଜ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଠାରେ ମଧ୍ୟ SFI ଦ୍ବାରା ଏହି ବିବାଦୀୟ ଡକ୍ଯୁମେଣ୍ଟାରୀକୁ ପ୍ରଦର୍ଶିତ କରାଯିବା ପାଇଁ ବ୍ୟବସ୍ଥା ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଆଗୁଆ ବ୍ୟବସ୍ଥା ଗ୍ରହଣ କରିଥିଲା ।
ତେବେ ଏକାଧିକ ସ୍ଥାନରେ ଏହାକୁ ପ୍ରଦର୍ଶିତ ତଥା ଅପର ପକ୍ଷ ଦ୍ବାରା ବିରୋଧ କରାଯାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ । କିଛି ଶିକ୍ଷାନୁଷ୍ଠାନରେ ବାମପନ୍ଥୀ ଛାତ୍ର ସଂଗଠନର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ନାରା ଦେଇଥିଲେ । କେରଳର ଶାସନରେ ଥିବା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଦଳ ସିପିଆଇ (ଏମ)ର ଯୁବମୋର୍ଚ୍ଚା DYFI ଏହାକୁ କେବଳ କେରଳରେ ନୁହେଁ ବରଂ ସାରା ଦେଶରେ ପ୍ରଦର୍ଶିତ କରାଯିବା ନେଇ ଘୋଷଣା କରିଛି । DYFI ରାଜ୍ୟ ସଚିବ ଭି.କେ ସାନୋଜ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଚାରୀରେ ଯାହା ଦର୍ଶାଯାଇଛି, ତାକୁ କେନ୍ଦ୍ର ସରକାର ଦେଶବାସୀଙ୍କୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି । ଏହାକୁ ଜନସଧାରଣଙ୍କ ନିକଟରେ ରଖିବାକୁ ହେବ ।